ଓଡିଶା

ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି: ଦଶରଥ ଓ କୌଶଲ୍ୟାଙ୍କୁ ପିଣ୍ଡଦାନ କଲେ ମହାପ୍ରଭୁ – bajravana

[ad_1]

ପୁରୀ: ଶ୍ରୀମନ୍ଦିରରେ ଆଜି ମଧ୍ୟ ଦୀପାବଳି ନୀତି ପାଳିତ ହୋଇଯାଇଛି। ଆଜି ବି ମହାପ୍ରଭୁ ଭକ୍ତଙ୍କୁ ଶ୍ରାଦ୍ଧବେଶରେ ଦର୍ଶନ ଦେଇଛନ୍ତି। ପାଞ୍ଜି ଅନୁସାରେ ମହାପ୍ରଭୁ ଆଜି ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥଙ୍କୁ ପିଣ୍ଡଦାନ କରିଛନ୍ତି। ଶ୍ରାଦ୍ଧ ବେଶରେ ତିନି ଠାକୁର କାଶୀଧଡ଼ିଆ ବସ୍ତ୍ର ସହ ନଳିଭୂଜ, କୁଣ୍ଡଳ, ଚନ୍ଦ୍ର-ସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାମାଳି, କମରପଟି ଆଦି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥିଲେ। ଦୀପଦାନ ସହ ଶ୍ରୀମନ୍ଦିରକୁ ଆଲୋକମାଳାରେ ସଜାଯାଇଛି।

ଆଜି ଅମାବାସ୍ୟାରେ ସନ୍ଧ୍ୟାଧୂପ ବଢ଼ିଲା ପରେ ଶୁଦ୍ଧ ସୁଆରମାନେ ପାଣି ପକାଇ ପୋଛା ମାରିବା ପରେ ଭଣ୍ଡାର ମେକାପ ରତ୍ନ ସିଂହାସନ ତଳେ ଚାଉଳରେ ଏକ ଗଛ ତିଆର କରିଥିଲେ। ପରେ ପାଳିଆମେକାପ ବଇଠାମାନଙ୍କରେ ଘିଅ ଭରି ଚାଉଳ ଗଛରେ ଦୀପ ବସାଇଥିଲେ। ସମୁଦାୟ ୨୮ଟି ଦୀପ ଏହି ଗଛରେ ବସାଯାଇଥିଲା। ଏ ମଧ୍ୟରୁ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ୯ଟି ଲେଖାଏଁ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୧୦ଟି ଦୀପ ବସାଯାଇଥିଲା। ତିନୋଟି ସୁନା ଆଳତି ଲଗାଇବା ପରେ ପୂଜାପଣ୍ଡା ସେବକମାନେ ଚାଉଳ ଗଛ ଓ ଦୀପମାନଙ୍କୁ ସଂସ୍କାର କରିଥିଲେ। ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିଥିଲେ। ଶେଷରେ ତିନିଟି ମହାଦୀପର ବନ୍ଦାପନ କରାଯାଇଥିଲା।

ପରେ ତିନି ପୂଜକ ମହାଦୀପଗୁଡ଼ିକୁ ହାତରେ ଧରି ଜୟ-ବିଜୟ ଦ୍ବାରର ଭିତର ପାଖକୁ ଆସିଥିଲେ। ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସେବକ ସଂସ୍କାର କରି ପାଣି ଛଡ଼ାଇଥିଲେ। ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯାଇଥିଲା। ସଂପୃକ୍ତ ଚୁନରା ସେବକ ବଡ଼ ଓଡ଼ିଆ ମଠ ପ୍ରଦତ୍ତ ତେଲ ଓ ଘିଅ ନେଇ ମନ୍ଦିରର ଅଁଳା ବେଢ଼ା ଉପରେ ମହାଦୀପ ଜାଳିଥିଲେ। ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜାଙ୍କୁ ମହାପ୍ରଭୁ ଶଙ୍ଖେପୂରାଇ ଚକ୍ରେ ଅଢ଼ୁଆଳ କରନ୍ତୁ’ କହି ହରିବୋଲ ଡାକ ଦେଇଥିଲେ। ଆସନ୍ତାକାଲି ଶେଷ ଦୀପାବଳିରେ ବି ଶ୍ରୀଜିଉ ଶ୍ରାଦ୍ଧ ବେଶ ସହ ସୁନା ଅଳଙ୍କାର ପରିଧାନ କରି ଭକ୍ତଙ୍କୁ ଦର୍ଶନ ଦେବେ। ଏହିଦିନ ମହାପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ, ନନ୍ଦ ଓ ଯଶୋଦା ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ପିଣ୍ଡଦାନ କରିବେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button