ଓଡିଶା

ଅଭିଯୋଗ କରିବା ପାଇଁ ୧୦କିଲୋମିଟର ଚାଲି ଚାଲି ତହସିଲ କାର୍ଯ୍ୟାଳୟରେ ପହଁଚିଲେ ଛାତ୍ରୀ

ଉଦଳା : ଭିନ୍ନ ଢଙ୍ଗରେ ଅଭିଯୋଗ । ବାରମ୍ବାର କହିବା ପରେ ବି ଶୁଣିଲେନି କେହି । ଶେଷରେ ନିଜ ପାଇଁ ନିଜେ ଅଣ୍ଟା ଭିଡିଲେ ଛାତ୍ରୀ । ମୁଣ୍ଡ ଉପରେ ପରୀକ୍ଷା । ଶେଷରେ କିଛି ଉପାୟ ନପାଇ ନେଲେ ଚରମ ନିଷ୍ପତ୍ତି । ଆଉ ଅଭିଯୋଗ ଜଣାଇବା ପାଇଁ ୧୦କିଲୋମିଟର ଚାଲି ଚାଲି ଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟାରେ ।

ଖୁଣ୍ଟା ବ୍ଲକ କମଳି ଆଶ୍ରମ ବିଦ୍ୟାଳୟରେ ନାହାନ୍ତି ଇଂରାଜୀ ଶିକ୍ଷକ, ତାହାସହିତ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ । ଯାହାକୁ ନେଇ ଆଜି ସକାଳୁ ବିଦ୍ୟାଳୟର ୧୦ଜଣ ଛାତ୍ରୀ ହଷ୍ଟେଲ ରୁ ବାହାରି ଅଭିଯୋଗ ଜଣାଇବା ପାଇଁ ୧୦ କିଲୋମିଟର ଚାଲି ଚାଲି ଆସି ପହଞ୍ଚିଥିଲେ ଖୁଣ୍ଟା ତହସିଲରେ । ଆଗକୁ ପରୀକ୍ଷା ଥିବା ବେଳେ ଆଜି ପର୍ଯ୍ୟନ୍ତ ଇଂରାଜୀ ଶିକ୍ଷକ ବିଦ୍ୟାଳୟରେ ନାହାନ୍ତି । ଯାହାଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏଭଳି ସ୍ଥିତିରେ ଶୀତୁଆ ସକାଳରେ ପ୍ରବଳ ଜାଡରେ ଥରି ଥରି ଛାତ୍ରୀମାନେ ଚାଲି ଚାଲି ଅଭିଯୋଗ ଜଣାଇବାକୁ ଆସିଥିଲେ । ଏହି ଘଟଣା ଏବେ ବିଦ୍ୟାଳୟର ଅବ୍ୟବସ୍ଥାକୁ ପଦାରେ ପକାଇଛି ।

ଶିକ୍ଷାର ଉନ୍ନତି ତଥା ବିଦ୍ୟାର୍ଥୀଙ୍କ ଉପଯୁକ୍ତ ଶିକ୍ଷା ଅଧିକାର ପାଇଁ ସରକାର ନାନା ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାସେବା ପାଇବାରୁ ବଞ୍ଚିତ ରହୁଛନ୍ତି । ଯଦି ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟା ଗୁଡିକର ସମାଧାନ ଅତିଶୀଘ୍ର କରାନଯାଏ ତେଵେ ଏହି ଅଞ୍ଚଳରେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ନାରା କେବଳ ଲୋକ ଦେଖାଣିଆ ହୋଇରହିଯିବ । ତେଣୁ ଅତିଶୀଘ୍ର ଏହି ବିଦ୍ୟାଳୟରେ ଲାଗିରହିଥିବା ସମସ୍ତ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଜରୁରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button