ଓଡିଶା

ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଡେଙ୍ଗୁର ବିପଜ୍ଜନକ ସ୍ଥିତି: ୧୦ ଦିନରେ ୨ ମୃତ, ୯ ଆକ୍ରାନ୍ତ – bajravana

[ad_1]

ବର୍ଷା ଦିନରେ ଖୋଳି ପକାଇଲେ ରାସ୍ତା, ଭାଙ୍ଗିଦେଲେ ଶୌଚାଳୟ, ମୁଣ୍ଡାସାହିରେ ୫୦ରୁ ଅଧିକ ଆକ୍ରାନ୍ତ, ୪ ଜଣଙ୍କ ମୃତ୍ୟୁ ଅଭିଯୋଗ

ଖଣ୍ଡଗିରି: ଡେଙ୍ଗୁ ପ୍ରଜନନ କେନ୍ଦ୍ର ପାଲଟିଛି ନୂଆପଲ୍ଲୀସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସ। ଏଠାରେ ମାତ୍ର ୧୦ ଦିନ ମଧ୍ୟରେ ଡେଙ୍ଗୁରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମାର୍କେଟ୍‌ କଂପ୍ଲେକ୍ସସ୍ଥିତ ଅଣ୍ଡା ଦୋକାନ କର୍ମଚାରୀ ମନୋରଞ୍ଜନ ସାହୁ(୨୪) ଏବଂ ବ୍ୟବସାୟୀ ବିଶ୍ବନାଥ ସାହୁଙ୍କ ଜୀବନ ନେଇଛି ଡେଙ୍ଗୁ। ଏଥିସହିତ ସଞ୍ଜୟ ପାତ୍ର, ଶୁଭେନ୍ଦୁ ସାହୁ, ଅଜୟ ସାହୁ, ପ୍ରସନ୍ନ ସାହୁ, ସନାତନ ସାହୁ, ଆକ୍କା ସ୍ବାଇଁ, ଟିକି ନାଏକ, କାହ୍ନା ନାଏକ ଏବଂ ମନୋଜ ସାହୁଙ୍କ ସମେତ ୯ରୁ ଊର୍ଧ୍ବ ବ୍ୟବସାୟୀ ଏବଂ କର୍ମଚାରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରୁ କେବଳ କବିରାଜ ସାହୁ ସୁସ୍ଥ ହୋଇଛନ୍ତି। ଗୋଟିଏ ସ୍ଥାନରେ ଏକାସହିତ ଏତେ ସଂଖ୍ୟକ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହେବା ବଡ଼ ବିପଦ ସୃଷ୍ଟି କରିଛି। ଏଥିପାଇଁ ସେମାନେ ସିଧାସଳଖ ବିଏମ୍‌ସି ଏବଂ ବିଡିଏକୁ ଦାୟୀ କରିଛନ୍ତି। ତୁରନ୍ତ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆନଗଲେ, ଆହୁରି ବିପଜ୍ଜନକ ସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି ପ୍ରିୟଦର୍ଶିନୀ ବଜାର ବ୍ୟବସାୟୀ ସଂଘ ସଭାପତି ଶରତ ରାଉତ।

ଡେଙ୍ଗୁରୁ ସୁସ୍ଥ ହୋଇଥିବା କବିରାଜ ସାହୁ କହିଛନ୍ତି, ୬ ତାରିଖରୁ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ୧୪ ତାରିଖ ସୁଦ୍ଧା ସୁସ୍ଥ ହୋଇଥିଲେ। ପ୍ଲେଟ୍‌ଲେଟ୍‌ କମିନଥିବାରୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ। କିନ୍ତୁ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ହୋଇଛି। ଖୋର୍ଧା ମୁକ୍ତାପୁରରୁ ଆସି ରାଜଧାନୀରେ କାର୍ଯ୍ୟ କରୁଥିବା ମନୋରଞ୍ଜନ ଏବଂ କଟକର ବିଶ୍ବନାଥ ସାହୁଙ୍କ ମୃତ୍ୟୁ ସେମାନଙ୍କ ପରିବାର ପାଇଁ ଶକ୍ତ ଧକ୍କା ହୋଇଛି। ତାର ବିଛାଇବା ପାଇଁ ଠିକ ବର୍ଷା ଦିନରେ ଦୋକାନ ସମ୍ମୁଖ ରାସ୍ତାକୁ ଯେଉଁଭଳି ଖୋଳି ଦିଆଯାଇଛି, ଏହା ମଶା ବଂଶବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି। ସଂଘ ସଭାପତି ଶରତ ରାଉତଙ୍କ ଅନୁସାରେ, ପ୍ରିୟଦର୍ଶିନୀ ମାର୍କେଟ୍‌ କମ୍ପ୍ଲେକ୍ସରେ ସମୁଦାୟ ୩୦୦ ଜଣ ବ୍ୟବସାୟୀ ଅଛନ୍ତି। ଏଠାରେ ପୂର୍ବରୁ ଥିବା ଶୌଚାଳୟକୁ ନବୀକରଣ କରାଯିବା କଥା କହି ୩ ମାସ ପୂର୍ବରୁ ବିଏମ୍‌ସି ଏହାକୁ ଭାଙ୍ଗିଦେଲା। ଏହାପରେ ତୁରନ୍ତ ନୂତନ ଶୌଚାଳୟ ନିର୍ମାଣ ବଦଳରେ ହେଲା ଶୌଚାଳୟକୁ ଆବର୍ଜନା କେନ୍ଦ୍ରରେ ପରିଣତ କରିଦେଲା। ତା’ ବଦଳରେ ଯେଉଁ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି, ଏହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ରହିଛି।

