ଓଡିଶା

ଉତ୍କଳ ସମ୍ମିଳନୀ ଓ ମହାରାଜା ବୈକୁଣ୍ଠନାଥ ଦେବ – bajravana

[ad_1]

ଉତ୍କଳ ସମ୍ମିିଳନୀ ସହିତ ମହାରାଜା ବୈକୁଣ୍ଠନାଥ ଦେବଙ୍କ ଆଜୀବନ ସମ୍ପର୍କ ଥିଲା। ସମ୍ମିଳନୀର ପ୍ରଥମ ଅଧିବେଶନ ୧୯୦୩ ଡିସେମ୍ବର ୩୦ ଓ ୩୧ ତାରିଖ(ବୁଧବାର ଓ ଗୁରୁବାର) କଟକ ଇଦ୍‌ଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ସମଗ୍ର ଉତ୍କଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଜାତୀୟ ମଞ୍ଚରେ ଯୋଗ ଦେଇଥିଲେ। ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ମୟୂରଭଞ୍ଜ, ନୀଳଗିରି, ତାଳଚେର, ଢେଙ୍କାନାଳ, ଆଠଗଡ଼, ମଧୁପୁର, ଖଲ୍ଲିକୋଟ, ଜୟପୁର(ବିଶାଖାପାଟଣା), ସୁରଙ୍ଗୀ, ମଞ୍ଜୁଷାର ରାଜା, ମହାରାଜା, ଅମୃତବଜାର ପତ୍ରିକାର ସମ୍ପାଦକ ବାବୁ ମୋତିଲାଲ ଘୋଷ, ଓଡ଼ିଶାର କମିଶନର କେ. ଜି ଗୁପ୍ତ, ପାଦରି ୟାଙ୍ଗ, ପାଦରି ହାଉଏଲସ୍‌, ଯୋଗେଶ ଚନ୍ଦ୍ର ରାୟ ଓ ଶୈଳବାଳା ଦାସ ଥିଲେ ଅନ୍ୟତମ। ବାଲେଶ୍ବରରୁ ଉକ୍ତ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରାଜା ବୈକୁଣ୍ଠନାଥ ଦେବ, ରାଧାନାଥ ରାୟ, ଫକୀରମୋହନ ସେନାପତି, ଭୋଳାନାଥ ସାମନ୍ତରାୟ, ଗଗନ ବିହାରୀ ଚୌଧୁରୀ ଥିଲେ ଅନ୍ୟତମ। ଏତଦ୍‌ଭିନ୍ନ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ସମ୍ବଲପୁରରୁ ୨୫ ଜଣ, ଗଞ୍ଜାମରୁ ଛାତ୍ରଛାତ୍ରୀମାନଙ୍କ ସମେତ ୩୦୦ ଜଣ, ମେଦିନୀପୁରରୁ ୧୦ ଜଣ, କଟକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, କଟକ ତଥା କଟକର ସ୍ଥାନୀୟ ଅଧିବାସୀ, ଭଦ୍ରବ୍ୟକ୍ତି ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ମୟୂରଭଞ୍ଜା‌ଧିପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉକ୍ତ ଅଧିବେଶନରେ ସଭାପତିତ୍ବ କରିଥିଲେ।
ଉତ୍କଳ ସମ୍ମିଳନୀ‌ର ତୃତୀୟ ଅଧିବେଶନ ବାଲେଶ୍ବର ସହରର ପର୍ମିଟ୍‌ ପଡ଼ିଆରେ ୧୯୦୬ ଏପ୍ରିଲ ୧୩ ଓ ୧୪(ଶୁକ୍ରବାର ଓ ଶନିବାର) ଅନୁଷ୍ଠିତ ହୋଇଥିଲା। ତାଳଚେରର ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ଏହି ଅଧିବେଶନର ସଭାପତି ଥିଲେ। ବାଲେଶ୍ବରର ପ୍ରସିଦ୍ଧ ଜମିଦାର ଓ ବ୍ୟବସାୟୀ ରାଜା ବୈକୁଣ୍ଠନାଥ ଦେବ ବାହାଦୁର ଅଭ୍ୟର୍ଥନା ସମିତିର ଅଧ୍ୟକ୍ଷ ଥିଲେ। ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏହି ଅଧିବେଶନର ପୃଷ୍ଠପୋଷକ ଥିଲେ। ଉକ୍ତ ଅଧିବେଶନରେ ସର୍ବମୋଟ ସତରଟି ପ୍ରସ୍ତାବ ଗୃହୀତ ହୋଇଥିଲା। କଟକ ସହର ବାହାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଏହା ଥିଲା ପ୍ରଥମ ଅଧିବେଶନ।

