ଓଡିଶା

ପଞ୍ଚଭୂତରେ ବିଲୀନ ହେଲେ ସରୋଜ ଦାସ, ଅଶ୍ରୁଳ ଲୁହରେ ସହିଦଙ୍କୁ ବିଦାୟ ଦେଲେ କେନ୍ଦୁଢ଼ିପବାସୀ – bajravana

[ad_1]

ଶୋକାକୁଳ ପରିବେଶରେ ସହିଦଙ୍କ ଅନ୍ତିମ ସଂସ୍କାର ସଂପନ୍ନ, ମୁଖାଗ୍ନି ଦେଲେ ଦାଦାଙ୍କ ପୁଅ

କାମାକ୍ଷାନଗର/ଢେଙ୍କାନାଳ/ଭୁବନେଶ୍ବର: ସିକିମ୍‌ରେ ବାଦଲଫଟା ବର୍ଷାରୁ ସୃଷ୍ଟ ପ୍ରଳୟଙ୍କାରୀ ବନ୍ୟାରେ ସହିଦ ଓଡ଼ିଆ ଯବାନ ସରୋଜ ଦାସଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଦୀଘି ପଞ୍ଚାୟତର କେନ୍ଦୁଢ଼ିପସ୍ଥିତ ଗାଁ ମଶାଣିରେ ଶନିବାର ଦିନ ସନ୍ଧ୍ୟାରେ ସହିଦ ଯବାନ ସରୋଜ ଦାସଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ମରଶରୀରରେ ସହିଦଙ୍କ ଦାଦାଙ୍କ ପୁଅ ରାକେଶ କୁମାର ଦାସ ମୁଖାଗ୍ନି ଦେଇଛନ୍ତି। ମଶାଣିରେ ସହିଦଙ୍କ ଚିତା ଜଳୁଥିବା ବେଳେ ପରିବାର ଲୋକ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ବଜନ, ପ୍ରଶସଂକ, ଶୁଭେଚ୍ଛୁ, ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ହଜାର ହଜାର ଲୋକଙ୍କ ଆଖିରୁ ଲୁହ ବାହାରି ପଡୁଥିଲା।

ଡିସେମ୍ବରରେ ଆସିବେ ବୋଲି ସ୍ବାମୀ କହିଥିଲେ। କିନ୍ତୁ ଏମିତି ଘଟିବ ବୋଲି ଜାଣିନଥିଲି। ସ୍ବାମୀ ଗୋଟେ ପରୀକ୍ଷା ଦେବାର ଥିଲା। କହିଥିଲେ- ପଦୋନ୍ନତି ପାଇଲା ପରେ ଦିନେ ସାରା ଭାରତ ତତେ ସାଲ୍ୟୁଟ୍‌ ମାରିବ। କିନ୍ତୁ ଏମିତି ଘଟିବ ବୋଲି ଜାଣିନଥିଲି। 
-ସହିଦ ସରୋଜଙ୍କ ପତ୍ନୀ ଲୋପାମୁଦ୍ରା

ମୃତଦେହ ବ୍ୟବଚ୍ଛେଦ ପରେ ସହିଦଙ୍କ ପାର୍ଥିବ ଶରୀର ବାଟାଲିୟନ ୟୁନିଟ କାର୍ଯ୍ୟାଳୟରୁ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସେହିପରି ଢେଙ୍କାନାଳ ସାଂସଦ ମ‌ହେଶ ସାହୁ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲୀପ ମଲ୍ଲିକ, ସୁରଥ ବିଶ୍ବାଳଙ୍କ ସମେତ କେତେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିମାନବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ସମୟରେ ସହିଦଙ୍କ ବାପା ଓ ଭାଇ ଉପସ୍ଥିତ ଥିଲେ।

