ଦେଶ ବିଦେଶ

ବଦଳିଲା ନିଯୁକ୍ତି ଦୃଶ୍ୟପଟ: ଆଇଆଇଟି ଛାତ୍ରଙ୍କୁ ୪.୩ କୋଟି ଦରମା

ମୁମ୍ବାଇ: ଗୁରୁତର ଭାବେ ପ୍ରଭାବିତ ହୋଇଥିବା ନିଯୁକ୍ତି ଦୃଶ୍ୟପଟରେ ଉନ୍ନତି ପରିଲକ୍ଷିତ ହୋଇଛି। ଆଇଆଇଟି ମାଡ୍ରାସରେ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ପଢ଼ୁଥିବା ଜଣେ ଛାତ୍ରଙ୍କୁ ‘ଜେନ୍ ଷ୍ଟ୍ରିଟ୍‌’ ନାମକ ଏକ କମ୍ପାନି ବାର୍ଷିକ ୪.୩ କୋଟି ଟଙ୍କାରେ ଚାକିରି ପ୍ରସ୍ତାବ ଦେଇଛି। ‌ଛାତ୍ର ଜଣକ ପୂର୍ବରୁ ଜେନ୍ ଷ୍ଟ୍ରିଟ୍‌ରେ ଇଣ୍ଟର୍ଣ୍ଣ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ହଂକଂରେ କାମ କରିବାକୁ କମ୍ପାନି ପ୍ରସ୍ତାବ ଦେଇଛି। ଆଇଆଇଟି ଦିଲ୍ଲୀ, ବମ୍ବେ, ମାଡ୍ରାସ୍, କାନପୁର, ରୁର୍‌କି, ଖଡ଼ଗପୁର, ଗୌହାଟୀ ଓ ବିଏଚ୍‌ୟୁରେ ଚୂଡ଼ାନ୍ତ ପ୍ଲେସ୍‌ମେଣ୍ଟ ଋତୁ ଆରମ୍ଭ ହୋଇଛି। ଏଥିରେ ଅଂଶଗ୍ରହଣ କରିଥିବା କମ୍ପାନିଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ମୋଟା ଅଙ୍କର ‌ଦରମା ପ୍ରସ୍ତାବ ଦେଇଛନ୍ତି ଯାହା ଗତବର୍ଷ ତୁଳନାରେ ଅଧିକ। ବ୍ଲାକ୍‌ରକ୍, ଗ୍ଲେନ୍ ଓ ଦା ଭିନ୍ସି ଭଳି ସଂସ୍ଥା ୨ କୋଟି ଟଙ୍କାରୁ ଅଧିକ ଦରମା ଦେବାକୁ ରାଜି ହୋଇଥିବା ବେଳେ ଏପିଟି ପୋର୍ଟଫୋଲିଓ ଓ ରୁବରିକ୍ ୧.୪ କୋଟି ଟଙ୍କା, ଡାଟା ବ୍ରିକ୍ସ, ଏବୁଲିଏଣ୍ଟ ସିକ୍ୟୁରିଟିଜ୍, ଆଇଏମ୍‌ସି ଟ୍ରେଡିଂ ୧.୩ କୋଟି ଟଙ୍କା ଓ କ୍ବାଡ୍‌ଆଇ ୧ କୋଟି ଟଙ୍କା ଦରମାରେ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରସ୍ତାବ ଦେଇଛନ୍ତି। କ୍ବାଣ୍ଟବକ୍ସ ଓ ଗ୍ରାଭିଟନ୍ ପକ୍ଷରୁ ୯୦ ଲକ୍ଷ ଟଙ୍କା, ଡିଇ ସ’ ପକ୍ଷରୁ ୬୬-୭୦ ଲକ୍ଷ ଟଙ୍କା, ପେସ୍ ଷ୍ଟକ୍ ବ୍ରୋକିଂ ପକ୍ଷରୁ ୭୫ ଲକ୍ଷ ଟଙ୍କା, ସ୍କୋୟାରପଏଣ୍ଟ କ୍ୟାପିଟାଲ୍‌ ୬୬ ଲକ୍ଷ ଟଙ୍କା ଓ ମାଇକ୍ରୋସଫ୍ଟ ୫୦ ଲକ୍ଷ ଟଙ୍କାର ବେତନ ପ୍ରସ୍ତାବ ଦେଇଛି।

କ୍ୟାମ୍ପସ୍‌ ପ୍ଲେସ୍‌ମେଣ୍ଟ୍‌ର ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ଲାଗି କ୍ବାଲ୍‌କମ୍, ମାଇକ୍ରୋସଫ୍ଟ, ଗୋଲ୍ଡମ୍ୟାନ୍ ସଚ୍‌ସ, ବଜାଜ ‌ଅଟୋ, ଓଲା ଇଲେକ୍ଟ୍ରିକ୍, ଆଲ୍‌ଫୋନ୍‌ସୋ ଓ ନ୍ୟୁଟାନିକ୍ସ ଭଳି କମ୍ପାନି ଆସିଥିବା ନିଶ୍ଚିତ ରୂପେ ଉତ୍ସାହଜନକ ବିଷୟ। ଗତବର୍ଷ ପ୍ରାୟ ସବୁ ଆଇଆଇଟି ଓ ଆଇଆଇଏମ୍‌ରେ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ପାଇବାକୁ ସଂଘର୍ଷ କରିଥିଲେ। ପଞ୍ଜୀକରଣ କରିଥିବା ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିନଥିଲା। ଯେଉଁମାନଙ୍କୁ ଚାକିରି ମିଳିଥିଲା ସେମାନଙ୍କ ଦରମା କମ୍ ରହିଥିଲା। ଚଳିତ ବର୍ଷ ଆଇଆଇଟି ଓ ଆଇଆଇଏମ୍‌ର ସମସ୍ତ ଛାତ୍ରଛାତ୍ରୀଙ୍କୁ ଚାକିରି ମିଳିବ ନା ନାହିଁ ତାହା ଜଣାପଡ଼ି ନଥିଲେ ମଧ୍ୟ ଦରମା ଦୃଷ୍ଟିରୁ ବିଶେଷ ବୃଦ୍ଧି ହୋଇପାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button