ଖେଳ ଖବର

ସୋମବାର ମିଳିଲା ୭ ପଦକ: କେବଳ ଦୌଡ଼କୁଦ‌ରୁ ୩ ରୌପ୍ୟ – bajravana

[ad_1]

ହାଙ୍ଗଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାର ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି। ରବିବାର ୧୫ ପଦକ ଜିତି ଅର୍ଦ୍ଧଶତକ ପୂରଣ କରିଥିବା ଭାରତ ସୋମବାର ଏଥିରେ ୭ ପଦକ ( ୩ ରୌପ୍ୟ ଓ ୪ କାଂସ୍ୟ) ଯୋଡ଼ିଛି। କେବଳ ଦୌଡ଼କୁଦରୁ ୩ ରୌପ୍ୟ ମିଳିଥିଲା ବେଳେ ଗୋଟିଏ କାଂସ୍ୟ ଆସିଥିଲା। ଅନ୍ୟ ୩ ପଦକରୁ ୨ଟି ସ୍କେଟିଂ ଏବଂ ଗୋଟିଏ ଟିଟି ଖେଳାଳି ଦେଇଥିଲେ। ଫଳରେ ଭାରତର ପଦକ ସଂଖ୍ୟା ୬୦ (୧୩ ସ୍ବର୍ଣ୍ଣ, ୨୪ ରୌପ୍ୟ, ୨୩ କାଂସ୍ୟ)ରେ ପହଞ୍ଚିଛି। ଭାରତ ତା’ର ଶ୍ରେଷ୍ଠ ସଫଳତା ୭୦ (୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ, ୩୧ କାଂସ୍ୟ) ପଦକଠୁ ୧୦ ପଛରେ ରହିଛି। ଏହି ସଫଳତା ଗତ ସଂସ୍କରଣରେ ପାଇଥିଲା।

କେବଳ ଦୌଡ଼କୁଦ‌ରୁ ୩ ରୌପ୍ୟ
ଭାରତର ପଦକ ଖାତାରେ ସୋମବାର ଦୌଡ଼କୁଦରୁ ୩ ରୌପ୍ୟ ଓ ଗୋଟିଏ କାଂସ୍ୟ ଯୋଡ଼ି ହୋଇଛି। ମହିଳା ୩୦୦୦ ମିଟର ଷ୍ଟିପଲଚେଜ୍‌ରେ ଦୁଇଟି ପଦକ (ରୌପ୍ୟ ଓ କାଂସ୍ୟ) ଆସିଥିଲା ବେଳେ ଅନ୍ୟ ୨ ରୌପ୍ୟ ମହିଳା ଲମ୍ବ ଡିଆଁ ଓ ୪ଗୁଣା ୪୦୦ ମିଟର ମିଶ୍ରିତ ରିଲେରୁ ମିଳିଥିଲା। ୩୦୦୦ ମିଟର ଷ୍ଟିପେଲଚେଜ୍‌ରେ ପାରୁଲ ଚୌଧୁରୀ (୯:୨୭.୬୩) ଓ ପ୍ରୀତି ଲାମ୍ବା (୯:୪୩.୩୨) ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ସହ ୨-୩ରେ ପୋଡ଼ିୟମ ଫିନିସ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ପାରୁଲ ବିଶ୍ବ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଜାତୀୟ କୀର୍ତ୍ତିମାନଧାରୀ। ପୂର୍ବରୁ ସେ ୯:୧୫.୩୧ ସେକେଣ୍ଡ ସମୟ ସହ ଅଲିମ୍ପିକ୍‌ ଟିକେଟ୍‌ କରାୟତ୍ତ କରିସାରିଛନ୍ତି। ବାହାରିନର ବିଶ୍ବ ବିଜୟିନୀ ୱିଫ୍ରେଡ ୟାଭି (୯:୧୮.୨୮) ସ୍ବର୍ଣ୍ଣ ପାଇଥିଲେ। ମହିଳା ଲମ୍ବ ଡିଆଁରେ ଆନ୍‌ସି ସୋଜେନ (୬.୬୩ ମିଟର) ବ୍ୟକ୍ତିଗତ ଶ୍ରେଷ୍ଠ ସହ ରୌପ୍ୟ ଜିତିଥି‌ଲା ବେଳେ ଶୈଲି ସିଂହ (୬.୪୮ ମିଟର) ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥି‌ଲେ। ଚୀନ୍‌ର ସିକି ଜିଓଙ୍ଗ (୬.୭୩ ମିଟର) ‌ସ୍ବର୍ଣ୍ଣ ଏବଂ ହଂକଂର ୟାନ ଗାନ୍‌ ୟୁ (୬.୫୦) କାଂସ୍ୟ ପାଇଥିଲେ। ମିଶ୍ରିତ ୪ଗୁଣା ୪୦୦ ମିଟର ରିଲେରେ ଭାରତର କାଂସ୍ୟ ପଦକ ରୌପ୍ୟରେ ରୂପାନ୍ତର ହୋଇଥିଲା। ଭାରତ ୩:୧୪.୩୪ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲା। ହେଲେ ଦ୍ବିତୀୟରେ ଥିବା ଶ୍ରୀଲଙ୍କା ଟ୍ରାକ୍‌ ବଦଳାଇ ଅଯୋଗ୍ୟ ଘୋଷିତ ହେବାରୁ ଭାରତ ଏହି ସ୍ଥାନକୁ ଉଠିଥିଲା। ଚତୁର୍ଥରେ ଥିବା କାଜାଖସ୍ତାନ (୩:୨୪.୮୫) ତୃତୀୟରେ ପହଞ୍ଚିଥିଲା। ବାହାରିନ (୩:୧୪.୦୨) ସ୍ବର୍ଣ୍ଣ ଜିତିଥିଲା। ଭାରତୀୟ ଦଳରେ ମହମ୍ମଦ ଅଜମଲ, ଭିଥ୍ୟା ରାମରାଜ, ରାଜେଶ ରମେଶ ଓ ଶୁଭା ଭେଙ୍କଟାସେନ ରହିଥିଲେ।