ଏହାପରେ ପାର୍ଥିବ ଶରୀର ଢେଙ୍କାନାଳ ଅଭିମୁଖେ ବାହାରିଥିଲା। ଏକ ସ୍ବତନ୍ତ୍ର କରିଡରରେ ସହିଦ ଯବାନଙ୍କୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ସରୋଜଙ୍କ ଗାଁ କାମାକ୍ଷାନଗର ଥାନା ଦୀଘି ପଞ୍ଚାୟତର କେନ୍ଦୁଢ଼ିପରେ ପହଞ୍ଚା ଯାଇଥିଲା। ପାର୍ଥିବ ଶରୀର ପହଞ୍ଚିଲା ପରେ ଗାଁଦାଣ୍ଡ ଲୋକାରଣ୍ୟ ଦେଖାଯାଇଥିଲା। ଲୋକମାନେ ଶ୍ରଦ୍ଧାଞ୍ଜଳି ଦେଲା ପରେ ଗାଁରେ ଶେଷଦର୍ଶନ ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶ୍ମଶାନରେ ସହିଦଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, କେନ୍ଦୁଢ଼ିପ ଗାଁର ରାମଚନ୍ଦ୍ର ଦାସଙ୍କ ସାନପୁଅ ସ‌ରୋଜ କୁମାର ଦାସ ସେନାରେ ହାବିଳଦାର ପଦବିରେ ମୁତୟନ ଥିଲେ। ସେ ୨୦୧୨ ମସିହା ଅକ୍ଟୋବର ୨୧ ତାରିଖରେ ସେନାରେ ସିପାହୀ ଭାବେ ନିଯୁକ୍ତି ପାଇଥିଲେ। ବଡ଼ଭାଇ ମନୋଜ କହିଛନ୍ତି, ସେମାନେ ଦୁଇ ଭାଇ ଓ ଦୁଇ ଭଉଣୀ। ସରୋଜ ସବୁଠାରୁ ସାନ ଥିଲେ। ମାତ୍ର ୭ ମାସ ତଳେ ଗଲା ଫେବ୍ରୁଆରି ୧୧ ତାରିଖ‌ ସେ କଙ୍କଡ଼ାହାଡ଼ର ଲୋପାମୁଦ୍ରା ଦାସଙ୍କୁ ବିବାହ କରିଥିଲେ। ସିପାହୀରୁ ପଦୋନ୍ନତି ପାଇ ହାବିଳଦାର (ଟେକ୍ନିକାଲ-ଇଏମ୍‌ଇ) ହେବା ପରେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକିମ୍‌କୁ ଡ୍ୟୁଟି ପାଇଁ ଯାଇଥିଲେ। ମଙ୍ଗଳବାର ରାତି ୧୦ଟା ବେଳେ ଘରକୁ ଫୋନ୍‌ କରି ପତ୍ନୀ ଓ ଭାଉଜଙ୍କ ସହ କଥା ହୋଇଥିଲେ। ଟ୍ରେନିଂ ସାରି ଆସିଥିବା ବେଳେ ସୁରକ୍ଷିତ ଭାବେ ଘାଟି ରାସ୍ତା ପାର୍‌ ହୋଇଥିବା ପତ୍ନୀଙ୍କୁ ସରୋଜ କହିଥିଲେ। ତେବେ ପ୍ରବଳ ବର୍ଷା ହେଉଥିବାରୁ ଗାଡ଼ିଗୁଡ଼ିକୁ ଆଗକୁ ଯାଇ ପାରୁ ନଥିବା ଓ ସମସ୍ତେ ଗାଡ଼ି ଭିତରେ ଆଶ୍ରୟ ନେଇଥିଲେ। ବୁଧବାର ଦିନ ସକାଳ ସାଢ଼େ ୧୧ଟାରେ ତାଙ୍କ ୟୁନିଟ୍‌ ପକ୍ଷରୁ ସରୋଜ ନିଖୋଜ ଥିବା ମନୋଜଙ୍କୁ ଫୋନ୍‌ କରି ଖବର ଦିଆଯାଇଥିଲା। କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ଓ ଧୈର୍ଯ୍ୟ ଧରିବାକୁ ୟୁନିଟ୍‌ ପକ୍ଷରୁ ବାରମ୍ବାର କୁହାଯାଉଥିଲା। ଶେଷରେ  ଗୁରୁବାର ଦିନ ଉଦ୍ଧାରକାରୀ ଦଳର ଭିଡିଓ କଲରେ ସହିଦଙ୍କ ମୃତଦେହକୁ ଚିହ୍ନଟ କରିଥିଲେ ପରିବାର ଲୋକେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button