ଓଡିଶା

କଣ୍ଟ ପୂରିଲା, ସରିଲାନି ଇନ୍‌ଡୋର ଷ୍ଟାଡିୟମ କାମ: ଡିଜାଇନ ପ୍ରସ୍ତୁତିରେ ବିଳମ୍ବ, ନିରାଶ କ୍ରୀଡ଼ାବିତ୍‌ – bajravana

[ad_1]

ପୁରୀ: କଣ୍ଟ ପୂରିଲା, କିନ୍ତୁ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ ନିର୍ମାଣ କାମ ସରିଲାନି। ବକ୍ସିଂ ଆରିନାର ଭିତ୍ତିଭୂମିକୁ ନେଇ ଦେଖାଯାଇଥିବା ସ୍ବପ୍ନ ମଧ୍ୟ ସାକାର ହେଲା ନାହିଁ। ଫନି ବାତ୍ୟାରେ ଭୁଶୁଡ଼ି ପଡ଼ିଥିବା ଇନ୍‌ଡୋର୍‌ ହଲ ପାଇଁ ୯କୋଟି ୮୩ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି। ମାତ୍ର ଡିଜାଇନ୍‌ ପ୍ରସ୍ତୁତିରେ ପୁରୀ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅହେତୁକ ବିଳମ୍ବ ଯୋଗୁ କାମ ଧିମେଇ ଚାଲିଛି। ଏଣେ ଭିତ୍ତିଭୂମି ଅଭାବରୁ ଜିମ୍ନାଷ୍ଟିକ, ବକ୍ସିଂ ଓ କୁସ୍ତି ପ୍ରଶିକ୍ଷଣ ପାଇଁ କ୍ରୀଡ଼ାବିତ୍‌ଙ୍କୁ ସୁଯୋଗ ମିଳୁନାହିଁ। ପୁରୀରୁ ନୂଆ କ୍ରୀଡ଼ାବିତ୍‌ ସୃଷ୍ଟି ହେବା ସ୍ବପ୍ନ ହୋଇଯାଇଛି।

୧୯୮୬-୮୭ ମସିହାରେ ପୁରୀ ଜିଲ୍ଲାରେ କ୍ରୀଡ଼ା ଛାତ୍ରାବାସର ଶୁଭାରମ୍ଭ ହୋଇଥିଲା। ଲକ୍ଷ୍ୟ ଥିଲା, ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଖୋଜି ହଷ୍ଟେଲରେ ପ୍ରଶିକ୍ଷଣ ଦେବା ଓ ରାଜ୍ୟ ପାଇଁ ଗୌରବ ସାଉଁଟିବା। ଏପରିକି ପରବର୍ତ୍ତୀ ସମୟରେ ୨୦୦୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌, ବ୍ୟାୟାମଶାଳା ଓ କ୍ରୀଡ଼ା ଛାତ୍ରାବାସର ନୂଆ ବିଲ୍‌ଡିଂ ନିର୍ମାଣ ହୋଇଥିଲା। ଭିତ୍ତିଭୂମି ଉନ୍ନତ କରାଗଲା। କ୍ରୀଡ଼ା ଛାତ୍ରାବାସରେ ୫୫ ଛାତ୍ରଛାତ୍ରୀ ରହିବା ସହ କ୍ରୀଡ଼ାଭ୍ୟାସ ଓ ପ୍ରଶିକ୍ଷଣ ନେଉଥିଲେ। ସେହିପରି ୨୦୧୪ ମସିହାରେ ବକ୍ସିଂ ଛାତ୍ରାବାସର ଶୁଭାରମ୍ଭ ହୋଇଥିଲା। ୧୬ ଜଣ ପିଲା ଛାତ୍ରାବାସରେ ରହି ବକ୍ସିଂ ଅଭ୍ୟାସ କରୁଥିଲେ। ମାତ୍ର ୨୦୧୯ ମସିହାରେ ବକ୍ସିଂ ପାଇଁ ମିଳୁଥିବା ଛାତ୍ରାବାସ ସୁବିଧା ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା। ତେଣୁ ବକ୍ସିଂ ପ୍ରତିଭାଙ୍କ ସ୍ବପ୍ନ ଧୂଳିସାତ ହୋଇଗଲା।

