ଖେଳ ଖବର

ଷଷ୍ଠ ସ୍ବର୍ଣ୍ଣ ସହ ପଞ୍ଚମରେ ଭାରତ: ୧୦ ମିଟର ଏୟାର ପିସ୍ତଲ ଦଳକୁ ସ୍ବର୍ଣ୍ଣ – bajravana

[ad_1]

ହାଙ୍ଗଝୌ: ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଚମତ୍କାର ରହିଛି। ଭାରତର ପଦକ ତାଲିକାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଯୋଡ଼ି ହୋଇଛି। ଫଳରେ ଭାରତର ପଦକ ସଂଖ୍ୟା ୨୫ (୬ ସ୍ବର୍ଣ୍ଣ, ୮ ରୌପ୍ୟ, ୧୧ କାଂସ୍ୟ)ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଭାରତ ପଦକ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି। ଏଥିସହ ଭାରତ ଲାଗି ଟେନିସ ଓ ସ୍କ୍ବାସରେ ଆଉ ଦୁଇଟି ଲେଖାଏଁ ପଦକ ମଧ୍ୟ ନିଶ୍ଚିତ ହୋଇଛି। ତେବେ ଭାରତୀୟ ପୁରୁଷ ଦଳ ପ୍ରିକ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଛି। ଭେଟେରାନ ସୁନିଲ ଛେତ୍ରୀଙ୍କ ନେତୃତ୍ବାଧୀନ ଏହି ଦଳ ୦-୨ ଗୋଲ୍‌ରେ ସାଉଦି ଆରବଠୁ ହାରିଯାଇଛି।

୧୦ ମିଟର ଏୟାର ପିସ୍ତଲ ଦଳକୁ ସ୍ବର୍ଣ୍ଣ
ଭାରତକୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଦଳ ଗୁରୁବାର ସ୍ବର୍ଣ୍ଣ ଭେଟି ଦେଇଛି। ସରାବଜୋତ ସିଂହ, ଅର୍ଜୁନ ସିଂହ ଚୀମା ଓ ଶିବ ନରୱାଲଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୭୩୪ ସ୍କୋର୍‌ ସହ ଶୀର୍ଷ ସ୍ଥାନ ଦଖଲ କରି ସ୍ବର୍ଣ୍ଣ ଜିତିଥିଲେ। ଚୀନ୍‌ (୧୭୩୪) ରୌପ୍ୟ ଓ ଭିଏତନାମ (୧୭୩୦) କାଂସ୍ୟ ପାଇଥିଲେ। ବ୍ୟକ୍ତିଗତ ବର୍ଗରେ ସରାବଜୋତ ଓ ଅର୍ଜୁନ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଯଥାକ୍ରମେ ଚତୁର୍ଥ ଓ ଅଷ୍ଟମ ସ୍ଥାନରେ ରହି ପଦକୁ ବଞ୍ଚିତ ହୋଇଥିଲେ। ତେବେ ଭାରତ ଚଳିତ ଏସୀୟ କ୍ରୀଡ଼ାର ବନ୍ଧୁକଚାଳନାରେ ଏପର୍ଯ୍ୟନ୍ତ ମୋଟ ୧୩ (୪ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୫ କାଂସ୍ୟ) ପଦକ ସହ ଚମତ୍କାର ପ୍ରଦର୍ଶନ ଦେଇଛି।

