ଓଡିଶା

ଅନ୍ତୁଡ଼ିଶାଳରେ ଅସୁରକ୍ଷିତ ଅଲିଭ୍‌ରିଡ୍‌ଲେ: ଟ୍ରଲର ଆସୋସିଏଶନ ସହ ବନ ବିଭାଗ କର୍ତ୍ତୃପକ୍ଷଙ୍କ କୋଟି କୋଟି ଟଙ୍କାର ଡିଲ

Related image
କେନ୍ଦ୍ରାପଡ଼ା-ସାମୁଦ୍ରିକ କଇଁଛ ଅଲିଭ୍‌ରିଡଲେଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଜାତୀୟ ଉଦ୍ୟାନ ଭିତରକନିକାସ୍ଥିତ ଗହୀରମଥା ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗହୀରମଥାକୁ ନିରାପଦ ସ୍ଥାନ ଭାବି ଯୋଜନ ଯୋଜନ ପଥ ଅତିକ୍ରମ କରି ଅଲିଭ୍‌ରିଡଲେ କଇଁଛ ଏଠାକୁ ଅଣ୍ଡାଦାନ କରିବାକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତି ବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥାଏ।
ତେବେ ବନ ବିଭାଗ କର୍ତ୍ତୃପକ୍ଷ ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା କରି ଟ୍ରଲର ଆସୋସିଏଶନ ସହ କୋଟି କୋଟି ଟଙ୍କାର ଡିଲ କରୁଥିବା ଘଟଣା ମଙ୍ଗଳବାର ଚର୍ଚ୍ଚା ଜୋର୍‌ ଧରିଛି। କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ବାଲେଶ୍ୱର ଟ୍ରଲର ମାଲିକଙ୍କ ମଧ୍ୟରେ କଳିଗୋଳ ପରେ ଏଭଳି ଘଟଣା ପଦାକୁ ଆସିଛି। ବାଲେଶ୍ୱର ଅଞ୍ଚଳର ୨୩୭ଟି ଟ୍ରଲର ଥିବା ଏକ ଆସୋସିଏଶନ ସହ ଡିଲ କରି ବନ ବିଭାଗ କର୍ତ୍ତୃପକ୍ଷ ଓ ସ୍ଥାନୀୟ କେତେଜଣ ରାଜନେତା ମାଲାମାଲ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାକାଳପଡାର ଜନୈକ ମତ୍ସ୍ୟଜୀବୀଙ୍କ ସୂଚନା ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମାଛଧରା ଓ ସମୁଦ୍ର ମଝିରେ ମାଛହାଟ ପାଇଁ ପ୍ରତିବର୍ଷ ବାଲେଶ୍ୱର ଜିଲାର ଟ୍ରଲର ମାଲିକ ଅଧିକ ଟଙ୍କା ଦେଇ ବେଆଇନ ଲିଜ ନେଉଛନ୍ତି। ଆଗାମୀ ନଭେମ୍ବର ମାସ ପାଇଁ ଚଳିତ ମାସରୁ ବେଆଇନ ଲିଜ୍‌ ଆରମ୍ଭ ହୋଇଛି। ବାଲେଶ୍ୱର ଜିଲାର ଏକ ଟ୍ରଲର ଆସୋସିଏଶନ ମାଲିକମାନେ ୭୨ ଲକ୍ଷ ଟଙ୍କାରେ ଏହି ଡିଲ କରିଛନ୍ତି। ମାତ୍ର ଏହି ବେଆଇନ୍‌ ଲିଜ୍‌ ନେବାକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଓ ପାରାଦୀପ ଅଞ୍ଚଳର ଟ୍ରଲର ଆସୋସିଏଶନ ମାଲିକଙ୍କ ମଧ୍ୟରେ ଟଣାଓଟରା ଲାଗିଛି। ଏଥିରେ ରାଜନେତାଙ୍କ ସହଯୋଗ ଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପରିବେଶବିତ୍‌ ସେକ୍‌ ଚାନ୍ଦ କୁହନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ମନ୍ଦିର ନିକଟରେ ଅଲିଭ୍‌ରିଡଲେଙ୍କୁ ଦେଖିବାକୁ ମିଳୁଥିଲା। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ ପରଠାରୁ ଏଠାକୁ ଆଉ ଅଲିଭରିଡଲେଙ୍କ ଆଗମନ ହେଉନାହିଁ। ଗହୀରମଥାରେ ଚାଲୁଥିବା ଏହି ବେଆଇନ ଲିଜ୍‌ ଆଗାମୀ ଦିନରେ ଅଲିଭରିଡଲେଙ୍କ ଆସିବା ବାଟ ବନ୍ଦ କରିବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପରିବେଶବିତ୍‌ ଅଭିମନ୍ୟୁ ରାଉତ କୁହନ୍ତି, ଜାତୀୟ ଉଦ୍ୟାନ ମଧ୍ୟରେ ବେଆଇନ ବସବାସ ଓ ଚିଙ୍ଗୁଡିଘେରି ପାଇଁ ଜୈବ ବିବିଧତା ନଷ୍ଟ ହେଉଥିବା ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ମାମଲା ଚାଲିଛି। ଏପରିସ୍ଥଳେ ସମୁଦ୍ର ମଝିରେ ମାଛହାଟ ଓ ନିଷିଦ୍ଧାଞ୍ଚଳରେ ମାଛଧରା ଜିଲାର ବୃହତ୍‌ ପର୍ଯ୍ୟଟନ କ୍ଷେତ୍ରକୁ ନଷ୍ଟ କରିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଗହୀରମଥାକୁ ଆସୁଥିବା ଅଲିଭରିଡଲେ କଇଁଛଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ବନବିଭାଗ ପକ୍ଷରୁ ପ୍ରକୃତ ତଥ୍ୟ ପ୍ରଦାନ କରାଯାଉନାହିଁ। ଅପରପକ୍ଷେ ଭିତରକନିକା ଓ ଗହୀରମଥା ନିଷିଦ୍ଧାଞ୍ଚଳରେ ବେଆଇନ ମାଛଧରାକୁ ପ୍ରଶ୍ରୟ ଦିଆ ଯାଇନାହିଁ ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button