ଓଡିଶା

ଯକ୍ଷ୍ମା ଔଷଧ ମିଳୁନି: କେନ୍ଦ୍ରରୁ ଯୋଗାଣ ବନ୍ଦ, ବଜାରରେ ବି ଉପଲବ୍ଧ ନାହିଁ – bajravana

[ad_1]

ଦେଶବ୍ୟାପୀ ସ୍ଥିତି ଜଟିଳ, କଞ୍ଚାମାଲ୍‌ର ଅଭାବ, ନିକଟରେ ସ୍ଥିତି ସୁଧୁରିବା ସମ୍ଭାବନା କ୍ଷୀଣ

ଭୁବନେଶ୍ବର/କେନ୍ଦୁଝର: ରାଜ୍ୟରେ ଯକ୍ଷ୍ମା ଔଷଧର ଗୁରୁତର ସଙ୍କଟ ଦେଖାଦେଇଛି। ପ୍ରାୟ ଦୁଇ ମାସ ହେବ କେନ୍ଦ୍ରରୁ ଔଷଧ ଯୋଗାଣ ବନ୍ଦ‌ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ଔଷଧ ମହଜୁଦ ଥିଲା ତାହା ବି ସରିଗଲାଣି। ‌ଚିନ୍ତାଜନକ ବିଷୟ ହେଉଛି ଯେ ଖୋଲା ବଜାରରେ ମଧ୍ୟ ଏହି ଔଷଧ ମିଳୁନାହିଁ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଔଷଧ ମିଳୁ ନ ଥିବାରୁ ଯକ୍ଷ୍ମା ରୋଗୀଙ୍କ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏ ସ୍ଥିତି କେବଳ ଓଡ଼ିଶାର ନୁହେଁ, ଦେଶବ୍ୟାପୀ ଏଭଳି ଚିତ୍ର ଆସୁଛି। ନିକଟ ଅତୀତରେ ସ୍ଥିତିରେ କୌଣସି ସୁଧାର ଆସିବା ଆଶା କମ୍ ବୋଲି ସରକାର ଆଶଙ୍କା କରୁଛନ୍ତି। ବିଶ୍ବରେ ଯକ୍ଷ୍ମା ରୋଗ ଔଷଧ ପ୍ରସ୍ତୁତ କରିବାରେ ଭାରତ ସର୍ବାଗ୍ରେ ରହିଛି। ହେଲେ ଭାରତରେ ଏହି ଔଷଧର ଅଭାବ ଦେଖାଦେବା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି। ଧାର୍ଯ୍ୟ କୋର୍ସ ପୂରଣ କରୁ ନ ଥିବା ରୋଗୀମାନଙ୍କୁ ଡ୍ରଗ୍ ରେସିଷ୍ଟାଣ୍ଟ୍‌ ଟିବି(ଯକ୍ଷ୍ମା)ର ଭୟ ରହିଛି। ଏହାସହ ରୋଗ ସଂକ୍ରମଣ ବଢ଼ିବାର ମଧ୍ୟ ଆଶଙ୍କା ଦେଖାଦେଲାଣି। ଔଷଧ ଅଭାବକୁ ରାଜ୍ୟ ସରକାର କିଭଳି ମୁକାବିଲା କରିବେ ତାହା ବୁଝିପାରୁନାହାନ୍ତି। ଗୋଟିଏ ପଟେ ୨୦୨୫ ସୁଦ୍ଧା କେନ୍ଦ୍ର ସରକାର ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ହେଲେ ଔଷଧ ଅଭାବରୁ ଏହି ଲକ୍ଷ୍ୟକୁ ନେଇ ପ୍ରଶ୍ନ ଉଠାଲାଣି।

ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଭଳି ସବୁ ଜିଲ୍ଲାରୁ ଯକ୍ଷ୍ମା ଔଷଧ ମିଳୁ ନ ଥିବା ଚିତ୍ର ସାମ୍ନାକୁ ଆସିଲାଣି। ଔଷଧ ଯୋଗାଣ କେନ୍ଦ୍ରକୁ ରୋଗୀମାନେ ଆସୁଥିଲେ ହେଁ ସେମାନଙ୍କୁ ଫେରିବାକୁ ପଡ଼ୁଛି। କେନ୍ଦୁଝର ଜିଲ୍ଲାରେ ଏବେ ୧୭୮୫ଜଣ ଯକ୍ଷ୍ମା ରୋଗୀ ଚିକିତ୍ସିତ ହେଉଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକୁ ରାଜ୍ୟସ୍ତରରୁ ଔଷଧ ଯୋଗାଣ ହେଉ ନଥିବାରୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ସିଡିଏମ୍‌ଓ ଡା. କିଶୋର ପୃଷ୍ଟି କହିଛନ୍ତି, ମାସେ ‌ହେଲା ଯକ୍ଷ୍ମା ଔଷଧର ଅଭାବ ରହିଛି। ଔଷଧ ଆସୁ ନ ଥିବାରୁ ଚିକିତ୍ସା ସେବା ପ୍ରଭାବିତ ହୋଇଛି। ଏହି ଅଚଳାବସ୍ଥା ଦୂର ହେବା ଲାଗି ଆହୁରି ମାସେ ସମୟ ଲାଗିବ ବୋଲି ‌େସ କହିଛନ୍ତି। ସେହିପରି ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକ୍‌ରେ ୨୭୬୧ ଯକ୍ଷ୍ମା ରୋଗୀ ରହିଛନ୍ତି। ତହିଁରେ ୧୮୩୦ ପୁରୁଷ, ୮୨୩ ମହିଳା ଓ ୧୦୮ ଶିଶୁ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର, କରଞ୍ଜିଆ ଭଳି ଉପଖଣ୍ଡରେ ଔଷଧ ଅଭାବରୁ ଯକ୍ଷ୍ମା ରୋଗୀଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଯକ୍ଷ୍ମା ଔଷଧ ସବୁବେଳେ କେନ୍ଦ୍ରରୁ ଯୋଗାଣ ହୋଇଥାଏ। ଏ ଦୃଷ୍ଟିରୁ ରାଜ୍ୟ ସରକାର କାଁ ଭାଁ ଏହି ଔଷଧ ଖୁଚୁରା ବଜାରରୁ କିଣିଥାନ୍ତି। ହେଲେ ପ୍ରାୟ ଦୁଇ ମାସ ହେବ ଏହି ଔଷଧ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୋଲା ବଜାରରୁ ଏହାକୁ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ରାଜ୍ୟ ଭେଷଜ ନିର୍ଦ୍ଦେଶକଙ୍କ ଜରିଆରେ ଯକ୍ଷ୍ମା ଔଷଧ ଯୋଗାଣକାରୀ ସି ଏଣ୍ଡ ଏଫ୍‌କୁ ଯୋଗାଯୋଗ କରାଯାଇଥିଲା। ସେଠାରେ ମଧ୍ୟ ଔଷଧ ନ ଥିବାରୁ ସିଧାସଳଖ କମ୍ପାନି ସହ‌ ଯୋଗାଯୋଗ ହୋଇଥିଲା। ମାତ୍ର କଞ୍ଚାମାଲ୍‌ ଅଭାବରୁ ଦେଶରେ ଯକ୍ଷ୍ମା ଔଷଧ ପ୍ରସ୍ତୁତ ହୋଇପାରୁ ନଥିବା ଜଣାପଡ଼ିଛି। ପୂର୍ବରୁ ଦେଶରେ ଦୁଇଟି କମ୍ପାନି ଏହି ଔଷଧ ପ୍ରସ୍ତୁତ କରୁଥିଲେ। ଏବେ ଏହି କମ୍ପାନିମାନଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟର କଥା ଯେ ତଥାପି ଔଷଧ ମିଳୁନାହିଁ।

ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟରେ ଯକ୍ଷ୍ମା ରୋଗର ଅଭାବକୁ ଦୂର କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ନିକଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଆସନ୍ତା ୧୫ଦିନ ଭିତରେ ଔଷଧ ଯୋଗାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ଜରୁରିକାଳୀନ ଔଷଧ ତାଲିକା(ଇଡିଏଲ୍‌)ରେ ପୂର୍ବରୁ ଯକ୍ଷ୍ମା ଔଷଧ ନ ଥିଲା। ମାତ୍ର ଏଭଳି ପରିସ୍ଥିତିକୁ ନଜରରେ ରଖି ଇଡିଏଲ୍‌ରେ ଏହାକୁ ସାମିଲ କରାଯାଇଛି। ହେଲେ ଖୋଲା ବଜାରରେ ଔଷଧ ମିଳୁ ନ ଥିବାରୁ ରାଜ୍ୟ ଔଷଧ ନିଗମ ପାଇଁ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିଛି। ଔଷଧ ଅଭାବ ପାଇଁ ରାଜ୍ୟରେ ଯକ୍ଷ୍ମା ସଂକ୍ରମଣ ବଢ଼ିବା ଓ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି ବୃଦ୍ଧି ପାଇବା ସଂପର୍କରେ ଅଧିକାରୀ ଜଣକ କହିଛନ୍ତି ଯେ ଯଥାଶୀଘ୍ର ଔଷଧ ଯୋଗାଣ ହେଲେ ଏହାର ମୁକାବିଲା କରାଯାଇପାରିବ। ରାଜ୍ୟରେ ଏବେ ଟ୍ରୁ ନାଟ୍‌ ମେସିନ୍‌ରେ ଯକ୍ଷ୍ମା ରୋଗୀଙ୍କ ପରୀକ୍ଷା କରାଯାଉଛି। ତେଣୁ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ହେଲେ ଏହା ଟ୍ରାନ୍‌ସମିସନ ବା ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button