ଫନି ମହାବାତ୍ୟା ହିଁ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ରେ ଦୁର୍ଗତି ଆଣିଲା। ହଲ୍‌ଟି ଫନି ମାଡ଼ରେ ଭାଙ୍ଗି ଛିନ୍‌ଛତ୍ର ହୋଇଗଲା। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଆସି ଏହାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ଦେଲେ। ଆଧୁନିକ ଶୈଳୀ ଛାପରେ ଇନ୍‌ଡୋର ହଲ୍ ନିର୍ମାଣ କରିବା ପାଇଁ ନକ୍ସା ପ୍ରସ୍ତୁତ ହେଲା। ମାତ୍ର ଏହି ଇନ୍‌ଡୋର ହଲ୍‌ କାମ କରୁଥିବା ରାସ୍ତା ଓ କୋଠାବାଡ଼ି ଡିଭିଜନ ଡିଜାଇନ ଦେବାରେ ବିଳମ୍ବ କଲା। ତେଣୁ ଗତ ଜୁଲାଇ ୨୩ ତାରିଖ ସୁଦ୍ଧା ଏହି ଇନ୍‌ଡୋର ହଲର ନିର୍ମାଣ କାର୍ଯ୍ୟ ସାରିବା ପାଇଁ କଣ୍ଟ ଦିଆଯାଇଥିଲେ ହେଁ କାମ ଏପର୍ଯ୍ୟନ୍ତ ସରିପାରିନାହିଁ। ଯଦିଓ ନିର୍ମାଣ କାର୍ଯ୍ୟ ୮୦ ପ୍ରତିଶତ ହୋଇଛି, କିନ୍ତୁ ଆନୁଷଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା କରିବା ପାଇଁ ଅନ୍ୟୁନ ୪-୫ ମାସ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ବିଡ଼ମ୍ବନା ହେଉଛି, ଭିତ୍ତିଭୂମି ଅଭାବର ଆଳ ଦେଖାଇ ପୁରୀ ମାଟିର ଖେଳ ‘କୁସ୍ତି’ ପ୍ରଶିକ୍ଷଣକୁ କଟକ କ୍ରୀଡ଼ା ଛାତ୍ରାବାସକୁ ସ୍ଥାନାନ୍ତରିତ କରିଦିଆଗଲା। ପରବର୍ତ୍ତୀ ସମୟରେ ଜିମ୍ନାଷ୍ଟିକର ବିପର୍ଯ୍ୟୟ ଆରମ୍ଭ ହେଲା। ଭିତ୍ତିଭୂମି ଅଭାବରୁ ପିଲାମାନେ ଇନ୍‌ଡୋର ହଲ୍ ବାହାରେ ଜିମ୍ନାଷ୍ଟିକ ଅଭ୍ୟାସ କଲେ। କିନ୍ତୁ କାଳକ୍ରମେ ଏହାକୁ ବି ବାହାର ଜିଲ୍ଲାକୁ ସ୍ଥାନାନ୍ତର କରିଦିଆଗଲା। ଯଦିଓ ପେଣ୍ଠକଟାରେ ୧୦୦ ଜଣିଆ କ୍ରୀଡ଼ା ଛାତ୍ରାବାସର ବ୍ୟବସ୍ଥା ହୋଇଛି, କିନ୍ତୁ ଏଯାଏ କ୍ରୀଡ଼ା ପାଇଁ ଯଥେଷ୍ଟ ଭିତ୍ତିଭୂମି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ନିର୍ମାଣାଧୀନ ଇନ୍‌ଡୋର ହଲ୍‌ ଓ ବକ୍ସିଂ ଆରିନାରେ ବକ୍ସିଂ ସମେତ ଜିମ୍ନାଷ୍ଟିକ୍‌, ଟେବୁଲ ଟେନିସ, କୁସ୍ତି ଆଦି ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ମାତ୍ର କଣ୍ଟ ପୂରିଯାଇଥିବାରୁ କାମ କେବେ ଶେଷ ହେବ, ଏହାର ଜବାବ ରଖିପାରୁନାହାନ୍ତି ଅଧିକାରୀ। ତୁରନ୍ତ ଇନ୍‌ଡୋର ହଲ୍‌ କାମ ସାରି କ୍ରୀଡ଼ା ପ୍ରଶିକ୍ଷଣ ଦେବାକୁ ଦାବି ହୋଇଛି। ଶ୍ରୀଜଗନ୍ନାଥ ଷ୍ଟାଡିୟମରେ କ୍ରୀଡ଼ା ଛାତ୍ରାବାସକୁ ମଧ୍ୟ ତ୍ବରିତ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button