ମହାରାଜା ବୈକୁଣ୍ଠନାଥ ଦେବ ତାଙ୍କ ଅଭିଭାଷଣ ପ୍ରାରମ୍ଭରେ କହିଥିଲେ, ‘‘ଭାଇମାନେ, ଆଜି ଆମ୍ଭେ ବାଲେଶ୍ବର ଓ ମୟୂରଭଞ୍ଜବାସୀମାନଙ୍କ ପକ୍ଷରୁ ପ୍ରତିନିଧି ସ୍ବରୂପ ଆପଣମାନଙ୍କୁ ଅଭ୍ୟର୍ଥନା ଜଣାଇଁବା ପାଇଁ ଏହି ମହାସମାଜରେ ଦଣ୍ଡାୟମାନ। ଆମ୍ଭେ ସାମାନ୍ୟ ହୋଇଥିଲେ ସୁଦ୍ଧା ଆମ୍ଭ ପ୍ରତି ଅର୍ପିତ ଦୁରୂହ କାର୍ଯ୍ୟରେ ଆମ୍ଭେ ଅହଂକାରୀ। ବାଲେଶ୍ବର ନଗରୀର ମୟୂରଭଞ୍ଜ କରଦ ରାଜ୍ୟର ସହସ୍ର ସହସ୍ର ବର୍ଷର ଇତିହାସ ଥିଲେ ସୁଦ୍ଧା ଅନ୍ୟ ଜିଲ୍ଲା ସହିତ ତୁଳନା କଲେ ତାହା ଅତି କ୍ଷୁଦ୍ର। ଆମ୍ଭମାନଙ୍କ ରାଜ୍ୟରେ ଏପରି ଘଟନା ଚାକ୍ଷୁଷ ହେବାର ସ୍ବପ୍ନରେ ସୁଦ୍ଧା ଆଶା କରିନଥିଲୁ। ଭଗବାନଙ୍କ କୃପାରୁ ଆଜି ସେ ଆଶା ସଫଳ ହୋଇଛି। ଆପଣମାନେ ଅନେକ ଦୂରରୁ ଅନେକ ବ୍ୟୟ ଓ କଷ୍ଟ ସ୍ବୀକାର କରି ଏହି ସଭା ‌େଶାଭିତ କରିବା ସକାଶେ ଯେ ଯତ୍ନବାନ ହୋଇଛନ୍ତି, ତହିଁରେ ଆମ୍ଭେମାନେ ଆପଣମାନଙ୍କ ଠାରେ କୃତଜ୍ଞ ଓ କ୍ରୀତ।’’

ମହାରାଜା ବୈକୁଣ୍ଠନାଥ ଦେବ ତାଙ୍କ ଅଭିଭାଷଣରେ ଉତ୍କଳଭୂମି, ଏହାର ପ୍ରାଚୀନ ଗୌରବ, ବର୍ତ୍ତମାନର ଦୁରବସ୍ଥା, ଉତ୍କଳବାସୀଙ୍କ ମଧ୍ୟରେ ଜଡ଼ତାର କାରଣ, ଉନ୍ନତି ବିଧାନର ଉପାୟ, ନାରୀ ଜାତିର ବିକାଶ ପ୍ରସଙ୍ଗରେ ଉପାଦେୟ କଥାମାନ କହିଥିଲେ, ଏଥିରେ ତାଙ୍କର ପ୍ରଶସ୍ତ ଦୂରଦୃଷ୍ଟି ତଥା ସଚେତନ ମାନସିକତାର ପରିଚୟ ମିଳିଥିଲା। ଉତ୍କଳ ଜାତିର ଅବନତି ବିଷୟ ଉଲ୍ଲେଖ କରି ସେ କହିଥିଲେ, ‘‘ଉତ୍କଳ ଜାତି ଉନ୍ନତ ଅବସ୍ଥାରେ କୌଣସି ଏକ ବିଷୟରେ ଗୌରବାନ୍ବିତ ହୁଅନ୍ତି ନାହିଁ; ଶିଳ୍ପ, ବାଣିଜ୍ୟ, କୃଷି ଆଦି ସମସ୍ତ ବିଷୟରେ ଉତ୍କର୍ଷ ସାଧନ କରି ଗୋଟିଏ ଜାତି ବୋଲି ପରିଚିତ ହୁଅନ୍ତି, ସେହି ଜାତିର ଆମ୍ଭେମାନେ ପ୍ରତ୍ୟେକ ବଂଶଧର। ଯେଉଁ ଜାତି ଭାରତର ପୂର୍ବ ‌ସୀମାକୁ ଉଜ୍ଜ୍ବଳତର କରିଥିଲେ, ସେହି ଜାତି ଆଜି ଲୁପ୍ତପ୍ରାୟ ହୋଇଅଛନ୍ତି। ଏହାର ମୂଳକାରଣ ଗୃହ ବିଚ୍ଛେଦ ଓ ଆତ୍ମଶ୍ଳାଘା, ଅନର୍ଥକ ଗରିମା, ଆଳସ୍ୟ ପ୍ରଭୃତି ଦୁର୍ଗୁଣମାନ। ଆଜି ସେଥିଯୋଗୁଁ ଆମ୍ଭେମାନେ ଭାରତର ଅନ୍ୟାନ୍ୟ ଜାତି ଠାରୁ ଅଧିକ ଦରିଦ୍ର, ମୂର୍ଖ ଏବଂ ପରପ୍ରତ୍ୟାଶୀ ହୋଇ କାଳକ୍ଷେପଣ କରିଅଛୁଁ ଓ ସମାଜର ଉତ୍କଳୀୟ ଜାତି ବୋଲି ପରିଚୟ ଦେବାକୁ ଲଜ୍ଜାବୋଧ କରୁଅଛୁଁ।’’

