ଖରିଫ୍ ରିପୋର୍ଟ: ବର୍ଷାର ଲୁଚକାଳି ଖେଳ ସତ୍ତ୍ବେ ଚାଷ ସ୍ବାଭାବିକ – bajravana
[ad_1]
ମକା, କପା ଫସଲ ବୃଦ୍ଧି, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଧାନ ହୋଇଛି
ଭୁବନେଶ୍ବର: ଜୁନ ମାସ ବେଳକୁ ମାଟି ଫାଟି ଆଁ ହୋଇଯାଇଥିଲା। ବିଳମ୍ବିତ ମୌସୁମୀ, ଜୁନ ମାସରେ ୩୮%କମ ବର୍ଷା ଯୋଗୁଁ ଚାଷୀଙ୍କ ସମେତ ରାଜ୍ୟବାସୀଙ୍କ ଚିନ୍ତା କାହିଁରେ କେତେ ବଢିଯାଇଥିଲା। ଜୁଲାଇ ମାସରେ ସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ଅଗଷ୍ଟ ମାସରେ ପୁଣି ହାରାହାରି ଠାରୁ କମ୍ ବର୍ଷିଲା। ଏଥିଯୋଗୁଁ ଚାଷୀ ସଅଳ କିସମ ଜରିଆରେ ଚାଷ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଲେ। ଏଣେ ସେପ୍ଟେମ୍ବରରେ ବର୍ଷାର ପରିମାଣ ଅଧିକ ରହିଲା। ତେଣୁ ଆଶଙ୍କା ଥିଲା ଚଳିତ ବର୍ଷ କୃଷି କ୍ଷେତ୍ରରେ ରାଜ୍ୟ ବିପର୍ଯ୍ୟୟ ସମ୍ମୁଖୀନ ହେବ। କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି ଖରିଫ୍ ରିପୋର୍ଟ। ଚଳିତ ବର୍ଷ ଉଭୟ ଧାନ ଏବଂ ଅଣଧାନ କ୍ଷେତ୍ରରେ ଖରିଫ୍ର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରାଯାଇଥିବା କୃଷି ବିଭାଗ ଦାବି କରିଛି।
ବିଭାଗ କହିଛି, ଚଳିତ ବର୍ଷ ଖରିଫ୍ ସମୟରେ ୬୦.୫୦ ଲକ୍ଷ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୫୯.୩୫ ଲକ୍ଷ ହେକ୍ଟର ଚାଷ କରାଯାଇଛି। ଏଥିରୁ ଧାନ ୩୪.୫ ଲକ୍ଷ ହେକ୍ଟର, ମକା ୨.୭ ଲକ୍ଷ ହେକ୍ଟର, ଡାଲିଜାତୀୟ ୬ ଲକ୍ଷ ହେକ୍ଟର, ତୈଳବୀଜ ୨.୨ ଲକ୍ଷ ହେକ୍ଟର, ତନ୍ତୁ ୨.୫ ଲକ୍ଷ, ପରିବା ୭.୫ ଲକ୍ଷ ଏବଂ ମସଲା ୧.୨ ଲକ୍ଷ ହେକ୍ଟରର ଚାଷ କରାଯାଇଛି। କୃଷି ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, ଧାନ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଅଟେ। ହେଲେ ପ୍ରତିବର୍ଷ ଧାନ ଉତ୍ପାଦନ କମ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହି ଦୃଷ୍ଟିରୁ ଗତବର୍ଷ ଠାରୁ ଚଳିତ ବର୍ଷ ୬୦ ହଜାର ହେକ୍ଟର କମ ଧାନ ଚାଷ କରାଯାଇଛି। ଏବଂ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଚାଷ ହୋଇଛି।
ମକା, କପା ଫସଲ ବୃଦ୍ଧି, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଧାନ ହୋଇଛି
ରବିରେ ୧୭ ଲକ୍ଷ ପଡ଼ିଆ ଜମିରେ ଅଣଧାନ ଚାଷ ପାଇଁ ଲକ୍ଷ୍ୟ
ଏହି ତଥ୍ୟ ଅନୁସାରେ, ମାଲକାନଗିରି, ମୟୂରଭଞ୍ଜ ସମେତ ୧୦ଟି ଜିଲ୍ଲାରେ ପ୍ରଥମ କରି ୨୦ ହଜାର ହେକ୍ଟର ବାସ୍ନା ଧାନ କରାଯାଇଛି। ମକା ଏବଂ କପା ଯଥାକ୍ରମେ ୨୦ ହଜାର ହେକ୍ଟର ଲେଖାଏ, ମିଲେଟ୍ରେ ୩୦ ହଜାର ହେକ୍ଟର ଅଧିକ ଫସଲ ହୋଇଛି। ମକାରେ ନବରଙ୍ଗପୁର, କଳାହାଣ୍ଡିରେ କପା ଚାଷରେ ଅଧିକ ସଫଳତା ହାସଲ କରିଛି। ଚଳିତ ବର୍ଷ ୩୦ ଜିଲ୍ଲାରେ ଏକାସହିତ ମାଣ୍ଡିଆ ଚାଷ କରାଯାଇଛି। ତେଣୁ ସେହି ଦୃଷ୍ଟିରେ ଜିଲ୍ଲାକୁ ସଫଳତାକୁ ମିଳିଛି। ଏଥିପାଇଁ ମାଲକାନଗିରିକୁ ଅଧିକ ଗୁରୁତ୍ବ ଦିଆଯାଉଛି। ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବା ଅନୁସାରେ, ଉପକୂଳବର୍ତ୍ତୀ ଜିଲ୍ଲା ବ୍ୟତୀତ ନବରଙ୍ଗପୁର, କୋରାପୁଟ ଭଳି ଅଞ୍ଚଳରେ ଚାଷର ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଥାଏ। ତେଣୁ ସେଠାରେ ବର୍ଷା କମ ହେଲେ ମଧ୍ୟ ଫସଲକୁ ଏତେ ଅଧିକ ପ୍ରଭାବିତ କରିପାରେ ନାହିଁ। ୨୦୨୧ ମସିହାରେ କମ ବର୍ଷା ହୋଇଥିଲେ ମଧ୍ୟ ସେହି ବର୍ଷ ୨୦୦୯ ପରେ ସର୍ବାଧିକ ଚାଉଳ ଉତ୍ପାଦିତ ହୋଇଥିଲା। ଖରିଫ୍ ପରେ ବର୍ତ୍ତମାନ ରବି ଚାଷ ପାଇଁ ରଣନୀତି ପ୍ରସ୍ତୁତ ଆରମ୍ଭ ହେଲାଣି। ରବିରେ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା- ରାଜ୍ୟରେ ୧୭ ଲକ୍ଷରୁ ଅଧିକ ହେକ୍ଟର ଚାଷ ଜମି ପଡ଼ିଆ ପଡ଼େ। ତେଣୁ ସେହି ସ୍ଥାନରେ ଡାଲି ଏବଂ ତୈଳବୀଜ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ରବିରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳସେଚନ ବୃଦ୍ଧି ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାପରେ ଏହି ଅଞ୍ଚଳରେ ଅଣଧାନ ଚାଷ ଅଧିକ ହୋଇ ପାରିବ ବୋଲି ବିଭାଗୀୟ ଅଧିକାରୀ ମତ ଦେଇଛନ୍ତି।
[ad_2]