ଦେଶ ବିଦେଶ

ଆତଙ୍କୀଙ୍କ ଭୂସ୍ୱର୍ଗ ପାକିସ୍ତାନର ମୁଖା ଖୋଲିବ ଭାରତ

Image result for nirmala sitharamanନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଲା ସୀତାରମଣ ଏବଂ ୩ ସେନାର ମୁଖ୍ୟ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କୁ ଭେଟି ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଆତଙ୍କବାଦକୁ ସମର୍ଥନ ଜଣାଇଆସୁଥିବା ନେଇ ବଡ଼ ଖୁଲାସା କରିବେ।

ଏହି ବୈଠକ ଏଭଳି ଏକ ସମୟରେ ହେବାକୁ ଯାଉଛି ଯେତେବେଳେ ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ କ୍ରୋଧର ନିଆଁ ଜଳୁଛି। ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାପରେ ଏହି ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ୨ ଦିନିଆ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବ୍ୟତୀତ ନୌବାହିନୀ, ବାୟୁ ସେନା ଏବଂ ସ୍ଥଳ ସେନା ମୁଖ୍ୟ ଯୋଗଦେବେ। ସେମାନେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ସହିତ ଆଲୋଚନା କରି ଆତଙ୍କବାଦ ପ୍ରତି ପାକିସ୍ତାନର ଅହେତୁକ ସମର୍ଥନ ରହିଆସିଥିବା ନେଇ ଏହି ଦେଶର ମୁଖା ଖୋଲିବେ।

ପାକିସ୍ତାନ କିଭଳି ଭାବରେ ଭାରତ ବିରୋଧରେ ଆତଙ୍କବାଦକୁ ଅସ୍ତ୍ର କରିଛି ଏବଂ ପୁଲ୍‌ୱାମା ଓ ଅନ୍ୟାନ୍ୟ ଘଟଣାରେ କିଭଳି ପାକିସ୍ତାନର ଭୂମିକା ରହିଛି ସେ ସମ୍ପର୍କରେ ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ସରକାରଙ୍କୁ ପ୍ରତିରକ୍ଷା ବିଶେଷଜ୍ଞ ସାହାଯ୍ୟ କରିବେ।

ଫେବୃଆରୀ ୧୪ ଘଟଣା ପରେ ଭାରତର କଡ଼ା ଆଭିମୁଖ୍ୟରେ ପାକିସ୍ତାନର ନିଦ ହଜିଯାଇଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଭାରତ ପାକିସ୍ତାନକୁ ଘେରିବା ଆରମ୍ଭ କରିଛି। ଭାରତ ପୂର୍ବରୁ ମଧ୍ୟ ପାକିସ୍ତାନକୁ ‘ମୋଷ୍ଟ ଫେଭରଡ୍‌ ନେସନ୍‌’ ତାଲିକାରୁ ବାଦ୍‌ ଦେଇ ବ୍ୟବସାୟିକ ଝଟ୍‌କା ଦେଇସାରିଛି।

ଆମେରିକା, ରୁଷ୍‌ ଏବଂ ଫ୍ରାନ୍ସ ପରି ମହାଶକ୍ତିମାନେ ପାକିସ୍ତାନ ବିରୋଧରେ ଅଣ୍ଟା ଭିଡ଼ିବା ଆରମ୍ଭ କରିଥିବାବେଳେ ଏହି ଦେଶ କେବଳ ଚୀନ୍‌ର ଭରସାକୁ ଚାହିଁରହିଛି।

ପୁଲ୍‌ୱାମା ଆକ୍ରମଣ ଘଟଣାରେ ନା ପାକିସ୍ତାନ ପଟୁ କୌଣସି ସମବେଦନା ଆସିଥିଲା ନା ଏହି ଦେଶ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନୀଙ୍କ ସମ୍ପୃକ୍ତିକୁ ସ୍ୱୀକାର କରିଥିଲା। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆସରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button