ଓଡ଼ିଆ ଝିଅ ଦୀପ୍ଗ୍ରେସ୍ ଏକ୍କା ଅନ୍ତର୍ଜାତୀୟ ହକିରୁ ନେଲେ ଅବସର – bajravana
[ad_1]
ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ଖେଳାଳି ତଥା ଓଡ଼ିଆ ଝିଅ ଦୀପ୍ଗ୍ରେସ୍ ଏକ୍କା ଅବସର ଗ୍ରହଣ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ନିପଟ ମଫସଲ ଗାଁ ଲୁଲକିଡିହି ବାମନିବାହାଲ (ପଡ଼ା)ର ଦୀପ୍ଗ୍ରେସ୍ ଏକ୍କା ଏକଦା ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ପରେ ଦ୍ବିତୀୟ ଥର ପାଇଁ ଟୋକିଓ ଅଲିମ୍ପିକ୍ସ ଖେଳିବାର ସୁଯୋଗ ପାଇଥିଲେ। ୨୯ ବର୍ଷିୟା ଦୀପଗ୍ରେସ୍ଙ୍କ ବାଲିଶଙ୍କରା ବ୍ଲକର ଛତିଶଗଡ଼-ଝାଡ଼ଖଣ୍ଡ ସୀମାନ୍ତ ଏହି ଛୋଟ ଗାଁର ଟିଣ ଛପର ଘରୁ ଟୋକିଓ ଅଲିମ୍ପିକ୍ସର ଲମ୍ବା ଯାତ୍ରା ଏବେ ବେଶ୍ ଚର୍ଚ୍ଚାରେ ଥିଲେ। ଏକ ଗରିବ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦୀପଗ୍ରେସ୍ଙ୍କ ବାପା ଚାର୍ଲସ୍ ଏକ୍କା ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାର୍ଲସ୍ ସେତେବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଏବଂ ଉନ୍ନତ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପଗ୍ରେସ୍ ତାଙ୍କ ସବା ସାନ ଝିଅ, ଯିଏକି ଭାରତୀୟ ଦଳରେ ଜଣେ ଭଲ ଖେଳାଳି ଥିଲେ। ଦୀପଗ୍ରେସ୍ଙ୍କୁ ଭାରତ ସରକାର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇ ଦୀପକ, ଡେନିସ, ଡେଭିଡ୍ ଓ ଭଉଣୀ ଦୀପ୍ତିରୋସଙ୍କ ପରେ ଦୀପଗ୍ରେସ୍ଙ୍କ ଜନ୍ମ। ଦୀପକ ଝାରସୁଗୁଡ଼ାରେ ଏକ କମ୍ପାନିରେ ଚାକିରି କରୁଥିବା ବେଳେ ଡେଭିଡ୍ ବାପାଙ୍କ ସହ ଚାଷ କଥା ବୁଝୁଛନ୍ତି। ଭଉଣୀ ଦୀପ୍ତିରୋସ ବିବାହ କରି ଶାଶୁ ଘରେ। ଅନ୍ୟ ଜଣେ ଭାଇ ଡେନିସ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମ୍ରେ ଖେଳୁଛନ୍ତି। ବାପା ଓ ଭାଇଙ୍କ ଖେଳ ଦେଖି ଦୀପଗ୍ରେସ୍ଙ୍କର ମଧ୍ୟ ହକି ଖେଳ ପ୍ରତି ଆଗ୍ରହ ବଢ଼ିଥିଲା। କିନ୍ତୁ ହକି ବାଡ଼ି କି ବଲ୍ କିଣିବା ସମ୍ଭବ ନଥିବାରୁ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ବାଡ଼ି ଓ ଛିଣ୍ଡା ଜରିରେ ବଲ୍ ତିଆରି କରି ଗାଁ ଦାଣ୍ଡରେ ଛୋଟ ପିଲାଙ୍କ ସହ ଖେଳୁଥିଲେ ଦୀପଗ୍ରେସ୍। ଦୀପଗ୍ରେସ୍ଙ୍କ ହକି ପ୍ରତି ରୁଚି ଦେଖି ବାପା ନିଜ ଅଧୁରା ସ୍ବପ୍ନ ପୂରା କରିବାକୁ ଆଗେଇ ଆସିଲେ। ଝିଅକୁ ଭଲ ହକି ଖେଳାଳି ଭାବେ ଗଢ଼ି ତୋଳିବାକୁ ସେ ତାଙ୍କୁ ୨୦୦୪ରେ ସୁନ୍ଦରଗଡ଼ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଛାଡ଼ିଥିଲେ। କିନ୍ତୁ ସେତେବେଳେ ସେଠାରେ ଝିଅମାନଙ୍କ ପାଇଁ ହଷ୍ଟେଲ ସୁବିଧା ନଥିଲା। ଘରୁ ଚାଉଳ, ଡାଲି ପଠାଉଥିଲେ ବାପା। ଦୁଇ ବର୍ଷ ଅଭ୍ୟାସ କରିବା ପରେ ୨୦୦୬ରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ପ୍ରବେଶ କରିଥିଲେ ଦୀପଗ୍ରେସ୍। ୨୦୦୮ ଯାଏ ତାଙ୍କୁ କୋଚ୍ ପ୍ରଦୀପ ଷଡ଼ଙ୍ଗୀ ହକି ତାଲିମ ଦେଉଥିଲେ।
ପରବର୍ତ୍ତୀ ସମୟରେ ମହିଳା ହକି କୋଚ୍ ଭାବେ ଲୁସେଲ ଏକ୍କା ନିଯୁକ୍ତି ପାଇବା ପରେ ତାଙ୍କ ଠାରୁ ତାଲିମ ନେଲେ ଦୀପଗ୍ରେସ୍। ୨୦୧୧ରେ ସେ ଜାତୀୟ ମହିଳା ହକି କ୍ୟାମ୍ପକୁ ମନୋନୀତ ହୋଇ ଯାଇଥିଲେ। ତା’ ପରଠାରୁ ଦୀପଗ୍ରେସ୍ ଆଉ ପଛକୁ ଫେରି ନାହାନ୍ତି। ସାଇ କ୍ରୀଡ଼ା ଛାତ୍ରାବାସରୁ ବାହାରିଥିବା ଏକମାତ୍ର ଅନ୍ତର୍ଜାତୀୟ ଖେଳାଳି ସୁଶ୍ରୀ ଏକ୍କାଙ୍କ ଖେଳ ଶୈଳୀ, ଅକ୍ଳାନ୍ତ ପରିଶ୍ରମ କରିବାର ଆଗ୍ରହ, ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ଦକ୍ଷତା ଦେଖି ତାଙ୍କୁ ହକିର ‘ଲେଡି ଦିଲୀପ ତିର୍କି’ କୁହାଯାଏ।
ଟୋକିଓ ଅଲିମ୍ପକ୍ସରେ ଅଷ୍ଟ୍ରେଲିଆ ସହ କ୍ବାର୍ଟର ଫାଇନାଲରେ ଗୋଲ୍ ରକ୍ଷକ ସବିତା ପୁନିଆ ଓ ଦୀପଗ୍ରେସ୍ ଏକ୍କାଙ୍କ ଚମତ୍କାର ରକ୍ଷଣ ଶୈଳୀ ଦଳକୁ ବିଜୟର ସ୍ବାଦ ଚଖାଇଥିଲା। ଶକ୍ତିଶାଳୀ ଓ ତିନି ଥର ଅଲିମ୍ପିକ୍ସ ବିଜେତା ଅଷ୍ଟ୍ରେଲିଆକୁ ଭେଟିବା ସମୟରେ ଲୋକ ଆଗରୁ ଭାବି ନେଇଥିଲେ ଯେ ମ୍ୟାଚ୍ ପରେ ଦଳ ଭାରତ ପଳାଇ ଆସିବ! ଦଳ ହାରିଲେ ମଧ୍ୟ କେହି ବିଶେଷ ଖରାପ ଭାବି ନ ଥାନ୍ତେ। କିନ୍ତୁ ଭାରତୀୟ ମହିଳା ଦଳ ସଂଘର୍ଷପୂର୍ଣ୍ଣ ଖେଳର ପ୍ରଦର୍ଶନ କରି ବିଶ୍ବ ମହିଳା ହକିରେ ସବୁଠାରୁ ବଡ଼ ବିପର୍ଯ୍ୟୟ କରି ନୂଆ ଇତିହାସ ରଚି ଦେଲେ। ମ୍ୟାଚ୍ ପରେ ଅଧିକାଂଶ ଲୋକ ଏହାକୁ ବିଶ୍ବାସ କରି ପାରୁ ନ ଥିଲେ। ଭାରତର ଏହି ବିଜୟରେ ସୁନ୍ଦରଗଡ଼ର ଝିଅ ଦୀପଗ୍ରେସ୍ଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ଥିଲା। ଗୋଟିଏ ଗୋଲ୍ରେ ଅଗ୍ରଣୀ ହେବାପରେ ପ୍ରାୟ ୪୦ ମିନିଟ୍ ଧରି ନିଜ ଗୋଲପୋଷ୍ଟ୍କୁ ରକ୍ଷା କରିବା ସହଜ ନଥିଲା। ଘାଇଲା ବାଘ ପରି ସେମାନେ ଘନ ଘନ ଆକ୍ରମଣ କରୁ ଥିଲେ। କିନ୍ତୁ ଆମର ରକ୍ଷକ ଖେଳାଳିମାନେ ଅତ୍ୟଧିକ ଚାପରେ ଥିଲେ ମଧ୍ୟ ସବୁ ଆକ୍ରମଣକୁ କ୍ରମାଗତ ଭାବେ ବିଫଳ କରି ଚାଲିଥିଲେ। ଦୀପଗ୍ରେସ୍ ଏକୁଟିଆ ଅତିକମରେ ୫-୬ ଆକ୍ରମଣରୁ ନିଜ ଦଳକୁ ରକ୍ଷା କରିଥିଲେ।
[ad_2]