ଓଡିଶା

ବାଘୁଣୀ ପାଇଁ ଚାଲିଲା କି ହଜାରେ କିଲୋମିଟର? – bajravana

[ad_1]

ସଞ୍ଜୟ-ଦୁବ୍ରି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ସୁନ୍ଦରଗଡ଼, ମହାବଳର ସୁରକ୍ଷା ପାଲଟିଛି ଆହ୍ୱାନ

ଭୁବନେଶ୍ୱର: ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ବଣାଇ (ତୋରା ବନାଞ୍ଚଳ) ସଂରକ୍ଷିତ ବନଖଣ୍ଡରେ ଯେଉଁ ମହାବଳକୁ ଠାବ କରାଯାଇଛି ତାହା ମଧ୍ୟପ୍ରଦେଶର ସଞ୍ଜୟ-ଦୁବ୍ରି ଟାଇଗର ରିଜର୍ଭ(ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲ)ରୁ ଆସିଛି। ଏହି ଦୁଇ ଜଙ୍ଗଲ ମଧ୍ୟରେ ଦୂରତା ଏକ ହଜାର କିଲୋମିଟରରୁ ଅଧିକ ‌ହୋଇଥିବା ବେଳେ ଏହି ମହାବଳ ବାଘଟି ଏତେ ଦୂର ଅତିକ୍ରମ କରି କାହିଁକି ଆସିଲା? ଏତେ ଦୀର୍ଘ ରାସ୍ତା କିଭଳି ଅତିକ୍ରମ କଲା? ରାସ୍ତାରେ କୌଣସି ବିପଦ ସାମ୍ନା କଲା କି? ବାଘଟି ବଣାଇ ଜଙ୍ଗଲକୁ ଆସିଥିବାରୁ ବନ୍ୟପ୍ରାଣୀ ବିଶେଷଜ୍ଞ ଖୁସିବ୍ୟକ୍ତ କରିଛନ୍ତି ସତ, କିନ୍ତୁ ଏହି ପ୍ରଶ୍ନ ଉପ‌ରେ ‌ସେମାନେ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞ କହୁଛନ୍ତି ଯେ ବାଘଟି ଦୁଇଟି କାରଣ ପାଇଁ ନିଜ ଜଙ୍ଗଲ ଛାଡ଼ି ବଣାଇ ଆସିଥାଇପାରେ। ପ୍ରଥମଟି ହେଲା ଓଡ଼ିଶା ଜଙ୍ଗଲକୁ ନିରାପଦ ମନେ କରି ଆସିଥାଇପାରେ। ଦ୍ବିତୀୟ କାରଣଟି ହେଉଛି ‌ସେ ବାଘୁଣୀ ସନ୍ଧାନରେ ଆସିଥାଇପାରେ। ଏଠି ବାଘୁଣୀ ନମିଳିଲେ, ମହାବାଳଟି ଅନ୍ୟ ସ୍ଥାନକୁ ଯାଇପାରେ। ତେଣୁ ବାଘର ସୁରକ୍ଷା କଥାଟିକୁ ନେଇ ସମସ୍ତେ ଚିନ୍ତାରେ। ଏହା ଏବେ ଜଙ୍ଗଲ ବିଭାଗର ଅଧିକାରୀଙ୍କ ପାଇଁ ଆହ୍ବାନ ପାଲଟିଛି।