ସୁତୀର୍ଥା-ଆହିକା ଜିତିଲେ କାଂସ୍ୟ
ଭାରତୀୟ ମହିଳା ଟେବୁଲ ଟେନିସ ଯୋଡ଼ି ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ସୋମବାର ସେମିଫାଇନାଲ୍‌ରେ କଡ଼ା ସଂଘର୍ଷ କରି ପରାସ୍ତ ହେବା ସହ କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଏହି ‌ଯୋଡ଼ି ୩-୪ (୧୧-୭, ୮-୧୧, ୧୧-୭, ୮-୧୧, ୯-୧୧, ୧୧-୫, ୨-୧୧)ରେ ଉତ୍ତର କୋରିଆର ସୁୟଙ୍ଗ ଚା ଓ ସୁଗୟଙ୍ଗ ପାକ୍‌ଙ୍କଠୁ ହାରିଯାଇଥିଲେ। ଏହି ଏକ ମାତ୍ର କାଂସ୍ୟ ସହ ଟିଟିରେ ଭାରତର ଅଭିଯାନ ଶେଷ ହୋଇଛି।

ପିଟି ଉଷାଙ୍କ ଜାତୀୟ କୀର୍ତ୍ତିମାନର ସମକକ୍ଷ ହେଲେ ରାମରାଜ
ଭାରତର ଯୁବା ସ୍ପ୍ରିଣ୍ଟର ଭିଥ୍ୟା ରାମରାଜ ସୋମବାର କିଂବଦନ୍ତୀ ପିଟି ଉଷାଙ୍କ ନାମରେ ଥିବା ମହିଳା ୪୦୦ ମିଟର ବାଧାଦୌଡ଼ ଜାତୀୟ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ‌ଚଳିତ ଏସୀୟ କ୍ରୀଡ଼ା ମହିଳା ୪୦୦ ମିଟର ବାଧାଦୌଡ଼ ହିଟ୍‌ରେ ରାମରାଜ (୫୫.୪୨ ସେକେଣ୍ଡ) ବ୍ୟକ୍ତଗତ ଶ୍ରେ‌ଷ୍ଠ ସମୟ ସହ ଶୀର୍ଷ ସ୍ଥାନ ଦଖଲ କରି ସିଧାସଳଖ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। ଏଥିସହ ସେ ଉଷାଙ୍କ ଜାତୀୟ କୀର୍ତ୍ତିମାନର ସମକକ୍ଷ ହୋଇଥିଲେ। ଉଷା ୧୯୮୪ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଏହି କୀର୍ତ୍ତିମାନ କରିଥିଲେ। ପୁରୁଷ ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ସନ୍ତୋଷ କୁମାର ତାମିଲାରାସାନ (୪୯.୨୮) ଓ ୟାସାସ ପଲାକ୍ଷ (୪୯.୬୧) ପ୍ରବେଶ କରିଛନ୍ତି। ନିଜ ନିଜ ହିଟ୍‌ରେ ଉଭୟ ଦ୍ବିତୀୟ ସ୍ଥାନରେ ରହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button