ବୈକୁଣ୍ଠନାଥ ଦେବଙ୍କ ପ୍ରାରମ୍ଭିକ ଅଭ୍ୟର୍ଥନା ଅଭିଭାଷଣଟି ସୁଚିନ୍ତିତ, ଉପାଦେୟ ଓ ଭାତୃତ୍ବପୂର୍ଣ୍ଣ ଥିଲା। ଜଣେ ଜାତିପ୍ରେମୀ, ଉତ୍କଳଭାଷା, ସାହିତ୍ୟ ଓ ସଂସ୍କୃତିପ୍ରେମୀ ଉତ୍କଳ ଦାୟାଦ ଭାବରେ ଦେଶମାତୃକାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର କର୍ମମୟ ଜୀବନକୁ ଉତ୍ସର୍ଗ କରିଥିଲେ ବିଭିନ୍ନ ସେବା ଓ ଜନମଙ୍ଗଳକର କାର୍ଯ୍ୟ ଦ୍ବାରା। ତାଙ୍କର ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟଧାରା ଓଡ଼ିଆ ଜାତି ଓ ଜାତୀୟ ଜୀବନର ବିକାଶ କ୍ଷେତ୍ରରେ ବହୁଭାବରେ ସହାୟକ ହୋଇଥିଲା।

ଉତ୍କଳ ସମ୍ମିଳନୀର ସପ୍ତମ ଅଧିବେଶନ କଟକ ସହରରେ ୧୯୧୦ ଡିସେମ୍ବର ୩୦ ଓ ୩୧ ତାରିଖରେ ଅନୁଷ୍ଠିତ ହୋଇଥିଲା। ବାଲେଶ୍ବରର ମହାରାଜା ବୈକୁଣ୍ଠନାଥ ଦେବ ଏହି ଅଧିବେଶନରେ ସଭାପତିତ୍ବ କରିଥିଲେ। ଅଭ୍ୟର୍ଥନ ସମିତିର ସଭାପତି ଥିଲେ ମଧୁପୁରର ରାଜା ଓ ସମ୍ପାଦକ ଦାୟିତ୍ବରେ ଥିଲେ ଗୋକୁଳାନନ୍ଦ ଚୌଧୁରୀ। ସଭାପତି ଆସନ ଅଳଂକୃତ କରି ବୈକୁଣ୍ଠନାଥ ଦେବ ଏକ ସୁଦୀର୍ଘ ବକ୍ତବ୍ୟ ରଖିଥିଲେ। ଉତ୍କଳର ଜାତୀୟ ଏକତା, ଶିଳ୍ପ, ସାଧାରଣ ଶିକ୍ଷା, ନାରୀଶିକ୍ଷା, ଛାତ୍ରାବାସ, କୃଷି, କେନାଲ, ଗୋସମ୍ପଦ, ଚିକିତ୍ସା, ବାଣିଜ୍ୟ, ସାହିତ୍ୟ ଓ ସମ୍ବାଦପତ୍ର ସମ୍ବନ୍ଧୀୟ ସୁଚିନ୍ତିତ ମତାମତ ଓ ମାର୍ଗଦର୍ଶନ ଖୁବ୍‌ ଉପାଦେୟ ଥିଲା। ଜଣେ ପ୍ରଜାହିତୈଷୀ ଜମିଦାର ଭାବରେ ସମାଜର ବିବିଧ ଉନ୍ନତିମୂଳକ କାର୍ଯ୍ୟ ଓ ଜନସେବାରେ ସେ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହି ସାମାଜିକ ଜୀବନର ବିବିଧ ସମସ୍ୟା ଭଲଭାବରେ ଅନୁଭବ କରିଥିଲେ ଏବଂ ଏହାର ସମାଧାନ ପାଇଁ ଯର୍ଥାଥ ପଦକ୍ଷେପ ମଧ୍ୟ ଗ୍ରହଣ କରିଥିଲେ।