ଉଷୁରେ ରୋଶିବିନା ଜିତିଲେ ରୌପ୍ୟ
ଭାରତୀୟ ଉଷୁ ଖେଳାଳି ରୋଶିବିନା ଦେବୀ ଗୁରୁବାର ରୌପ୍ୟ ପଦକ ଜିତିଛନ୍ତି। ମହିଳା ୬୦ କେଜି ଉଷୁ ସାଣ୍ଡା ଫାଇନାଲ୍‌ରେ ରୋଶିବିନା କଡ଼ା ସଂଘର୍ଷ କରି ସ୍ଥାନୀୟ ତାରକା ତଥା ଗତ ଥରର ବିଜୟିନୀ ଉ ଜିଆୱେଇଙ୍କଠୁ ୦-୨ରେ ହାରିଯାଇଥିଲେ। ଫଳରେ ତାଙ୍କ ସ୍ବର୍ଣ୍ଣ ସ୍ବପ୍ନ ଅଧୁରା ରହିଥିଲେ ମଧ୍ୟ ଏସୀୟ କ୍ରୀଡ଼ାରେ ଲଗାତାର ପଦକ ଜିତିବାର ଗୌରବ ପାଇଥିଲେ। ଗତ ଜାକର୍ତ୍ତା ସଂସ୍କରଣ‌ରେ ରୋଶିବିନି କାଂସ୍ୟ ପଦକ ଜିତିଥିଲେ।

ଅଶ୍ବଚାଳକ ଅନୁଷଙ୍କୁ କାଂସ୍ୟ
ମଙ୍ଗଳବାର ‌ଅଶ୍ବଚାଳନାରେ ଦେଶକୁ ୪୧ ବର୍ଷ ପରେ ସ୍ବର୍ଣ୍ଣ ଭେଟି ଥିବା ଭାରତୀୟ ଦଳରେ ସଦସ୍ୟ ଥିବା ଅନୁଷ ଅଗ୍ରୱାଲ ଗୁରୁବାର କାଂସ୍ୟ ପଦକ ଜିତିଛନ୍ତି। ବ୍ୟକ୍ତିଗତ ଡ୍ରେସେଜ୍‌ରେ ସେ ଓ ତାଙ୍କ ଘୋଡ଼ା ଇଟ୍ରୋ ୭୩.୦୩୦ ପଏଣ୍ଟ ହାସଲ ତୃତୀୟ ସ୍ଥାନରେ ରହି ଏହି ପଦକ ଜିତିଥିଲେ। ‌ଏଥିସହ ଚଳିତ ଏସୀୟ କ୍ରୀଡ଼ାରେ ଅଶ୍ବଚାଳନ‌ାରେ ଏହା ଭାରତର ଦ୍ବିତୀୟ ପଦକ। ମା‌ଲେସିଆର ବିନ୍‌ ମହମ୍ମଦ ଫାଥିଲ ମହଦ କାବିଲ ଅମ୍ବାକ (୭୫.୭୮୦) ସ୍ବର୍ଣ୍ଣ ଏବଂ ହଂକଂର ଜାକଲିନ୍‌ ୱିଙ୍ଗ ୟିଙ୍ଗ ସିଉ (୭୩.୪୫୦) ରୌପ୍ୟ ଜିତିଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିବା ହୃଦୟ ଭିପୁଲ ଛେଡ଼ା ଏବଂ ସାଥୀ ଦିବ୍ୟକ୍ରିତି ସିଂହ ‌ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ।

