ଓଡିଶା

ମାତିଛନ୍ତି ନିଶା ବେପାରୀ: କଫ ସିରପ୍‌ ବେପାର ବେଲଗାମ୍‌ – bajravana

[ad_1]

କଟକ: ପଶ୍ଚିମ ଓଡ଼ିଶା ସହ କଟକ ସହର ଓ କଟକ ଉପକଣ୍ଠ ଅଞ୍ଚଳକୁ ଗ୍ରାସ କରିବାକୁ ବସିଛି କଫ୍ ସିରପ୍ ନିଶା। ମେଘାଳୟ ଓ ହିମାଚଳପ୍ରଦେଶରେ ପ୍ରସ୍ତୁତ କୋଡିନ୍ ଫସଫେଟ୍ ମିଶ୍ରିତ କଫ୍ ସିରପ୍ ନିଷିଦ୍ଧ ସତ୍ତ୍ବେ କଟକରୁ ଲଗାତର ତିନି ବର୍ଷରେ ତିନି ଥର ଏହା ଜବତ ହେବା ଘଟଣା ଏବେ କମିସନରେଟ୍ ପୁଲିସ ପାଇଁ ଚିନ୍ତା ବଢ଼ାଇଛି। ପୂର୍ବରୁ ଏ ପ୍ରକାର ନିଶା ସାଧାରଣତଃ ଚାଲାଣ ହେଉନଥିଲା। କିନ୍ତୁ ୧୦୦ ଟଙ୍କାରେ ୧୦୦ ଏମଏଲ୍ କଫ୍ ସିରପ୍ ମିଳି ଯାଉଥିବାରୁ ଯୁବପୀଢ଼ିଙ୍କ ମଧ୍ୟରେ ଏଭଳି ନିଶାକୁ ନେଇ ଆଗ୍ରହ ବଢ଼ିବାରେ ଲାଗିଥିବା କୁହାଯାଉଛି। କଟକକୁ ଚାଲାଣ ପଛରେ ପଶ୍ଚିମବଙ୍ଗର ଲିଙ୍କ୍‌ ସବୁଥର ସାମନାକୁ ଆସୁଛି।

ଭାରତ ସରକାର ୨୦୧୬ ମାର୍ଚ୍ଚ ୧୦ରେ ଦେଶରେ କୋଡିନ୍ ଫସଫେଟ୍ ମିଶ୍ରିତ କଫ୍ ସିରପ୍‌ ପ୍ରସ୍ତୁତି ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ। ଏଥିରେ ନିଶାର ମାତ୍ରା ଅଧିକ ରହୁଥିବାରୁ ଏହା ଶରୀର ଉପରେ କୁପ୍ରଭାବ ପକାଉଥିବା ଜଣାଯାଇଥିଲା। ସରକାରୀ ଭାବେ ଏହା ବନ୍ଦ ହୋଇଯିବା ପରେ କଫ କମାଇବା ପାଇଁ ଏହାକୁ ସେବନ କରିବାକୁ ଡାକ୍ତର ପରାମର୍ଶ ଦେଉ ନାହାନ୍ତି। କିନ୍ତୁ ଏଥିରେ ଥିବା ନିଶାର ମାତ୍ରା ଏବେ ନିଶା ମାଫିଆଙ୍କ ପାଇଁ ବଡ଼ ବ୍ୟବସାୟର ମାଧ୍ୟମ ପାଲଟିଛି। ୧୦୦ ଏମଏଲ୍ ‘କୋରେକ୍ସ କଫ୍ ସିରପ୍ ୧୨୩ରୁ ୧୪୫ ଟଙ୍କାରେ ମିଳିଯାଉଥିବା ବେଳେ ‘ଓ୍ୱିନସରେକ୍ସ କଫ ସିରପ୍ ୮୦ରୁ ୯୫ ଟଙ୍କା ଏବଂ ‘ଏସକଫ୍ କଫ ସିରପ୍ ୮୨ରୁ ୯୦ ଟଙ୍କାରେ ମିଳିଯାଉଛି। ଅଳ୍ପ ମୂଲ୍ୟରେ ଏହି କଫ୍ ସିରପ୍ ମିଳିଯାଉଥିବାରୁ ଏହାକୁ ବେଆଇନ ଭାବେ କମ୍ପାନି ପ୍ରସ୍ତୁତ କରି ଓଡ଼ିଶା ବଜାରକୁ ଚାଲାଣ କରୁଛି। ଏ ପ୍ରକାର ଔଷଧ କାରଖାନା ହିମାଚଳପ୍ରଦେଶ ଓ ମେଘାଳୟର ପାର୍ବତ୍ୟାଞ୍ଚଳରେ ପ୍ରସ୍ତୁତ ହେଉଛି। ସେଠାରୁ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ବଜାରକୁ ଚାଲାଣ ହେଉଛି। ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ସେଠି କଲିକତାର କାଳୀଘାଟ ଅଞ୍ଚଳରେ ଥିବା ଗୋଦାମରେ ଠୁଳ ହେଉଛି। ସେଠାରୁ କଟକ-କଲିକତା ବସ୍ ଯୋଗେ କଟକ ଓଏମପି, ବାଦାମବାଡ଼ି ବସଷ୍ଟାଣ୍ଡରେ ପହଞ୍ଚୁଛି।