ଜାତୀୟ ଏକତା ପ୍ରସଙ୍ଗରେ ସେ କହିଥିଲେ, ‘‘ଜାତୀୟ ଏକତା ଶବ୍ଦର ଅର୍ଥ ପ୍ରତ୍ୟେକ କ୍ଷୁଦ୍ର କ୍ଷୁଦ୍ର ଜାତି ମଧ୍ୟରେ ଏକତା ନୁହେଁ, ତାହା ସମଗ୍ର ଉତ୍କଳୀୟମାନଙ୍କର ଏକସୂତ୍ରରେ ହୃଦୟ ବନ୍ଧନ; ଏହା ନ ହେଲେ କଦାପି କୌଣସି ବିଷୟରେ ମଙ୍ଗଳ ହେବ ନାହିଁ।’’ ସମ୍ମିିଳନୀରେ ଉତ୍କଳବାସୀ ଓ ଉତ୍କଳଭ‌ାଷୀ ପରସ୍ପର ଭାତୃପ୍ରେମରେ ଆବଦ୍ଧ ହୋଇ ମାତୃଭୂମିର ଦୁଃଖ ଦୂର କରିବା ପାଇଁ ସଂକଳ୍ପବଦ୍ଧ ଭାବରେ କାର୍ଯ୍ୟ କରିବାକୁ ସେ ନିବେଦନ କରିଥିଲେ। ରାଜାବାହାଦୁର ବୈକୁଣ୍ଠନାଥ ଦେବଙ୍କର ଉତ୍କଳ ସମ୍ମିଳନୀ ସହିତ ଆଜୀବନ ସମ୍ପର୍କ ଥିଲା। ତାଙ୍କ ଜୀବଦ୍ଦଶାରେ ଅନୁଷ୍ଠିତ ପ୍ରତ୍ୟେକ ଅଧିବେଶନରେ ସେ ଯୋଗ ଦେଉଥିଲେ। ପ୍ରତ୍ୟେକ ଅଧିବେଶନରେ ଗ୍ରହଣ କରାଯାଉଥିବା ଏକାଧିକ ନିର୍ଦ୍ଧାରଣରେ ସେ ପ୍ରସ୍ତାବକ, ଅନୁମୋଦକ ଓ ସମର୍ଥକ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ। ଏତଦ୍‌ଭିନ୍ନ କେତେକ ସବ୍‌-କମିଟିର ସଭ୍ୟ ଭାବରେ ମଧ୍ୟ ସେ ମନୋନୀତ ହୋଇଥିଲେ।
‘ଉତ୍କଳ ସମ୍ମିଳନୀ’ର ଜଣେ ସକ୍ରିୟ ସଭ୍ୟ ଭାବରେ ଉତ୍କଳର ସ୍ବାର୍ଥ ପାଇଁ ସେ ସର୍ବଦା କାର୍ଯ୍ୟ କରିଥିଲେ। ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ସମଗ୍ର ଓଡ଼ିଶା ପ୍ରଦେଶରୁ ଏକ ଲକ୍ଷ ଲୋକଙ୍କର ସ୍ବାକ୍ଷର ସମ୍ବଳିତ ‘Memorial for uniting the Oriya Speaking Lands under different administrations into one administration’ ଶିରୋନାମାରେ ଏକ ସ୍ମାରକପତ୍ର ୧୯୦୨ ଡିସେମ୍ବର ୧୫ ତାରିଖରେ ତତ୍‌କାଳୀନ ବଡ଼ଲାଟ ଲର୍ଡ କର୍ଜ୍ଜନଙ୍କ ନିକଟକୁ ପ୍ରେରଣ କରିଥିଲେ। ସେତେବେଳେ ସମଗ୍ର ଓଡ଼ିଶାରୁ ଏକ ଲକ୍ଷ ଲୋକଙ୍କର ସ୍ବାକ୍ଷର ସଂଗ୍ରହ କରିବା ଏତେ ସହଜ କାର୍ଯ୍ୟ ନ ଥିଲା। ଉକ୍ତ ସ୍ମାରକପତ୍ରରେ ଓଡ଼ିଶାର ଗୌରବପୂର୍ଣ୍ଣ ଅତୀତର କୀର୍ତ୍ତିରାଜି, ଏହାର ଐତିହାସିକ ମହତ୍ତ୍ବ, ସୀମାରେଖା, ଭାଷା ଓ ସଂସ୍କୃତି, ପ୍ରଥମ ସ୍ଥାୟୀ ବନ୍ଦୋବସ୍ତ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆଦି ବିବିଧ ବିଷୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା।
ମହାରାଜା ବୈକୁଣ୍ଠନାଥ ଦେବଙ୍କ ଭାବନାରେ ‘ଉତ୍କଳ ସମ୍ମିଳନୀ’ ହେଉଛି, ଏକ ଜାତୀୟ ମଞ୍ଚ, ଯେଉଁଠି ପ୍ରତ୍ୟେକ ଉତ୍କଳବାସୀ ନିଜ ମାତୃଭୂମି ଓ ମାତୃଭାଷାର ସ୍ବାର୍ଥ ରକ୍ଷା ପାଇଁ ସ୍ବାଧୀନ ମତବ୍ୟକ୍ତ କରିବା ସହିତ କର୍ମଯଜ୍ଞରେ ଶ୍ରମାହୁତି ଦେବାକୁ ସଂକଳ୍ପବଦ୍ଧ ହେବେ। ସମ୍ମିଳନୀ ହେଉଛି ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ପ୍ରତ୍ୟେକ ଓଡ଼ିଆ ସ୍ବୀୟ ସ୍ବାର୍ଥକୁ ଆତ୍ମାହୁତି ଦେଇ ଜାତୀୟ ସ୍ବାର୍ଥ ରକ୍ଷା ପ୍ରତି ସତର୍କ ହେବେ। ତା’ହେଲେ ଉତ୍କଳ ପ୍ରଦେଶର ସର୍ବାଙ୍ଗୀନ ବିକାଶ ‌େହବ, ଓଡ଼ିଆ ଜାତିର ଉନ୍ନତି ସାଧିତ ହେବ।

