ଟାୟାରରୁ ୩୦ ପ୍ରତିଶତ ଅଣୁପ୍ଳାଷ୍ଟିକ୍ ପ୍ରଦୂଷଣ
ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ବିଶ୍ବବ୍ୟାପୀ ଚଳପ୍ରଚଳ କରୁଥିବା କୋଟି କୋଟି ସଂଖ୍ୟକ ଗାଡ଼ିମୋଟର ଚକରୁ ଘୋରି ହୋଇ ପ୍ରାୟ ୬ ନିୟୁତ କୋଟି ଟନ୍ର ଟାୟାର ଟୁକୁରା ଅଣଦେଖା ବର୍ଜ୍ୟ ହୋଇ ପରିବେଶରେ ମିଶୁଛି। ସେଗୁଡ଼ିକ ମାଟି, ପାଣି ଓ ପବନ ସମେତ ଆମ ଖାଦ୍ୟରେ ମିଶି ନାନା ସମସ୍ୟା ସୃଷ୍ଟି କରୁଛନ୍ତି। ଏପରିକି ଦକ୍ଷିଣ ଚୀନ୍ର ଗବେଷକମାନେ ମନୁଷ୍ୟ ପରିସ୍ରା ନମୁନାରେ ସେହି ଟାୟାର ଟୁକୁରାର ରାସାୟନିକ ଉପସ୍ଥିତି ଠାବ କରିବା ଗଭୀର ଚିନ୍ତାର ବିଷୟ ହୋଇଛି। ପରିବେଶରେ ପ୍ରବେଶ କରୁଥିବା ଏହି ଅଣଦେଖା ବର୍ଜ୍ୟ ଟାୟାର ଟୁକୁରାଗୁଡ଼ିକ ପ୍ରଦୂଷଣକାରୀ ମୋଟ ଅଣୁପ୍ଲାଷ୍ଟିକ୍ର ପ୍ରାୟ ୨୮ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି।
ଏଥିରୁ ସେଗୁଡ଼ିକର ଭୟାବହତା ସହଜରେ ଅନୁମେୟ। ତେବେ ସମ୍ପ୍ରତି ଅଣୁପ୍ଲାଷ୍ଟିକ୍ ପ୍ରଦୂଷଣରେ ଏହି ଟାୟାର ଟୁକୁରାର ଭୂମିକାକୁ ବିଚାର କରାଯାଇନଥିବା ବେଳେ ଏବେ ତାହା ଉପରେ ଗୁରୁତ୍ବାରୋପ କରାଯାଉଛି। ତାହାକୁ ଏକ ସ୍ବତନ୍ତ୍ର ପ୍ରଦୂଷଣକାରୀ ଶ୍ରେଣୀରେ ଅନ୍ତର୍ଭୁକ୍ତ କରି ସେଥିପାଇଁ ଉପଯୁକ୍ତ ପ୍ରତିକାର ଚିନ୍ତା କରିବାର ସମୟ ଆସିଛି। ଏହି ଉଦ୍ଦେଶ୍ୟରେ ଦକ୍ଷିଣ କୋରିଆଠାରେ ବିଭିନ୍ନ ରାଷ୍ଟ୍ର ପ୍ରଥମ ବିଶ୍ବସ୍ତରୀୟ ଅଣୁପ୍ଲାଷ୍ଟିକ୍ ପ୍ରଦୂଷଣ ରାଜିନାମାରେ ସ୍ବାକ୍ଷର କରିବାକୁ ଯାଉଛନ୍ତି। ଉଲ୍ଲେଖଯୋଗ୍ୟ, ଗାଡ଼ିମୋଟରର ଟାୟାରରେ ବ୍ୟବହୃତ ହେଉଥିବା ପଦାର୍ଥ ସାଧାରଣତଃ ରବରର ଏକାଧିକ ପ୍ରାକୃତିକ ଓ ଜଟିଳ ମିଶ୍ରଣରେ ଉତ୍ପନ୍ନ ହୋଇଥାଏ। ଏଥିରେ ଶତାଧିକ ରାସାୟନିକ ପଦାର୍ଥ ମଧ୍ୟ ମିଶାଯାଇଥାଏ ଯାହା ମନୁଷ୍ୟ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ। ଉଦାହରଣ ସ୍ବରୂପ, ଟାୟାରକୁ ଦୀର୍ଘସ୍ଥାୟୀ କରାଇବା ଲାଗି ସେଥିରେ ତାହା ଓଜନର ପ୍ରାୟ ୦.୭ ପ୍ରତିଶତ ଜିଙ୍କ୍ ଅକ୍ସାଇଡ୍ ମିଶାଯାଇଥାଏ, ଯାହା ମାଛ ଓ ଅନ୍ୟାନ୍ୟ ଜଳଚର ପ୍ରାଣୀଙ୍କ ପାଇଁ କ୍ଷତିକାରକ।
ଏପରିକି ଏହାର ସାମାନ୍ୟତମ ଉପସ୍ଥିତି ମଧ୍ୟ ଜୈବପ୍ରଣାଳୀରେ ବିଭ୍ରାଟ ଆଣିବାର ଆଶଙ୍କା ରହିଛି। ସେହିପରି ଟାୟାରଗୁଡ଼ିକ ପାଣି ଓ ପବନରେ ନଫାଟିବା ପାଇଁ ସେଥିରେ ୬ପିପିଡି ନାମକ ରାସାୟନିକ ମିଶାଯାଇଥାଏ, ଯାହା କିଛି ଦିନ ତଳେ ଆମେରିକାରେ ବିଭିନ୍ନ ପ୍ରଜାତି ମାଛଙ୍କର ଗଣମୃତ୍ୟୁ ପାଇଁ ଦାୟୀ ବୋଲି ଜଣାପଡ଼ିଛି। ଭାରୀ ଯାନଗୁଡ଼ିକର ଟାୟାର ଅଧିକ ଘର୍ଷଣଶୀଳ ହୋଇଥିବାରୁ ସେଥିରୁ ଏହି ଅଣୁପ୍ଲାଷ୍ଟିକ୍ ପ୍ରଦୂଷଣ ଅଧିକ ରହୁଛି। ଗାଡ଼ିମୋଟରର ଚାହିଦା ପାଇଁ ବର୍ଷକୁ ବିଶ୍ବବ୍ୟାପୀ ପ୍ରାୟ ୨୦୦ କୋଟି ସଂଖ୍ୟକ ଟାୟାର ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରୁ ନିର୍ଗତ ଟାୟାର ଟୁକୁରା ଜନିତ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବାରୋପ କରାଯାଉଛି। ସେଥି ସକାଶେ ପରିବେଶ ଅନୁକୂଳ ଟାୟାର ପ୍ରସ୍ତୁତି ସହ ଭାରୀଯାନ ଉପରେ ଓଜନ ଅନୁଯାୟୀ କର ବ୍ୟବସ୍ଥା ଲାଗୁ କରିବା ପାଇଁ ବିଚାର କରାଯାଉଛି।