ଦେଶ ବିଦେଶ

ବଦଳିବ ଜିଡିପି ହିସାବ: ୨୦୨୨-୨୩ ହେବ ନୂଆ ଆଧାର ବର୍ଷ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମୋଟ ଘରୋଇ ଉତ୍ପାଦ (ଜିଡିପି) ହିସାବରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା ଆଧାର ବର୍ଷକୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଏକ ସମୟରେ ଏହି ପଦକ୍ଷେପ ନିଆଯାଇଛି ଯେତେବେଳେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୫.୪ ପ୍ରତିଶତ ସହ ଦୁଇ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି। ଜିଡିପି ହିସାବ ଲାଗି ୨୦୧୧-୧୨କୁ ଆଧାର ବର୍ଷ ଭାବେ ବ୍ୟବହାର କରାଯାଉଥିଲା। ଅର୍ଥାତ ସେହି ବର୍ଷର ମୂଲ୍ୟ ଆଧାରରେ ଅର୍ଥନୀତି କେତେ ଆଗକୁ ବଢ଼ିଛି ତାହା ଆକଳନ କରାଯାଉଥିଲା। ଗୋଟିଏ ଦଶନ୍ଧି ବିତିଯାଇଥିବାରୁ ନୂଆ ଆଧାର ବର୍ଷ ଭାବେ ୨୦୨୨-୨୩କୁ ବ୍ୟବହାର କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଦେଶର ଅର୍ଥନୀତିର ଆହୁରି ସ୍ପଷ୍ଟ ଚିତ୍ର ପ୍ରଦାନ କରିବା ଲାଗି ସରକାର ଆଧାର ବର୍ଷ ବଦଳାଇବାକୁ ଯାଉଛନ୍ତି। ପୁରୁଣାରୁ ନୂଆ ଆଧାର ବର୍ଷକୁ ପରିବର୍ତ୍ତନ ଯେଭଳି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ଏକ ୨୬ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି।

ବିଶ୍ବନାଥ ଗୋଲଦାରଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି। ଏହି କମିଟି ନୂଆ ତଥ୍ୟର ଉତ୍ସଗୁଡ଼ିକୁ ସନ୍ଧାନ କରିବ ଏବଂ ଜାତୀୟ ହିସାବ ଖାତା ପରିସଂଖ୍ୟାନ ଲାଗି ଉପଯୁକ୍ତ ପଦ୍ଧତି ସୁପାରିସ କରିବ। ସେହି କମିଟିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ଶିକ୍ଷାନୁଷ୍ଠାନର ପ୍ରତିନିଧି ଓ ଗବେଷକମାନେ ସଦସ୍ୟ ରହିବେ। ଏକ ଲମ୍ବା ସମୟ ମଧ୍ୟରେ ଅର୍ଥନୀତିରେ ଅନେକ ପରିବର୍ତ୍ତନ ହୋଇଥାଏ। ଲୋକମାନଙ୍କ ବ୍ୟବହାର ଶୈଳୀ, ଅର୍ଥନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଓ ନୂତନ କ୍ଷେତ୍ରର ଅଭ୍ୟୁଦୟ ଭଳି ଘଟଣା ଘଟିଥାଏ। ପୁରୁଣା ଆଧାର ବର୍ଷରେ ହିସାବ କଲେ ତାହାର ପ୍ରତିଫଳନ ଦେଖିବାକୁ ମିଳେନାହିଁ। ସେଥିପାଇଁ ଆଧାର ବର୍ଷରେ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରାଯାଇଥାଏ।

ଜାନୁ‌ଆରିରୁ ମାସିକିଆ ଶ୍ରମଶକ୍ତି ସର୍ବେକ୍ଷଣ ରିପୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୫ ଜାନୁଆରିରୁ ପ୍ରତି ମାସରେ ନିୟମିତ ବ୍ୟବଧାନ ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଲ୍‌ଏଫ୍‌ଏସ୍‌) ତଥ୍ୟ ଜାରି କରିବେ। ବର୍ତ୍ତମାନ ଏହି ରିପୋର୍ଟ ପ୍ରତି ତ୍ରୈମାସିକରେ ପ୍ରକାଶ ପାଉଛି। ଏହା ଦେଶର ସହରାଞ୍ଚଳରେ ବେକାରି ହାର, ଶ୍ରମଶକ୍ତିର ଯୋଗଦାନ ହାର ଭଳି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି। ଫଳରେ ବେକାରି ତଥ୍ୟ ଲାଗି ଆଉ ଘରୋଇ କିମ୍ବା ଅସମର୍ଥିତ ସୂତ୍ର ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button