ସେମିରେ ମହିଳା ଓ ପୁରୁଷ ସ୍କ୍ବାସ ଦଳ

ଭାରତୀୟ ମହିଳା ଓ ପୁରୁଷ ସ୍କ୍ବାସ ଦଳ ସେମିଫାଇନାଲ୍‌ରେ ପହଞ୍ଚି ଅତିକମ୍‌ରେ ଦୁଇଟି କାଂସ୍ୟ ନିଶ୍ଚିତ କରିଛନ୍ତି। ଗୁରୁବାର ଶେଷ ପୁଲ୍‌ ମ୍ୟାଚ୍‌ରେ ମହିଳା ଦଳ ୦-୩ରେ ମାଲେସିଆଠୁ ହାରିଯାଇଥିଲା। ହେଲେ ପୂର୍ବରୁ ପାକିସ୍ତାନ, ନେପାଳ ଓ ମକାଉକୁ ହରାଇଥିବାରୁ ମାଲେସିଆ ତଳକୁ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ସେମିଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲା। ଗୁରୁବାର ଭେଟେରାନ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପା ୬-୧୧, ୨-୧୧, ୮-୧୧ରେ ସୁବ୍ରମନ୍ୟମ ଶିବାସାଙ୍ଗାରିଙ୍କଠୁ, ତାନଭୀ ଖାନ୍ନା ୧୧-୯, ୧-୧୧, ୧୧-୭, ୧୧-୧୩, ୫-୧୧ରେ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜୟିନୀ ଆଇଫା ବିନ୍‌ତି ଅଜମାନ ଏବଂ ୧୫ ବର୍ଷୀୟା ଆନାହାତ ସିଂହ ୭-୧୧, ୭-୧୧, ୧୨-୧୪ରେ ରାଚେଲ ମାଏ ଆର୍ନୋଲ୍ଡଙ୍କଠୁ ହାରିଯାଇଥିଲେ। ପୁରୁଷ ଦଳ ନେପାଳକୁ ୩-୦ରେ ହରାଇ ଟେବୁଲର ଦ୍ବିତୀୟ ସ୍ଥାନ‌ରେ ସେମିଫାଇନାଲ୍‌ରେ ପହଞ୍ଚିଛି। ଅଭୟ ସିଂହ ୧୧-୨, ୧୧-୪, ୧୧-୧ରେ ଅମ୍ରିତ ମଗର ଥାପ୍ପାଙ୍କୁ, ମହେଶ ମଙ୍ଗାଓଙ୍କର ୧୧-୨, ୧୧-୩, ୧୧-୩ରେ ଆରାହାନ୍ତ କେଶର ସିମାଙ୍କୁ ଏବଂ ହରିନ୍ଦର ପାଲ ସିଂହ ସାନ୍ଧୁ ୧୧-୧, ୧୧-୨, ୧୧-୬ରେ ଅମିର ଭଲୋନଙ୍କୁ ପରାସ୍ତ କରିଥିଲେ।

ଟେନିସରେ ୨ ପଦକ ପକ୍କା
ଟେନିସ୍‌ରେ ଭାରତର ଦୁଇଟି ପଦକ (ଅତିକମ୍‌ରେ ରୌପ୍ୟ ଓ କାଂସ୍ୟ) ନିଶ୍ଚିତ ହୋଇଛି। ଏହି ଦୁଇ ପଦକ ରାମକୁମାର ରାମନାଥନ ଓ ସକେତ ମିନେନି ଏବଂ ରୋହନ ବୋପାନ୍ନା ଓ ଋତୁଜା ଭୋସ୍‌ଲେ ପକ୍କା କରିଛନ୍ତି। ରାମକୁମାର ଓ ସକେତ ପୁରୁଷ ଯୁଗଳ ଫାଇନାଲ୍‌ରେ ଏବଂ ବୋପାନ୍ନା ଓ ଋତୁଜା ମିଶ୍ରିତ ଯୁଗଳ ‌ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ରାମକୁମାର ଓ ସକେତ ୬-୧, ୬-୭ ସେଟ୍‌ରେ କୋରିଆର ସିଓଙ୍ଗଚାନ ହଙ୍ଗ ଓ ସୁନଉ କେୱନ୍‌ଙ୍କୁ ହରାଇ ଦେଇଥିଲେ। ଫଳରେ ଏହି ଯୋଡ଼ି ଏବେ ସ୍ବର୍ଣ୍ଣ ପଦକଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଭାରତ ଫାଇନାଲ୍‌ରେ ଚାଇନିଜ୍‌ ତା‌ଇପେକୁ ଭେଟିବେ। ଗତ ସଂସ୍କରଣରେ‌ ବୋପାନ୍ନା ଓ ଦିଭିଜ ଶରଣ ବିଜେତା ହୋଇଥିଲେ। ହେଲେ ଏହି ଯୋଡ଼ି ଚଳିତ ବର୍ଷ କ୍ବାର୍ଟର ଫାଇନାଲ୍‌ରୁ ବିଦାୟ ନେଇଥିଲେ। ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ବୋପାନ୍ନା ଓ ଋତୁଜା ୭-୫, ୬-୩ ସେଟ୍‌ରେ କାଜାଖସ୍ତାନର ଗ୍ରିଗୋରି ଲୋମାକିନ ଓ ଝିବେକ କୁଲାମ୍ବାୟେଭାଙ୍କୁ ହରାଇଥିଲେ।

