ପୋତି ହେଉଛି ନଦୀଶଯ୍ୟା, କ୍ଷୟ ହେଉଛି ଜଙ୍ଗଲ: ତାତିଯାଉଛି ସୋନପୁର – bajravana
[ad_1]
ସୋନପୁର: ଗତ କିଛି ବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଉଛି।ବିଶେଷକରି ଗ୍ରୀଷ୍ମଋତୁରେ ସିଂହଭାଗ ସମୟ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟୁଛି। ତାପମାତ୍ରା ପ୍ରାୟତଃ ୪୪ ଡିଗ୍ରି ଉପରେ ରହୁଛି। ଅନ୍ୟପକ୍ଷରେ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲନଦୀ, ସୁରୁବାଲି ଯୋର, ନିବୃତ୍ତି ଯୋର ଆଦି ଦିନକୁ ଦିନ ପୋତି ହେବାକୁ ବସିଲାଣି। ଏସବୁରେ ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ବିଶେଷକରି ଦୁଇ ପ୍ରମୁଖ ନଦୀ ମହାନଦୀ ଓ ତେଲନଦୀରେ ଗ୍ରୀଷ୍ମ ସମୟରେ ଜଳପ୍ରବାହ କମିବା ଚିନ୍ତାର କାରଣ ପାଲଟିଲାଣି। ନଦୀଶଯ୍ୟା ବାଲିରେ ପୋତି ହେଉଥିବାବେଳେ ବାଲି ଓ ପଥରର ବିକିରଣ ଯୋଗୁଁ ଗ୍ରୀଷ୍ମଋତୁରେ ଉତ୍ତାପ ବୃଦ୍ଧି ପାଉଥିବା ପରିବେଶବିତ୍ ମତ ରଖୁଛନ୍ତି। ସୁକତେଲନଦୀ କେବଳ ବର୍ଷା ଋତୁ ଛାଡ଼ିଦେଲେ ଅନ୍ୟ ଦିନରେ ଶୁଖିଲା ପଡୁଛି। ନଦୀ, ଯୋର, ନାଳମାନଙ୍କରେ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଜିଲ୍ଲାରେ ଜଳସଙ୍କଟ ମଧ୍ୟ ଦେଖାଦେଇଛି। ନଦୀ ନାଳମାନଙ୍କରେ ଜଳ ଧାରଣ କ୍ଷମତା କମିବା ଦ୍ବାରା କୃଷି କ୍ଷେତ୍ର ଧୀରେ ଧୀରେ ପ୍ରଭାବିତ ହେଲାଣି। ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ ଓ ମତ୍ସ୍ୟଜୀବୀ। ସେହିଭଳି ଜିଲ୍ଲାରେ ବ୍ୟାପକ ଜଙ୍ଗଲହାନି ଯୋଗୁଁ ଆଗାମୀ ଦିନରେ ସୋନପୁର ମରୁଭୂମି ପାଲଟିବା ନେଇ ପରିବେଶବିତମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଜିଲ୍ଲାର ଜନସଂଖ୍ୟା ଆଧାରରେ ୩୩ ଭାଗ ଜଙ୍ଗଲ ରହିବା କଥା। ମାତ୍ର ଏବେ ୧୮ ପ୍ରତିଶତ ଜଙ୍ଗଲ ଅଛି । ପ୍ରତିବର୍ଷ ଜିଲ୍ଲାରେ କୋଟି କୋଟି ଟଙ୍କା ବ୍ୟୟରେ ବନୀକରଣ ହେଉଛି, ହେଲେ ଆବଶ୍ୟକ ସୁରକ୍ଷା ଅଭାବରୁ ନୂତନ ଜଙ୍ଗଲ ସୃଷ୍ଟି ଆଦୌ ଆଶାନୁରୂପ ନୁହଁ। ରାଜା ରାଜୁଡ଼ା ଅମଳରୁ ଜିଲ୍ଲା ସଦର ମହକୁମାରେ ୮୫ ଏକର ପରିମିତ ୯୫ଟି ଜଳଉତ୍ସ ରହିଥିଲା। ଏହି ଜଳଉତ୍ସ ସେହି ସମୟରେ ସହରର ଉତ୍ତାପ ନିୟନ୍ତ୍ରଣ କରିବାର ମାଧ୍ୟମ ସାଜିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମିଳୁଥିବା ତଥ୍ୟ ଅନୁସାରେ, ଜିଲ୍ଲା ଗଠନ ପରେ ସଦର ମହକୁମାରେ ଅନେକ ଜଳଉତ୍ସ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। କେତେକ ସେଠାରେ ଘର ନିର୍ମାଣ କରି ରହିଲେଣି। ବର୍ତ୍ତମାନ ମାତ୍ର ହାତ ଗଣତି କେତୋଟି ଜଳଉତ୍ସ ରହିଛି। ଏସବୁ ଧୀରେ ଧୀରେ ପୋତି ହେଲାଣି। ମାତ୍ର ପ୍ରଶାସନ ପୁନୁରୁଦ୍ଧାର କରିବାକୁ ଭୁଲିଯାଇଛି। ଗୋଟିଏ ପଟରେ ଜନବସତି ବଢ଼ିବା, ଅନ୍ୟ ପଟରେ ସଦର ମହକୁମାରେ ଜଳଉତ୍ସ କମିବା ଉତ୍ତାପ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି। ଜିଲ୍ଲାରେ ପଞ୍ଚାୟତ ପୋଖରୀ ଆଦିକୁ ମିଶାଇ ୪ ହଜାର ୬୪୨ଟି ପୋଖରୀ ରହିଛି। ଅଧିକାଂଶ ପୋଖରୀ ଗ୍ରୀଷ୍ମ ଋତୁରେ ଶୁଖିଲା ପଡୁଛି। ବ୍ୟାପକ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ଏହାର ସଦ୍ବିନିଯୋଗ ହେଉନାହିଁ। କେବଳ ସେତିକି ନୁହେଁ, ମନରେଗା ତଥା ଅନ୍ୟାନ୍ୟ ଯୋଜନାରେ ପୋଖରୀଗୁଡ଼ିକର ପୁନରୁଦ୍ଧାର ହୋଇପାରୁନାହିଁ ବା ପ୍ରଶାସନ ଏ ଦିଗରେ ଉଦ୍ୟମ କରୁନାହିଁ। ପରିଣାମ ସ୍ବରୁପ ଗ୍ରାମାଞ୍ଚଳରେ ମଧ୍ୟ ଜଳସଙ୍କଟ ଦେଖା ଦେବା ସହ ଉତ୍ତାପ ବୃଦ୍ଧି ଘଟୁଛି। ଜିଲ୍ଲାର ଏଭଳି ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ବେଳହୁଁ ଏହାର ଉଚିତ ପ୍ରତିକାର ବ୍ୟବସ୍ଥା କରାନଗଲେ ଆଗକୁ ଏହି ଜିଲ୍ଲା ସ୍ଥିତି ଗମ୍ଭୀର ହୋଇପାରେ ବୋଲି ପରିବେଶବିତ୍ ଆଶଙ୍କା ପ୍ରକାଶ କରୁଛନ୍ତି।
[ad_2]