ଓଡିଶା

ପାରଳାରେ ଜହ୍ନିଓଷା ବ୍ରତ ଉଦ୍‌ଯାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ କୁମାର ପୂର୍ଣ୍ଣିମାରେ କୁଆଁରୀମାନଙ୍କ ଦ୍ବାରା ପାଳିତ ଜହ୍ନିଓଷା ବ୍ରତ ଉଦ୍‌ଯାପିତ ହୋଇଯାଇଛି । ମା’ବୃନ୍ଦାବତୀଙ୍କ ନିକଟରେ ହେଉଥିବା ଏହି ବ୍ରତକୁ ଦକ୍ଷିଣ ଓଡ଼ିଶା ବିଶେଷ କରି ଗଜପତି ଏବଂ ଗଞ୍ଜମ ଜିଲ୍ଲାର କୁଆଁରୀମାନେ ପାଳନ କରିଥାନ୍ତି।

ଗଜପତି ଜିଲ୍ଲାର ସମସ୍ତ ସାହିଗଳିରେ ଏହି ପୂଜାକୁ ଅତି ଧୂମ୍‌ଧାମରେ କୁଆଁରୀମାନେ ଏକାଠି ହୋଇ ପାଳନ କରିଥାନ୍ତି। ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ପୂଜା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ। ଏକ ମାସ ଧରି ପାଳନ କରାଯାଉଥିବା ଏହି ଓଷା ସମୟରେ ବ୍ରତଧାରୀ କୁଆଁରୀମାନେ ମା’ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ସହ ଗୋଟିଏ ଓଳି ସାତ୍ତ୍ଵିକ ଭୋଜନ କରିଥାନ୍ତି। ଏହି ବ୍ରତ ସମୟରେ ଜହ୍ନି ଖାଇବା କିମ୍ବା ଗଛରୁ ଜହ୍ନିଫୁଲ କିମ୍ବା ଜହ୍ନି ତୋଳିବା କାର୍ଯ୍ୟ ମନା ହୋଇଥାଏ ।

ଯଦିଓ ମା’ଙ୍କୁ ଜହ୍ନିଫୁଲ ଦେଇ ପୂଜା କରାଯାଇଥାଏ ତଥାପି ଅନ୍ୟ କେହି ଏହାକୁ ତୋଳି ଆଣିଥାନ୍ତି। ପ୍ରତିଦିନ ସକାଳେ ଉଠି ନିତ୍ୟକର୍ମ ସାରି ବୃନ୍ଦାବତୀଙ୍କ ନିକଟରେ ଜଳ ପ୍ରଦାନ କରିବା ପରେ ହିଁ ଅନ୍ୟ କିଛି କାର୍ଯ୍ୟ କରିଥାନ୍ତି ବ୍ରତଧାରୀ କୂଆଁରୀମାନେ. ଦଶହରା ଠାରୁ ନୂଆ ଚାଙ୍ଗୁଡ଼ିରେ ନଦୀବାଲି ରଖି ୭ପ୍ରକାର ଡାଲି ଜାତୀୟ ପଦାର୍ଥ ବୁଣିଥାନ୍ତି ଏବଂ ମାନସିକ କରି ନଡ଼ିଆ ଓ କଦଳୀ ବାନ୍ଧିଥାନ୍ତି । ଶେଷରେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରପୂଜା ସହ ଓଷା ଉଦ୍‌ଯାପନ ହୋଇଥାଏ. ପାରଳା ସହରରେ ଗତକାଲି ଜହ୍ନି ଓଷା ଉଦଯାପିତ ହୋଇଯାଇଛି.

Related Articles

Leave a Reply

Your email address will not be published. Required fields are marked *

Back to top button