ବଣାଇ ଡିଏଫ୍‌ଓ ଲଲିତ ପାତ୍ର କହିଛନ୍ତି, ଜଙ୍ଗଲରେ ଲାଗିଥିବା କ୍ୟାମେରା ପ୍ରତି ୨୫ ଦିନରେ ଯାଞ୍ଚ ହୁଏ। ଏଥର ଯାଞ୍ଚ ସମୟରେ ମହାବଳ ବାଘର ଉପସ୍ଥିତି ବିଷୟରେ ଜଣାପଡ଼ିଲା। ଫେବ୍ରୁଆରି ୨୬ ତାରିଖ ସନ୍ଧ୍ୟା ୭.୦୪ ମିନିଟ୍‌ରେ ମହାବଳର ଟ୍ରାପ୍‌ ଫୁଟେଜ୍ ମିଳିଥିଲା। ମଧ୍ୟପ୍ରଦେଶର ସଞ୍ଜୟ-ଦୁବ୍ରି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ତୋରା ବନାଞ୍ଚଳ ସଂରକ୍ଷିତ ବନଖଣ୍ଡର ହାରାହାରି ଦୂରତା ୧୦୦୦ କିଲୋମିଟରରୁ ଅଧିକ ହେବ। ମହାବଳ ବାଘ ଏତେ ରାସ୍ତା ଅତିକ୍ରମ କରିବା ସହଜ ନୁହେଁ। ବିଶିଷ୍ଟ ବାଘ ଗବେଷକ ଡକ୍ଟର ଲାଲା ଅଶ୍ୱିନୀ କୁମାର ସିଂଙ୍କ ମତରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଓ ଜଙ୍ଗଲରେ କ୍ୟାମେରା ଟ୍ରାପିଙ୍ଗ୍‌ ଉପଯୋଗ କରି ଭାରତର ବିଭିନ୍ନ ଜଙ୍ଗଲରେ ରହୁଥିବା ସମସ୍ତ ବାଘଙ୍କ ତଥ୍ୟ ଓ ଫଟୋଗ୍ରାଫ୍‌ ସଂରକ୍ଷିତ କରାଯାଇଛି। ଯଦି କୌଣସି ବାଘ ଅନ୍ୟ ଜଙ୍ଗଲକୁ ଯାଏ ଓ ସେଠାକାର କ୍ୟାମେରାରେ ଏହା କଏଦ ହେଲା, ସେ କ୍ଷେତ୍ରରେ ସବୁ ବାଘଙ୍କର ତଥ୍ୟ ଓ ଫଟୋକୁ ପରୀକ୍ଷା ନିରୀକ୍ଷା କରାଯାଇ ସହଜରେ ଜଣାପଡେ ବାଘଟି କେଉଁ ଜଙ୍ଗଲରୁ ଆସିଛି।

ସଞ୍ଜୟ-ଦୁବ୍ରି ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରୁ ସୁନ୍ଦରଗଡ଼
ମହାବଳର ସୁରକ୍ଷା ପାଲଟିଛି ଆହ୍ୱାନ
ବାଘୁଣୀ ନ ପାଇଲେ ପୁଣି ଅନ୍ୟତ୍ର ଯାଇପାରେ
ସୁନ୍ଦରଗଡ ଖଣି ଅଞ୍ଚଳ ହୋଇଥିବାରୁ ବିପଦ ଅଛି

ଗୋଟିଏ ଯୁବକ କିମ୍ବା ପ୍ରାପ୍ତବୟସ୍କ ବାଘ ୫ ହଜାର କିଲୋମିଟରରୁ ଅଧିକ ରାସ୍ତା ଯାତ୍ରା କରିବାକୁ ସକ୍ଷମ। ଯଦି ବାଘଟି ମିଳନ ପାଇଁ କୌଣସି ବାଘୁଣୀ ପ୍ରତି ଆକର୍ଷିତ ହୋଇ ଯାତ୍ରା କରେ ତେବେ ସେ ପୂରା ରାତି ଯାତ୍ରା କରିବାକୁ ପଛାଇବ ନାହିଁ। ଏମିତିରେ ବି ସେମାନଙ୍କୁ ରାତିରେ ଭଲ ଦେଖାଯାଇଥାଏ। ଏଣୁ କୌଣସି ବିପଦର ଆଭାସ ନପାଇଲେ ବାଘଟି ଅତିକମ୍‌ରେ ୨୦ରୁ ୨୫ କିଲୋମିଟର (ଆବଶ୍ୟକସ୍ଥଳେ ୫୦ କିଲୋମିଟର ଚାଲିବା ଓ ଦୌଡିବା) କ୍ଳାନ୍ତ ନ ହୋଇ ଅତିକ୍ରମ କରିପାରିବ। ସେହିପରି ଜଳ ଭିତରେ ପହଁରି ଥରକେ ବାଘ ୧୦ କିଲୋମିଟର ଅତିକ୍ରମ କରିପାରିବ। ଯେତେବେଳେ ଗୋଟିଏ ବାଘ ଜଙ୍ଗଲରେ ନିଜସ୍ୱ ସ୍ୱତନ୍ତ୍ର ବାସସ୍ଥଳୀ ସ୍ଥାପନ କରିବାକୁ ଅନ୍ୟ ଜଙ୍ଗଲ ଖୋଜେ, ସେତେବେଳେ ନିଜ ପାଇଁ ସମ୍ପୂର୍ଣ ସୁରକ୍ଷିତ ବନାଞ୍ଚଳ ଚିହ୍ନଟ ନକରିବା ପର୍ଯ୍ୟନ୍ତ ତାର ଅନୁସନ୍ଧାନ ଓ ଯାତ୍ରା ଜାରି ରଖିବାର ଦୃଷ୍ଟାନ୍ତ ରହିଛି ବୋଲି ପୂର୍ବତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବିଜୟ କେତନ ପଟ୍ଟନାୟକ କୁହନ୍ତି। ଭାରତର ବିଶିଷ୍ଟ ବାଘ ଗବେଷକ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ବାଲ୍ମୀକ ଥାପର ନିଜ ଗବେଷଣା (ପୁସ୍ତକ)ରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି ।

ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ବାଘଟି ଶହ ଶହ କିଲୋମିଟର ପଥ ଅତିକ୍ରମ କରିବା ସମୟରେ ଜଙ୍ଗଲ ପାଖ ଗାଁ ଗଣ୍ଡାରେ ମଣିଷ ଓ ଗୃହପାଳିତ ପ୍ରାଣୀମାନଙ୍କୁ ଶିକାର କରି ଖାଇବାର କିଛି ନଜିର ଅଛି କି? ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ବାଘ ନିଜର ଲକ୍ଷ୍ୟ ହାସଲକୁ ଗୁରୁତ୍ବ ଦେଇଥାଏ। ଏଣୁ ସେ ଯାଉଥିବା ରାସ୍ତାରେ କୌଣସି ବିପଦ ଆମନ୍ତ୍ରଣ କରେ ନାହିଁ। ଆହୁରି ସରଳ ଭାବେ କହିଲେ, ଲୋଭ କରି ଶିକାର କରିବାକୁ ସେ ପସନ୍ଦ କରେନାହିଁ। ରାତିରେ ଜଙ୍ଗଲରେ କିଛି ପାଇଲେ ଶିକାର କରି ଖାଇଥାଏ। ଦିନରେ ସେ ନିଜକୁ ଲୁଚାଇ ରଖିବାକୁ ପସନ୍ଦ କରେ। ଗୋଟିଏ ବାଘ ଥରେ ଖାଇଦେଲେ ୫ ରୁ ୭ ଦିନ ନଖାଇ ରହିପାରେ। ଏପରିକି ୭ ଦିନ ଉପବାସ ମଧ୍ୟ ରହିପାରେ ବୋଲି ବିଜୟ କେତେନ ପଟ୍ଟନାୟକ କୁହନ୍ତି। ବିଶେଷଜ୍ଞଙ୍କ ଯୁକ୍ତି ହେଉଛି,ଏବେ ବାଘର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ। ସୁନ୍ଦରଗଡ଼ ଜଙ୍ଗଲ ସମୂହ ଖଣି ଖାଦାନ ଅଞ୍ଚଳ ହୋଇଥିବାରୁ ମହାବଳର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ସୁନିଶ୍ଚିତ। ଅତୀତରେ ଏଠାରେ ଦେଖାଯାଇଥିବା ଏକ ମହାବଳ ବାଘର ମୃତଦେହ କିଛି ଦିନପରେ ମିଳିବାର ଦୃଷ୍ଟାନ୍ତ ରହିଛି। ଯଦି ନିଜର ବସତି ସ୍ଥାପନ କରିବାକୁ ଏହି ମହାବଳ ଆସିଥିବ ତେବେ ଏଠାରେ ବାଘୁଣୀ ନପାଇ ନିସଙ୍ଗ ହେବାପରେ ହୁଏତ ଅନ୍ୟ ଜଙ୍ଗଲକୁ ମିଳନ ପାଇଁ ଯିବାକୁ ଯାତ୍ରା ଜାରି ରଖିବ। ଏପରିସ୍ଥଳେ ଏହି ମହାବଳର ସୁରକ୍ଷା ଆହୁରି ଜରୁରି ହୋଇପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button