ହକିରେ ବିଜୟ ଧାରା ଜାରି
ଭାରତୀୟ ପୁରୁଷ ହକି ଦଳ ଚଳିତ ଏସୀୟ କ୍ରୀଡ଼ାରେ ବିଜୟ ଧାରା ଜାରି ରଖିଛି। ପୁଲ୍‌-ଏ’ରେ ନିଜର ପ୍ରଥମ ଦୁଇ ମ୍ୟାଚ୍‌ରେ ଉଜବେକିସ୍ତାନ ଓ ସିଙ୍ଗାପୁରକୁ ହରାଇଥିବା ଭାରତ ଗୁରୁବାର ୪-୨ ଗୋଲ୍‌ରେ ବିଜେତା ଜାପାନକୁ ପରାସ୍ତ କରିଛି। ଅଭିଷେକ, ମନଦୀପ ସିଂହ, ଓଡ଼ିଆ ପୁଅ ଅମିତ ରୋହିଦାସ ଏହି ଗୋଲ୍‌ ୪ଟି ଦେଇଥିଲେ। ମ୍ୟାଚ୍‌ରେ ୧୩ତମ ମିନିଟ୍‌ରେ ଅଭିଷେକଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ନୀଳକାନ୍ତ ଶର୍ମାଙ୍କ ଏକ ସୁନ୍ଦର ପାସ୍‌କୁ ମନଦୀପ ସିଂହ (୨୪ ମିନିଟ୍‌) ଜାପାନ ଗୋଲ୍‌ ପୋଷ୍ଟକୁ ପଠାଇ ଦେଇଥିଲେ। ଏଥିସହ ଭାରତ ପ୍ରଥମାର୍ଦ୍ଧରେ ୨-୦ରେ ଆଗରେ ରହିଥିଲା। ୩୪ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅମିତ ଗୋଲ୍‌ରେ ପରିଣତ କରି ଦଳକୁ ୩-୦ରେ ଅଗ୍ରଣୀ ଦେଇଥିଲେ। ଶେଷ କ୍ବାର୍ଟରରେ ଅଭିଷେକ (୪୮ ମିନିଟ୍‌) ଗୋଲ୍‌ ଦେଇ ଯୁଗଳ ସଫଳତା ପାଇଥିଲେ। କିନ୍ତୁ ଶେଷ ୩ ମିନିଟ୍‌ରେ ଜାପାନର ଗେନକି ମିତାନି (୫୭ ମିନିଟ୍‌) ଓ ୟୋସେଇ କାତୋ (୬୦ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ।

କ୍ବାର୍ଟରରେ ମହିଳା ବ୍ୟାଡ୍‌ମିଣ୍ଟନ ଦଳ
ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଦଳ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ଦଳ ୩-୦ରେ ମଙ୍ଗୋଲିଆକୁ ପରାସ୍ତ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ ୨୧-୩, ୨୧-୩ରେ ମିଆମାର୍ତସେରେନ ଗାନବାତରଙ୍କୁ ହରାଇ ଥିଲେ। ଏହାପରେ ଅଶ୍ମିତା ଚାଲିହା ୨୧-୨, ୨୧-୩ରେ ଖେରଲେନ ଦର୍ଖାନବାତାରଙ୍କୁ ଏବଂ ଅନୁପମା ଉପାଧ୍ୟାୟ ୨୧-୦, ୨୧-୨ରେ କୁଲାଙ୍ଗୁ ବାତରଙ୍କୁ ପରାସ୍ତ କରିଥିଲେ।

