news

ଭୂତ ସହରର ଭୂତଳ ନିଆଁ

ପୃଥିବୀରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ବିଜ୍ଞାନର ମୌଳିକ ନିୟମ ଉଲ୍ଲଂଘନ ହେଉଥିବା ଭଳି ମନେ ହୋଇଥାଏ। ଆମେରିକାରେ ସେଭଳି ଏକ ନିର୍ଜନ ସହର ରହିଛି ଯାହାର ଭୂଇଁ ତଳେ ଦୀର୍ଘ ୬୦ ବର୍ଷ ଧରି ନିଆଁ ଜଳୁଛି। ସେହି କାରଣରୁ ତାହା ଧୀରେ ଧୀରେ ଜନବସତିଶୂନ୍ୟ ହୋଇ ଭୂତ ସହରର ଆଖ୍ୟା ମୁଣ୍ଡାଇଛି। ସୂଚନାନୁଯାୟୀ, ଆମେରିକାର ପେନ୍‌ସିଲଭାନିଆ ପ୍ରଦେଶ ଅନ୍ତର୍ଗତ ସେଣ୍ଟ୍ରାଲିଆ ନାମକ ଏହି ସହର ଏକଦା ଖଣିଜ ସମ୍ପଦରେ ଭରପୂର ଥିଲା।

ସେଠାରେ ଖଣିଖନନ କାର୍ଯ୍ୟ ସମେତ ସ୍ବାଭାବିକ ଭାବେ ଗହଳିଚହଳି ଲାଗି ରହିଥିଲା। ୧୮୯୦ରେ ତାହାର ଲୋକସଂଖ୍ୟା ସର୍ବାଧିକ ୨,୭୦୦ ରହିଥିଲା। ତେବେ ୧୯୬୨ରେ ଏହି ଖଣି ସହରର ଏକ ଶୂନ୍ୟ ଖଣିକୁ ପୋତିଲା ବେଳେ ସେଠାରେ କୌଣସି କାରଣରୁ ଅଗ୍ନିସଂଯୋଗ ହୋଇଯାଇଥିଲା। ଏହି ନିଆଁ ଭୂଗର୍ଭର ହଜାରେ ଫୁଟ ତଳେ ଥିବା କୋଇଲାସ୍ତରରେ ଲାଗି ଏକରକମ ଅଲିଭା ହୋଇଯାଇଥିଲା।

ସେବେଠାରୁ ସେଠାରେ ଭୂଇଁ ତଳେ ସେମିତି କୋଇଲା ଜଳିବା ସହ ବାହାରକୁ ଦୂଷିତ ଧୂଆଁ ବାହାରିବାରେ ଲାଗିଛି। ଲୋକେ ବାରମ୍ବାର ଅନେକ ଚେଷ୍ଟା କରି ନିଆଁକୁ ଲିଭାଇ ପାରିନାହାନ୍ତି। ତେଣୁ ବିଷାକ୍ତ ଧୂଆଁ କବଳରୁ ମୁକ୍ତି ପାଇବା ପାଇଁ ସହରବାସୀ ଧୀରେ ଧୀରେ ସେଠାରୁ ପଳାୟନ କରିବା ସହ ସେଠାରେ ଖନନକାର୍ଯ୍ୟ ମଧ୍ୟ ବନ୍ଦ ରଖାଯାଇଛି। ୧୯୮୦ ବେଳକୁ ସେହି ସହରରେ ମାତ୍ର ହଜାରେ ଲୋକ ରହିଥିବା ବେଳେ ୨୦୨୦ରେ ସେଠାରେ ଥିବା ଶେଷ ଚାରିଜଣ ମଧ୍ୟ ସ୍ଥାନାନ୍ତରିତ ହୋଇଛନ୍ତି। ଏପରି ଭାବେ ଉକ୍ତ ଚଳଚଞ୍ଚଳ ସହର ଏବେ ଏକ ପରିତ୍ୟକ୍ତ ସହର ବା ଭୂତ ସହର ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button