ସେଠାରୁ କଟକ ସହର ସମେତ ପଡ଼ୋଶୀ ଜିଲ୍ଲାକୁ ଚାଲାଣ ହେଉଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଗୋଟିଏ ପଟେ କୋଡିନ୍ ଫସପେଟ୍ ନିଶିଦ୍ଧ ହୋଇଥିବା ବେଳେ ଏହି ପ୍ରକାର କଫ୍ ସିରପରେ ଅଧିକ ନିଶା କରିବା ପାଇଁ ନିଶା ମାଫିଆ ‘ଆଲଜୋଲମା ୦.୨୫ ସହିତ ‘ନାଇଟ୍-୧୦ ନାଁରେ ଦୁଇ ପ୍ରକାର ସ୍ଲିପିଂ ପିଲ୍(ନିଦ ବଟିକା) ମିଶାଉଛନ୍ତି। କୋଡିନ୍ ଫସପେଟ୍ ମିଶ୍ରିତ କଫ ସିରପ ଭଳି ଏହି ଦୁଇ ପ୍ରକାର ନିଶା ବଟିକା ବି ଚୋରା କାରବାର ହେଉଛି। ଝାଡ଼ଖଣ୍ଡରୁ କେନ୍ଦୁଝର ରାସ୍ତାରେ କଟକ ସମେତ ପଡ଼ୋଶୀ ଜିଲ୍ଲାକୁ ବିପୁଳ ପରିମାଣର ଚାଲାଣ ହେଉଛି। ଏ ପ୍ରକାର କାରବାରରେ କଟକ ସହର ସମେତ ସମ୍ବଲପୁର ଝଙ୍କାରପଡ଼ା, ବରଗଡ଼ର ବିସିପଡ଼ା, ବଲାଙ୍ଗୀର ଜିଲ୍ଲା କାଣ୍ଟାବାଞ୍ଝି, ବେଲପଡ଼ା ସଦର ଅଞ୍ଚଳ, ବରଗଡ଼ ଜିଲ୍ଲା ଅତାବିରା, ମୟୁରଭଞ୍ଜ ଜିଲ୍ଲା ବାରିପଦା, ଖୋର୍ଧାକୁ ଚାଲାଣ ହେଉଛି। ସେହିଭଳି ଏହା ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ମେଘାଳୟ ଓ ମିଜୋରାମ ସୀମାକୁ ଲାଗିଥିବା ବାଙ୍ଗଲାଦେଶକୁ ବି ଚାଲାଣ ହେଉଛି। ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ଏଭଳି କଫ୍ ସିରପ୍ ଚାଲାଣ ଘଟଣାକୁ ଏନଆଇଏ ଭଳି ଜାତୀୟ ଏଜେନ୍ସି ଗୁରୁତ୍ବର ସହିତ ଗ୍ରହଣ କରିଥିବା ବେଳେ ଏହି ନିଶା ମାଫିଆଙ୍କୁ ସ୍କାନରରେ ରଖିଥିବା ଓଡ଼ିଶା ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

