ଦେଶ ବିଦେଶ

ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ

ବେଙ୍ଗାଲୁରୁ : ଦେଶର ପ୍ରମୁଖ ଆଇଟି କମ୍ପାନି ଓ୍ବିପ୍ରୋ ପକ୍ଷରୁ ପ୍ରାୟ ୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଦିଆଯାଇଛି । ସେମାନେ ଗୋପନରେ ଆଉ ଏକ ପ୍ରତିଦ୍ବନ୍ଦୀ କମ୍ପାନି ପାଇଁ କାମ କରୁଥିବା ଧରା ପଡ଼ିବା ପରେ କମ୍ପାନି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଏ ସଂପର୍କରେ ସୂଚନା ଦେଇ କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରିଷଦ୍ ପ୍ରେମଜୀ କହିଛନ୍ତି ଯେ କମ୍ପାନିର କେତେକ କର୍ମଚାରୀ ଗୋପନରେ ଅନ୍ୟ କମ୍ପାନିମାନଙ୍କ ପାଇଁ କାମ କରୁଛନ୍ତି । ଗତ କିଛି ମାସ ମଧ୍ୟରେ ଏପରି ୩୦୦ କର୍ମଚାରୀଙ୍କ ସନ୍ଧାନ ମିଳିଛି । ନିଜର ସାଧୁତାର ଉଲ୍ଲଙ୍ଘନ ପାଇଁ ସେମାନଙ୍କୁ ଚାକିରିରୁ ବିଦା କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଏକା ସମୟରେ ଅନ୍ୟ କମ୍ପାନି ପାଇଁ ଗୋପନରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ଓ୍ବିପ୍ରୋରେ କୌଣସି ସ୍ଥାନ ନାହିଁ । ସେମାନଙ୍କ ପ୍ରତି ଠିକ ଏପରି ବ୍ୟବହାର କରାଯିବ ।

ଆଇଟି ଇଣ୍ଡଷ୍ଟ୍ରି ଏବେ ମୁନଲାଇଟିଂକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏପରି ପଦକ୍ଷେପ ନେଇ ଓ୍ବିପ୍ରୋ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି । ମୁନଲାଇଟିଂର ଅର୍ଥ ହେଉଛି ଗୋଟିଏ କମ୍ପାନିର ଚାକିରିରେ ଥାଇ ଅନ୍ୟ ଏକ ପ୍ରତିଦ୍ବନ୍ଦୀ କମ୍ପାନି ପାଇଁ ଗୋପନରେ କାମ କରିବା ।

କରୋନା ମହାମାରୀ ପରେ ଅନେକ କର୍ମଚାରୀ ଏବେ ଘରୁ କାମ କରୁଥିବାରୁ ମୁନଲାଇଟିଂ ମାମଲା ବଢିଯାଇଥିବା ଅନୁମାନ କରାଯାଉଛି । ଏହାକୁ ନେଇ ଆଇଟି ଶିଳ୍ପରେ ଚିନ୍ତା ବଢିଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button