ଦୁଃଖର ବିଷୟ, ପୁରୀଠାରେ ୧୯୧୩ ଡିସେମ୍ବର ୨୮ ଓ ୨୯ ତାରିଖରେ ଉତ୍କଳ ସମ୍ମିଳନୀର ୯ମ ଅଧିବେଶନ ଅନୁଷ୍ଠିତ ହେବା ପୂର୍ବରୁ ସେହି ମାସ ୭ ତାରିଖରେ ଦେଶ ହିତୈଷୀ ମହାରାଜା ବୈକୁଣ୍ଠନାଥ ଦେବଙ୍କର ମହାପ୍ରୟାଣ ଘଟିଥିଲା। ଉକ୍ତ ଅଧିବେଶନରେ ରାୟ ସୁଦାମ ଚରଣ ନାୟକ, ଋଷିପ୍ରତିମ ଭକ୍ତ କବି ମଧୁସୂଦନ ରାଓ, ସ୍ବଦେଶପ୍ରେମୀ ନରସିଂହ ଦାସ ଓ ଉତ୍କଳ ସମ୍ମିଳନୀର ପୂର୍ବତନ ସଭାପତି ପ୍ରମୁଖ ବୈକୁଣ୍ଠନାଥ ଦେବଙ୍କ ମୃତ୍ୟୁରେ ସମ୍ମିଳନୀ ପକ୍ଷରୁ ଶୋକପ୍ରକାଶ କରିଥିଲେ। ତାଙ୍କ ଭଳି ଉତ୍କଳ ‌ହିତୈଷୀ, ମାତୃଭାଷା-ସାହିତ୍ୟ, ସଂସ୍କୃତିପ୍ରେମୀ, ଜନହିତକାରୀ ସୁସଂଗଠକ ଓ ନେତୃତ୍ବ ଆଜିର ସମାଜରେ ଏକାନ୍ତ ବିରଳ।
ସୁଏଲପୁର, ବାଲେଶ୍ବର
ମୋ: ୯୭୭୭୬୯୨୩୨୧



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button