୨୦୨୦, ନଭେମ୍ବର ୧ରେ କଟକ ମର୍କତନଗର ଥାନା ଅଞ୍ଚଳରୁ ୪ ଲକ୍ଷ ଟଙ୍କାର ନିଷିଦ୍ଧ କଫ ସିରପ୍ ‘ଏସକଫ ଜବତ ଘଟଣାରେ ଚୌଦ୍ବାରର ଔଷଧ ଦୋକାନୀ ଦିଲ୍ଲୀପ କୁମାର ସାହୁ ଓ ସହଯୋଗୀ କୁଳମଣି ମିଶ୍ର ଓରଫ କୁଲୁକୁ ଗିରଫ କରାଯାଇଥିଲା। ହିମାଚଳପ୍ରଦେଶର ଲାବୋରେଟ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡିଆ ଲିମିଟେଡରୁ ‘ଏସକଫ ଆସିଥିବା ପ୍ରମାଣ ମିଳିଥିଲା। ୨୦୨୨ ଜାନୁଆରି ୨୯ରେ ମଧୁପାଟଣା ଥାନା କାଜିଡ଼ିହରୁ ୪ ଲକ୍ଷ ୭୪ ହଜାର ଟଙ୍କାର ‘ଏସକଫ କଫ ସିରପ୍ ମାମଲାରେ ରାଜେନ୍ଦ୍ରନଗରର ବିଶ୍ବଜିତ ଦାସକୁ ପୁଲିସ ଗିରଫ କରିଥିଲା। ଚଳିତ ମାସ ୧୩ ତାରିଖରେ ଚାଉଳିଆଗଞ୍ଜ ଥାନା ପୁଲିସ ଓଏମପି ଛକ ନିକଟରେ ଦୁଇ କଫ ସିରପ୍ ବ୍ୟବସାୟୀ କେନ୍ଦ୍ରାପଡ଼ାର ବିକି ଓରଫ ମେଘାଳୟ ମଲ୍ଲିକ ଓ ପଶ୍ଚିମବଙ୍ଗର ଶିତଲ ଦେଙ୍କୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ କଲିକତାର କାଳୀଘାଟରୁ ଚାଲାଣ ହେଉଥିବା ଏହି ‘ଓ୍ୱିନସରେକ୍ସ କଫ ସିରପର ମୂଲ୍ୟ ୧ ଲକ୍ଷ ୭ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏହି ତିନୋଟି ମାମଲାରେ ମୋଟ ୯ ଲକ୍ଷ ୮୧ ହଜାର ଟଙ୍କାର କଫ ସିରପ୍ ଜବତ ହୋଇଥିବା ସୂଚନା ମିଳିଛି।

ସିଟି ହସପିଟାଲ୍ ଅଧୀକ୍ଷକ ଡାକ୍ତର ସୁଧାଂଶୁ ଗିରିଙ୍କ କହିବା ଅନୁଯାୟୀ, ଏହି କଫ ସିରପରେ କୋଡିନ୍ ଫସଫେଟ୍ ଥିବାରୁ ଏହାକୁ ନିଷେଧ କରାଯାଇଛି। ଏହାକୁ ସେବନ କଲେ ଯଦିଓ ଏହା କଫକୁ କମ୍ କରେ, କିନ୍ତୁ ନିଶା କରାଇଦିଏ। ମସ୍ତିଷ୍କ ଉପରେ ଏହା ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥାଏ। ଶରୀରକୁ ମାନ୍ଦା କରାଇଥାଏ। ନିଶା ପାଇଁ ଏହାକୁ ଏବେ ବ୍ୟବହାର କରାଯାଉଛି। କଫରୁ ଉପଶମ ପାଇଁ ଏହାକୁ ଡାକ୍ତର ଆଦୌ ସେବନ କରିବାକୁ ଆଉ ପରାମର୍ଶ ଦେଉ ନାହାନ୍ତି। ତେଣୁ ଏଥିରୁ ଦୂରେଇ ରହିବା ନିହାତି ଆବଶ୍ୟକ ବୋଲି ଡାକ୍ତର ଗିରି ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button