ଖେଳ ଖବର

ମଲାନଙ୍କ ଶତକ; ଇଂଲଣ୍ଡର ପ୍ରଥମ ବିଜୟ – bajravana

[ad_1]

କ୍ୟାଲେଣ୍ଡର୍ ବର୍ଷରେ ଇଂଲଣ୍ଡ ପାଇଁ ସର୍ବାଧିକ ଶତକ ଅର୍ଜନ କଲେ ମଲାନ

ଧର୍ମଶାଳା: ଦାୱିଦ ମଲାନଙ୍କ ଶତକୀୟ ପାଳି ପରେ ରିସ୍‌ ଟପଲେଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ଚଳିତ ଦିନିକିଆ ବିଶ୍ବକପ୍‌ରେ ବାଂଲ‌ାଦେଶକୁ ୧୩୭ ରନ୍‌ରେ ପରାସ୍ତ କରି ପ୍ରଥମ ବିଜୟ ପାଇଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୬୫ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୨୨୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଲିଟନ ଦାସ (୭୬) ଗୋଟିଏ ପଟରୁ ରନ୍‌ ଗତି ବଢ଼ାଉଥିଲା ବେଳେ ଅନ୍ୟ ପଟରୁ ଟପଲେ ୬ ଓଭର ମଧ୍ୟରେ ତାଂଜିଦ ହାସନ, ନଜମୁଲ ହୋସେନ ‌ସ‌ାଣ୍ଟୋ ଓ ସାକିବ ଅଲ ହାସନଙ୍କୁ ଆଉଟ୍‌ କରି ବିପର୍ଯ୍ୟୟ ଘଟାଇଥିଲେ। ମଧ୍ୟକ୍ରମରେ ମୁସଫିକର ରହିମ ଓ ତୋହିଦ ହୃଦୟ ଷଷ୍ଠ ୱିକେଟ୍‌ରେ ୪୩ ରନ୍‌ ଯୋଡ଼ିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା। ଶେଷରେ ବାଂଲାଦେଶ ୧୦ ବଲ୍‌ ବାକି ଥାଇ ସମସ୍ତ ୱିକେଟ୍‌ ହରାଇଥିଲା। ଟପଲେ (୪/୪୩)ଙ୍କ ବ୍ୟତୀତ କ୍ରିସ୍‌ ୱକ୍ସ ୨ ଓ ସାମ କରନ, ମାର୍କ ଉଡ, ଅଦିଲ ରସିଦ, ଲିଆମ ଲିଭିଂଷ୍ଟୋନ ୧ ୱିକେଟ୍‌ ଲେଖାଏଁ ନେଇଥିଲେ। ମଲାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ପୂର୍ବରୁ ଟସ୍‌ରେ ହାରିଥିଲେ ମଧ୍ୟ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ପାଇଁ ପ୍ରାରମ୍ଭିକ ମୂଳଦୁଆ ମଜବୁତ୍‌ ରହିଥିଲା। ଦାୱିଦ ମଲାନ ଦୁଇଟି ବଡ଼ ଭାଗୀଦାରିରେ ସାମିଲ୍‌ ହୋଇଥିଲେ। ପ୍ରଥମ ୱିକେଟ୍‌ରେ ଜନି ବେୟାରଷ୍ଟୋ (୫୨) ଙ୍କ ସହ ମିଶି ୧୧୫ ରନ୍‌ ଓ ପରେ ଜୋ ରୁଟ (୮୨)ଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୧୫୧ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ। ମଲାନ ଓ ରୁଟଙ୍କ ଦ୍ବିତୀୟ ୱିକେଟ୍‌ ଭାଗୀଦାରି ଧର୍ମଶାଳାରେ ଯେକୌଣସି ୱିକେଟ୍‌ରେ ସର୍ବାଧିକ ଥିଲା। ପୂର୍ବରୁ ସୁରେଶ ରାଇନା ଓ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦୧୪-୧୫ରେ ତୃତୀୟ ୱିକେଟ୍‌ ପାଇଁ ୧୩୮ ରନ୍‌ ଭାଗୀଦାରି କରିଥିଲେ। ଏଥି ସହ ପ୍ରଥମ ଦୁଇ ୱିକେଟ୍‌ରେ ମୋଟ ୨୬୬ ରନ୍‌ ସଂଗ୍ରହ ହେବା ବିଶ୍ବକପ୍‌ରେ ଇଂଲଣ୍ଡ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ହୋଇପାରିଛି। ଇଂଲଣ୍ଡ ପକ୍ଷରୁ କରାଯାଇଥିବା ୩୬୪/୯ ସ୍କୋର ବିଶ୍ବକପ୍‌ର ଏହି ଦଳର ତୃତୀୟ ସର୍ବାଧିକ। ୨୦୧୯ରେ ଆଫଗାନିସ୍ତାନ (୩୯୭/୬) ଓ ବାଂଲାଦେଶ (୩୮୬/୬) ବିପକ୍ଷରେ ଇଂଲଣ୍ଡ ସର୍ବାଧିକ ସ୍କୋର କରିଥିଲା। ଅପରପକ୍ଷେ ବାଂଲାଦେଶର ମେହିଦି ହାସନ (୮-୦-୭୧-୪) ବିଶ୍ବକପ୍‌ ଇତିହାସରେ ସବୁଠୁ ବ୍ୟୟବହୁଳ (୮.୮୮ ଇକୋନୋମି) ୪ ୱିକେଟ୍‌ ସଫଳତା ପାଇଥିଲେ। ଏହାଛଡ଼ା ସେ ପ୍ରଥମ ସ୍ପିନର ଭାବେ ଧର୍ମଶାଳାରେ ୪ ୱିକେଟ୍‌ ଅକ୍ତିଆର କରିଛନ୍ତି।

କ୍ୟାଲେଣ୍ଡର୍ ବର୍ଷରେ ଇଂଲଣ୍ଡ ପାଇଁ ସର୍ବାଧିକ ଶତକ ଅର୍ଜନ କଲେ ମଲାନ

ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟର୍ ଦାୱିଦ ମଲାନ ଚଳିତ ବର୍ଷ ଇଂଲଣ୍ଡ ପାଇଁ ସର୍ବାଧିକ ଶତକ ଅର୍ଜନକାରୀ (୪) ହୋଇଛନ୍ତି। ପୂର୍ବରୁ ଡେଭିଡ୍‌ ଗାୱାର (୧୯୮୩) ଓ ଜନି ବେୟାରଷ୍ଟୋ (୨୦୧୮) ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଶତକ ମାରି ଯୁଗ୍ମ ଭାବେ ଶୀର୍ଷରେ ଥିଲେ। ମଲାନ ଯଦିଓ ଏହି କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି, ହେଲେ ଚଳିତ ବିଶ୍ବକପ୍‌ରେ ସେ ଏହାକୁ ଟିପିଯିବା ସମ୍ଭାବନା ରହିଛି। ଧର୍ମଶାଳାରେ ବାଂଲାଦେଶ ବିପକ୍ଷରେ ବିଶ୍ବକପ୍‌ ଲିଗ୍‌ ପର୍ଯ୍ୟାୟ ଖେଳିବା ସମୟରେ ମଲାନ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିଥିଲେ। ସେ ୧୦୭ ବଲ୍‌ରୁ ୧୪୦ ରନ୍‌ (୧୬ ଚୌକା, ୫ ଛକା) କରି ଏହି ସଫଳତା ପାଇଛନ୍ତି। ୯୧ ବଲ୍‌ରୁ ଶତକ ହାସଲ କରିବା ପରେ ଦ୍ରୁତ ଭାବେ ରନ୍‌ ସଂଗ୍ରହ କରିଥିଲେ। ପରବର୍ତ୍ତୀ ୧୬ ବଲ୍‌ରୁ ସେ ୪୦ ରନ୍‌ ବାହାର କରିଥିଲେ। ଏଥିସହିତ ମଲାନ ଷଷ୍ଠ ଶତକ ମାରିବାରେ ମଧ୍ୟ ଦ୍ରୁତତମ ହୋଇଛନ୍ତି। ଏଥିପାଇଁ ସେ ମାତ୍ର ୨୩ ପାଳି ସମୟ ନେଇଥିଲେ। ପୂର୍ବରୁ ଏହି କୀର୍ତ୍ତିମାନ ପାକିସ୍ତାନର ଇମାମ୍‌ ଉଲ ହକ୍‌ (୨୭ ପାଳି)ଙ୍କ ନାମରେ ରହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button