ଓଡିଶା

ତନଖି ଫାଟକ ଉଠିଯିବା ପରେ କାଠମାଫିଆ ସକ୍ରିୟ: ଧ୍ବଂସ କରିଦେବେ ଦଶପଲ୍ଲା ଜଙ୍ଗଲ – bajravana

[ad_1]

ପ୍ରଫୁଲ୍ଲ କୁମାର ପଣ୍ଡା

ଦଶପଲ୍ଲା: ଘଞ୍ଚ ଜଙ୍ଗଲର ଛାତି ଉପରେ ରାଜ୍ କରୁଛନ୍ତି ମାଫିଆ। ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛକାଟି ଜଙ୍ଗଲର ସବୁଜ ବନାନୀକୁ ଧ୍ବସ୍ତବିଧ୍ବସ୍ତ କରୁଛନ୍ତି। ହେଲେ ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ବା ବାଧାବିଘ୍ନ ନାହିଁ। ଆବଶ୍ୟକ ବନ କର୍ମଚାରୀ ଅଭାବ ସାଙ୍ଗକୁ ରାଜପଥ ଉପରେ ରହିଥିବା ତନଖି ଫାଟକ ଉଠିଯିବା ଫଳରେ ଜଙ୍ଗଲ ଲୁଟ୍ କରିବା ମାଫିଆଙ୍କ ପାଇଁ ଅଧିକ ସହାୟକ ହୋଇପଡ଼ିଛି। ଘଞ୍ଚ ଜଙ୍ଗଲରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରାସ୍ତା ସାହାଣମେଲା ପାଲଟିଛି। ଯେଉଁ କିଛି ବନ କର୍ମଚାରୀ ଜଙ୍ଗଲ ଜଗିବା ଦିଗରେ ନିୟୋଜିତ ହୋଇଛନ୍ତି ଅଧିକାଂଶ କର୍ମଚାରୀ ସଞ୍ଜ ନଇଁବା ପରେ ସହରମୁହାଁ ହେଉଛନ୍ତି। ଫଳରେ ମାଫିଆମାନେ ନିର୍ଦ୍ବନ୍ଦ୍ବରେ ମୂଲ୍ୟବାନ କାଠ କାଟି ଦଶପଲ୍ଲା ଜଙ୍ଗଲରୁ ବିଭିନ୍ନ ସହର ବଜାରକୁ ଚାଲାଣ କରୁଛନ୍ତି। ବିଶେଷକରି ଦେଖିବାକୁ ଗଲେ ଜଙ୍ଗଲଜାତ ଦ୍ରବ୍ୟଠାରୁ ଆରମ୍ଭ କରି ବିଭିନ୍ନ ଚୋରା ଚାଲାଣ ରୋକିବା ଦିଗରେ ଜାତୀୟ ରାଜପଥ ଉପରେ ବନବିଭାଗ ପକ୍ଷରୁ ତନଖି ଫାଟକ ବା ଚେକ୍‌ପୋଷ୍ଟ ନିର୍ମାଣ କରାଯାଇଥିଲା। ବନ କର୍ମଚାରୀଙ୍କ ୨୪ ଘଣ୍ଟିଆ ଯାଞ୍ଚ ଦ୍ବାରା ଚୋରାଚାଲାଣକୁ ଅନେକ ମାତ୍ରାରେ ରୋକା ଯାଇପାରୁଥିଲା। ହେଲେ ଏହାକୁ ଉଠାଇ ଦିଆଯିବା ଦ୍ବାରା ଦଶପଲ୍ଲା ବନାଞ୍ଚଳରେ ବ୍ୟାପକ ମାତ୍ରାରେ ମାଫିଆଙ୍କ ରାଜୁତି ବଢ଼ିବା ସାଙ୍ଗକୁ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳ ଉପରେ ନଜର ପକାଇଲେ ଦଶପଲ୍ଲା ବନାଞ୍ଚଳ ହେଉଛି ପ୍ରମୁଖ ତଥା ବଡ଼ ବନାଞ୍ଚଳ। ୬ଟି ସେକ୍ସନ ସାଙ୍ଗକୁ ୨୪ଟି ବିଟ୍ ହାଉସ୍‌ ରହିଛି। ହେଲେ ୬ ଜଣ ବନାଞ୍ଚଳ ରହିଥିବା ବେଳେ ୨୪ଟି ବିଟ୍ ପାଇଁ ମାତ୍ର ୧୨ ଜଣ ବନରକ୍ଷୀ ରହିଥିବା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି। ମୁଖ୍ୟତଃ ଭୌଗୋଳିକ ଦୃଷ୍ଟିକୋଣ ଉପରେ ନଜର ପକାଇଲେ ଦଶପଲ୍ଲା ସହରଟି ରାଜ୍ୟର ଚତୁର୍ପାର୍ଶ୍ବକୁ ସଂଯୋଗ କରୁଛି। ଏସବୁକୁ ଦୃଷ୍ଟିରେ ରଖି ଦଶପଲ୍ଲାରୁ ବୌଦ୍ଧ ଏବଂ କନ୍ଧମାଳକୁ ସଂଯୋଗ କରୁଥିବା ରାସ୍ତାର ବାଣିଗୋଛା, ଦଶପଲ୍ଲାରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର ପଙ୍କୁଆ, ଦଶପଲ୍ଲାରୁ ନୟାଗଡ଼ ଏବଂ ଭୁବନେଶ୍ବରକୁ ସଂଯୋଗ କରୁଥିବା ରାସ୍ତାର ତ୍ରିନାଥ ଛକ, ଦଶପଲ୍ଲାରୁ କଟକ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାର କୃଷ୍ଣପଲ୍ଲୀଠାରେ ତନଖି ଫାଟକ ରହିଥିଲା। ଯାହାଦ୍ବାରା ଦଶପଲ୍ଲା ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରାଚାଲାଣ କରିବାରେ ମାଫିଆଙ୍କ ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ଏହି ତନଖି ଫାଟକ ସହାୟତାରେ ବନବିଭାଗଠାରୁ ଆରମ୍ଭ କରି ପୁଲିସ ଏବଂ ଅବକାରୀ ବିଭାଗକୁ ଅନେକ ସଫଳତା ମିଳୁଥିଲା।

୨୦୧୮ ମସିହାରେ ରାଜ୍ୟର ସମସ୍ତ ତନଖି ଫାଟକକୁ ଉଠାଇ ଦିଆଯିବା ଦ୍ବାରା ମାଫିଆମାନେ ଅଧିକ ସକ୍ରିୟ ହେବାସହ ଜଙ୍ଗଲ ଧ୍ବଂସ ପାଇବାର ମୁଖ୍ୟ କାରଣ ପାଲଟିଛି। ହେଲେ ଏସବୁ ଚୋରାଚାଲାଣକୁ ହୃଦୟଙ୍ଗମ କରି ଗତ ୨ ବର୍ଷ ତଳେ ତତ୍କାଳୀନ ବନଖଣ୍ତ ଅଧିକାରୀ ଏଚ୍‌.ଡି ଧନରାଜ୍ ଦଶପଲ୍ଲାରେ ତନଖି ଫାଟକ ସ୍ଥାପନ କରିବାକୁ ଯୋଜନା କରାଯାଇଥିବା କହିଥିଲେ। ହେଲେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନଥିବା ହେତୁ ଘଞ୍ଚ ଜଙ୍ଗଲରେ ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button