ମଣିପୁରବାସୀଙ୍କୁ ପଦକ ଉତ୍ସର୍ଗ

ନୂଆଦିଲ୍ଲୀ: ପ୍ରାୟ ୫ ମାସ ହେବ ମଣିପୁର ଜଳୁଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ମଣିପୁରୀ ଖେଳାଳି ନାଓରେମ୍‌ ରୋଶିବିନା‌ ଦେବୀ ଚୀନର ହାଙ୍ଗ୍‌ଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। କହିବାକୁ ଗଲେ ଜଣେ ପୀଡ଼ିତା ହିଁ ପଦକ ଜିତି ଦେଶର ସୁନାମ ବଢ଼ାଇଛନ୍ତି। ଉଷୁର ମହିଳା ୬୦ କିଲୋଗ୍ରାମ ସାଣ୍ଡା ଇଭେଣ୍ଟର ଫାଇନାଲ୍‌ରେ ହାରିଯିବା ପରେ ରୋଶିବିନା ଦେବୀ ଏହି ପଦକ ଜିତିବାରେ ସକ୍ଷମ ହୋଇଥିଲେ। ବିଜୟ ପରେ ସେ ଏହି ପଦକକୁ ମଣିପୁରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ମଣିପୁରର କୁକି ସମ୍ପ୍ରଦାୟ ପ୍ରାଧାନ୍ୟ ଭିତରେ ଥିବା ବିଷ୍ଣୁପର ଜିଲ୍ଲା କ୍ବାସିଫାଇ ଗାଁରେ ରୋଶିବିନା ଦେବୀଙ୍କ ଘର ହୋଇଥିବାବେଳେ ସେ ମୈତେଈ ସମ୍ପ୍ରଦାୟର। ଏହ‌ି ଦୁଇ ସମ୍ପ୍ରଦାୟ ମଧ୍ୟରେ ଗତ ମେ’ ମାସରୁ ବିବାଦ ଓ ହିଂସା ଲାଗି ରହିଥିବାବେଳେ ବହୁ ବ୍ୟକ୍ତି ପ୍ରାଣ ହରାଇ ସାରିଛନ୍ତି। ‘ମଣିପୁର ଜଳୁଛି, ଆମ ରାଜ୍ୟରେ ଲଢ଼େଇ ଚାଲିଛି। ମୁଁ ଗାଁ’କୁ ଫେରିପାରିବି ନାହିଁ। ସେଠାରେ ପ୍ରତିବାଦ କରୁଥିବା ବ୍ୟକ୍ତି ଏବଂ ପୀଡ଼ିତଙ୍କ ଉଦ୍ଦେଶ୍ୟରେ ଏହି ପଦକ ଉତ୍ସର୍ଗ କରୁଛି’ ବୋଲି ରୋଶିବିନା ପ୍ରକାଶ କରିଛନ୍ତି। କାନ୍ଦି କାନ୍ଦି ରୋଶିବିନା କହିଥିଲେ ‘ମୁଁ ଜାଣିନି ଆଗକୁ କ’ଣ ହେବ ? ଏବେ ବି ଲଢ଼େଇ ଚାଲିଛି, ଏହା କେବେ ବନ୍ଦ ହେବ ଏବଂ ସାଧାରଣ ଜୀବନକୁ ଫେରିବ ଜାଣି ହେଉନି’। ମଣିପୁରରେ ହିଂସା ଲାଗି ରହିଥିବାରୁ ମୁଁ ମଧ୍ୟ ନିୟମିତ ପରିବାର ସହ କଥା ହେଉନଥିଲି। ଏହା ମୋ‌ ଏକାଗ୍ରତା ଭଙ୍ଗ କରିବ ବୋଲି ପ୍ରଶିକ୍ଷକ ପରାମର୍ଶ ଦେଇଥିବାରୁ ପରିବାର ଲୋକ ମଧ୍ୟ ସମାନ କଥା କରିଥିଲେ ବୋଲି ୨୨ ବର୍ଷୀୟା ରୋଶିବିନା ଦେବୀ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ରୋଶିବିନା ୨୦୧୮ ଏସିଆଡ୍‌ରେ କାଂସ୍ୟ ପଦକ ଜିତିଥିବାରୁ ଏଥରର ରୌପ୍ୟ ପଦକ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button