ଏଥିଯୋଗୁଁ ମଇଳା ଠିକ ଭାବରେ ଯାଇପାରୁ ନାହିଁ। ଏଥିଯୋଗୁଁ ସେହି ସ୍ଥାନଟି ସନ୍ତସନ୍ତିଆ ଏବଂ ଆବର୍ଜନାମୟ ସ୍ଥିତିରେ ରହିଛି। ପାଣି ଠିକ ଭାବରେ ନିଷ୍କାସିତ ହୋଇନପାରି, ତାହା ମଧ୍ୟ ଜମି ରହୁଛି। ଏଥିସମ୍ପର୍କରେ ବିଏମ୍‌ସି ମେୟର, କମିସନର ଏବଂ ଇଞ୍ଜିନିୟରଙ୍କୁ ଜଣାଇ ଦିଆଯାଇଥିଲେ ମଧ୍ୟ କୌଣସି ଲାଭ ହୋଇନାହିଁ। ସାମାନ୍ୟ ବର୍ଷା ହେଲେ ବଜାର ଚତୁଃପାର୍ଶ୍ବରେ ପାଣି ଜମି ଯାଉଛି। ନିଷ୍କାସିତ ହେବାକୁ ପ୍ରାୟ ୪ରୁ୫ ଘଣ୍ଟା ସମୟ ଲାଗି ଯାଉଛି। ଏହି ସମୁଦାୟ ସ୍ଥିତି ଡେଙ୍ଗୁ ମଶା ବୃଦ୍ଧି ନେଇ ସୁଯୋଗ ସୃଷ୍ଟି କରୁଛି। ୱାର୍ଡ ୪୮ର କର୍ପୋରେଟର ସୁଚିତ୍ରା ପାତ୍ର କହିଛନ୍ତି, ପ୍ରିୟଦର୍ଶିନୀ ମାର୍କେଟ୍‌ କଂପ୍ଲେକ୍ସ ନିକଟସ୍ଥ ମୁଣ୍ଡାସାହିରେ ପ୍ରାୟ ୫୦ରୁ ଊର୍ଧ୍ବ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ ୪ ଜଣଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇସାରିଛି। ଏଠାରେ ଡେଙ୍ଗୁର ସ୍ଥିତି ଉଦ୍‌ବେଗଜନକ। ଏହାର ନିରାକରଣ ପାଇଁ ବିଏମ୍‌ସି ପକ୍ଷରୁ ମଶା ଧୂଆଁ ଛଡ଼ାଯିବା ସହିତ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସତ୍ତ୍ବେ ଡେଙ୍ଗୁ ନିୟନ୍ତ୍ରଣ ହୋଇପାରୁ ନାହିଁ। ବର୍ତ୍ତମାନ ଏଠାରେ ଟିପିସିଓଡିଏଲ୍‌ ପକ୍ଷରୁ ଭୂତଳ ତାର ବିଛାଇବା କାର୍ଯ୍ୟ କରାଯାଉଛି। ସେମାନେ ବିଏମ୍‌ସିକୁ ହସ୍ତାନ୍ତର କରିବା ପରେ ଶୌଚାଳୟ ନିର୍ମାଣ ହୋଇପାରିବ। ବର୍ତ୍ତମାନ ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ। ଶୌଚାଳୟ ନିର୍ମିତ ସ୍ଥାନଟି ଏନ୍‌ଏଚ୍‌ଏଆଇର। କିନ୍ତୁ ବ୍ୟବସାୟୀଙ୍କ ସ୍ବାର୍ଥ ପାଇଁ ବିଏମ୍‌ସି ଖର୍ଚ କରୁଛି। ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ସମସ୍ତଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ ବୋଲି କର୍ପୋରେଟର ଶ୍ରୀମତୀ ପାତ୍ର କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button