ଦେଶ ବିଦେଶ

ବାଲ୍ୟ ବିବାହ ନିଷିଦ୍ଧ ଆଇନକୁ ରୋକି ପାରିବନି ପର୍ସନାଲ ଲ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାଲ୍ୟ ବିବାହ ନିଷିଦ୍ଧ ଆଇନ (ପିସିଏମଏ)କୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କୌଣସି ‘ପର୍ସନାଲ ଲ’ ପରମ୍ପରା ଆଧାରରେ ଏହି ଆଇନକୁ ରୋକି ପାରିବ ନାହିଁ ବୋଲି କହିଛନ୍ତି। ବାଲ୍ୟ ବିବାହ ନାବାଳିକାଙ୍କ ଅଧିକାରକୁ ଛଡ଼ାଇ ନେଉଛି। ଏହା ଦ୍ବାରା ଜୀବନସାଥୀ ଚୟନ କରିବାର ଅଧିକାର ମଧ୍ୟ କ୍ଷୂର୍ଣ୍ଣ ହେଉଛି।

ଏହାକୁ ବନ୍ଦ କରି ନାବାଳିକାଙ୍କ ସୁରକ୍ଷା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଅଧିକାରୀମାନେ ଧ୍ୟାନ ଦେବା ଉଚିତ ବୋଲି ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପର୍ଦ୍ଦିୱାଲା ଏବଂ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି।

ଏହା ସହିତ ସୁପ୍ରିମକୋର୍ଟ ପିସିଏମଏ ଆଇନକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରିବାକୁ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ଆଇନରେ ଅନେକ ଦୁର୍ବଳତା ମଧ୍ୟ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ଖାଲି ଦଣ୍ଡ ବ୍ୟବସ୍ଥା ଦ୍ବାରା କିଛି ହେବନାହିଁ, ଏଥିପାଇଁ ଜନସଚେତନତା ମଧ୍ୟ ଜରୁରୀ। ଅଲଗା ଅଲଗା ସମ୍ପ୍ରଦାୟ ପାଇଁ ଆଇନରେ ବ୍ୟବସ୍ଥା ରହିବା ଉଚିତ। ବିଭିନ୍ନ ପକ୍ଷର ସମନ୍ବୟ ଏବଂ ସହଯୋଗ ରହିଲେ ହିଁ ଆଇନ ସଫଳ ହୋଇଥାଏ। ଏଥିପାଇଁ ଯାଞ୍ଚ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇ ନୂଆ କୌଶଳ ଶିଖାଇବା ଉଚିତ। ସିଜେଆଇ କହିଛନ୍ତି ଯେ ପିସିଏମଏ ଆଇନରେ କାହାର କ୍ଷତି ନ କରି ଦଣ୍ଡଦେବାର ବ୍ୟବସ୍ଥା ରହିଛି। ଏହା ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ଜାତି, ଧର୍ମ, ସାମାଜିକ-ଆର୍ଥିକ ସ୍ଥିତି, ଭୌଗଳିକ ସ୍ଥିତ ଆଦି ବାଲ୍ୟ ବିବାହ ବିପଦକୁ ବୃଦ୍ଧି କରୁଛି। ଏଥିପାଇଁ ଦେଶକୁ ସଚେତନତା ଅଭିଯାନର ଆବଶ୍ୟକତା ରହିଛି।

ଏହା ପୂର୍ବରୁ ଜୁଲାଇ ୧୦ରେ ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ‘ସୋସାଇଟି ଫର୍‌ ଏନଲାଇଟମେଣ୍ଟ ଆଣ୍ଡ ଭଲ୍ୟୁଣ୍ଟରି ଆକ୍ସନ’ ପକ୍ଷରୁ ଏହି ଆବେଦନ ଦାଏର କରାଯାଇଥିଲା। ଏହାକୁ ପ୍ରଭାବୀ ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବା ଦାବି କରାଯାଇଥିଲା। ଆଜି ଶୁଣାଣି ସମୟରେ ସୁପ୍ରିମକୋର୍ଟ ପିସିଏମଏ ମାମଲା ସଂସଦରେ ବିଚାରାଧୀନ ଥିବା କହିଥିଲେ। ମାତ୍ର କେନ୍ଦ୍ର ସରକାର ପର୍ସନାଲ ଲ’ଠାରୁ ଆଇନକୁ ଊର୍ଦ୍ଧ୍ବରେ ରଖିବା ସପକ୍ଷରେ ମତ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button