ଖେଳ ଖବର

ବୋଲରଙ୍କ ପରାକ୍ରମ, ରୋହିତଙ୍କ ବିସ୍ଫୋରଣ: ପାକିସ୍ତାନ ଧରାଶାୟୀ – bajravana

[ad_1]

ବିଶ୍ବକପ୍‌ରେ ଥରେ ବି ଜିତିପାରିଲାନି, ଏଥର ୭ ୱିକେଟ୍‌ରେ ପରାସ୍ତ

ଅହମଦାବାଦ: ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ମହା‌ଲଢ଼େଇରେ ମହାବିଜୟ ହାସଲ କରିଛି ଭାରତ। ଅପୂର୍ବ ଏକାଗ୍ରତା ଏବଂ ଅସାଧାରଣ ବୋଲିଂ ତଥା ବ୍ୟାଟିଂ ପରାକାଷ୍ଠା ଦେଖାଇ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ୱି‌କେଟ୍‌ରେ ହରାଇଛି। ଏହାସହିତ ପାଖାପାଖି ୧୦ ଦିନ ପୂର୍ବରୁ ଦେଶବାସୀଙ୍କୁ ଦଶହରା ଭେଟି ଦେଇଛି। ଭାରତର ଏହି ସ୍ମରଣୀୟ ବିଜୟ ପରେ ସାରାଦେଶରେ ଖୁସିର ଲହରି ଖେଳିଯାଇଛି। ଏପରିକି ଅହମଦାବାଦରେ ଭାରତୀୟ ପ୍ରଶଂସକ ଆଗୁଆ ଦୀପାବଳି ପାଳିଛନ୍ତି। ଶନିବାର ଭାରତୀୟ ବୋଲରଙ୍କ ପରାକ୍ରମୀ ବୋଲିଂରେ ଘାଇଲା ହୋଇ ପାକିସ୍ତାନ ମାତ୍ର ୧୯୧ ରନ୍‌ରେ ଅଟକି ଯାଇଥିଲା। ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୧୧୭ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚଳିତ ଏକଦିବସୀୟ ବିଶ୍ବକପ୍‌ର ସବୁଠାରୁ ବଡ଼ ମୁକାବିଲାକୁ ଏକତରଫା ଭାବେ ଜିତି ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ବିଜୟ ପରିସଂଖ୍ୟାନକୁ ଭାରତ ମଧ୍ୟ ୮-୦କୁ ବଢ଼ାଇଛି। ନିଜ ଅନନ୍ୟ କ୍ରିକେଟ୍ ଇତିହାସରେ ଆଉ ଏକ ସୁନେଲି ସୋପାନ ଯୋଡ଼ିଛି। ୧୯୯୨ ମସିହାରେ ଆରମ୍ଭ ହୋଇଥିବା ଭାରତ-ପାକିସ୍ତାନ ବିଶ୍ବକପ୍‌ ମହାମୁକାବିଲାର ସବୁ ମ୍ୟାଚ୍ ଭାରତ ଜିତିଥିଲା ବେଳେ ପାକିସ୍ତାନ ହାତ ଏବେ ବି ଖାଲି ରହିଛି।

ବିଶ୍ବକପ୍‌ରେ ଥରେ ବି ଜିତିପାରିଲାନି
ଏଥର ୭ ୱିକେଟ୍‌ରେ ପରାସ୍ତ
ବୁମ୍‌ରା ଶ୍ରେଷ୍ଠ ଖେଳାଳି
ବିଶ୍ବକପ୍‌ରେ ଭାରତର ହ୍ୟାଟ୍ରିକ୍‌

ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଉପସ୍ଥିତ ପାଖାପାଖି ଦେଢ଼ ଲକ୍ଷ ଦର୍ଶକ ଏବଂ ଦେଢ଼ ଶହ କୋଟି ଭାରତୀୟଙ୍କ ଆଶା, ଆକାଂକ୍ଷା ତଥା ଆଶୀର୍ବାଦ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଟସ୍ ପଡ଼ିବାଠାରୁ ଶେଷ ବଲ୍‌ ପର୍ଯ୍ୟନ୍ତ, ପୂରା ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା ଘରୋଇ ଦଳ। ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ବରେ ପାକିସ୍ତାନକୁ ୪୨.୫ ଓଭରରେ ମାତ୍ର ୧୯୧ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ପରେ ରୋହିତଙ୍କ ଛକା ବର୍ଷା ସହ ଶ୍ରେୟସ ଆୟରଙ୍କ ଦାୟିତ୍ବବାନ ଅର୍ଦ୍ଧଶତକ ବଳରେ ୩୦.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ୭ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ୧୯ ରନ୍ ଦେଇ ପାକିସ୍ତାନର ଦୁଇଟି ପ୍ରମୁଖ ୱିକେଟ୍ କରାୟତ୍ତ କରିଥିବା ବୁମ୍‌ରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନକୁ ହରାଇଥିବା ରୋହିତ ବାହିନୀ ଲଗାତାର ତିନିଟି ମ୍ୟାଚ୍ ଜିତି ଚଳିତ ବିଶ୍ବକପ୍‌ରେ ହ୍ୟାଟ୍ରିକ୍ ବିଜୟ ପାଇବା ସହ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ସବୁଦିଗରୁ ବିଫଳ ହୋଇ ଶୋ‌ଚନୀୟ ପରାଜୟ ବରଣ କରିଥିବା ପାକିସ୍ତାନ ତୃତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ବରଣ କରି ବିଯୁକ୍ତାତ୍ମକ ରନ୍ ହାରକୁ ଖସିଛି। ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ ୧୯ ତାରିଖରେ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ଖେଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button