ଅପରାଧ

ନିଶା କାରବାର: ଝାରପଡ଼ା ଜେଲ୍‌ରେ ଗ୍ୟାଙ୍ଗ୍‌ୱାର୍‌ – bajravana

[ad_1]

ବିଚାରାଧୀନ କଏଦୀଙ୍କ ଆଖି ଫଟାଇଦେଲେ

ଭୁବନେଶ୍ବର: ଦିନକୁ ଦିନ ଝାରପଡ଼ା ଜେଲ୍‌ର ସ୍ଥିତି ବିଗିଡ଼ିବାରେ ଲାଗିଛି। କେତେବେଳେ ୱାର୍ଡରେ କଏଦୀ ବାଡ଼ାବାଡ଼ି ହୋଇ ରକ୍ତାକ୍ତ ହେଲେଣି ତ କେତ‌େବେଳେ ୱାର୍ଡରଙ୍କ ଉପରେ ଆକ୍ରମଣ କଲେଣି। କେବେ ଜେଲ୍‌ ଭିତରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନ୍‌ସୁଗାର ଜବତ ହେଲାଣି ତ କେବେ ମାଳମାଳ ମୋବାଇଲ୍‌ ଓ ମାରଣାସ୍ତ୍ର ମିଳିଲାଣି। ନିଶା କାରବାରକୁ ନେଇ ଗତକାଲି ବିଚାରାଧୀନ କଏଦୀଙ୍କର ଦୁଇଟି ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜେଲ୍‌ ଭିତରର ବାସ୍ତବ ଚିତ୍ରକୁ ଆଉଥରେ ସ୍ପଷ୍ଟ କରିଦେଇଛି। ଏଇ ଲଢ଼େଇରେ ଚକରା ବାରିକ ଗ୍ୟାଙ୍ଗର ଆକ୍ରମଣରେ ଶମ୍ଭୁନାଥ ବାରିକ ନାମକ ଜଣେ କଏଦୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୩ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ରବିବାର ଅପରାହ୍ନ ସମୟରେ କୌଣସି କାରଣକୁ ନେଇ ଚକରା ଓ ଶମ୍ଭୁନାଥ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ତାହା ଭୟଙ୍କର ରୂପ ନେଇଥିଲା। ଉଭୟଙ୍କର ଧସ୍ତାଧସ୍ତି ଆରମ୍ଭ ହୋଇଯିବାପରେ ସେମାନଙ୍କ ସମର୍ଥକମାନେ ମଧ୍ୟ ସେଥିରେ ଯୋଗ ଦେଇଥିଲେ। ଚକରା ଗ୍ୟାଙ୍ଗର ପାପୁନ୍‌ ମାଝୀ, ଜଗନ୍ନାଥ ମହାନ୍ତି ଓ ଅନ୍ୟ ସହଯୋଗୀମାନେ ମିଶି ଶମ୍ଭୁନାଥ ଓ ତା’ର ସମର୍ଥକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନଙ୍କ ଆତଙ୍କ ଏତେ ଭୟଙ୍କର ଥିଲା ଯେ କେହି ଅଟକାଇବାକୁ ସାହସ ଜୁଟାଇ ନଥିଲେ। କାରଣ ସେଲ୍‌ ଭିତରେ ଚକରାର ପ୍ରବଳ ଦବଦବା ରହିଛି। ତା’ର ଆତଙ୍କରେ ପୂରା ଜେଲ୍‌ ଭୟଭୀତ ବୋଲି କହିଲେ ଭୁଲ୍‌ ହେବନାହିଁ। ତେଣୁ ତା’ ଗ୍ୟାଙ୍ଗ୍‌କୁ ଅଟକାଇବା ତ ଦୂରର କଥା, କେହି ମୁହଁ ମଧ୍ୟ ଖୋଲି ନଥିଲେ। ଚକରା ଗ୍ୟାଙ୍ଗ୍‌ ଶମ୍ଭୁନାଥକୁ ନିସ୍ତୁକ ମାଡ଼ ମାରିବା ଭିତରେ ତା’ ବାମଆଖିରେ ବାଜି ଗଭୀର କ୍ଷତ ହୋଇଥିଲା। ଫଳରେ ଶମ୍ଭୁକୁ କିଛି ବୁଦ୍ଧିବାଟ ଦିଶିନଥିଲା। ସେ ଚିତ୍କାର କରିବାରୁ ୱାର୍ଡର ଓ ଅନ୍ୟ ଜେଲ୍‌ କର୍ମଚାରୀ ଧାଇଁ ଆସିଥିଲେ। ଚକରା ଗ୍ୟାଙ୍ଗ୍‌ର ଲୋକମାନେ ତା’ପରେ ମଧ୍ୟ ଅଟକି ନଥିଲେ। ୱାର୍ଡରଙ୍କୁ ବି ସେମାନେ ନାଲିଆଖି ଦେଖାଇଥିଲେ। ବହୁ କସରତ ପରେ ଶମ୍ଭୁନାଥକୁ ଉଦ୍ଧାର କରି ୱାର୍ଡର ବାହାରକୁ ଆଣିଥିଲେ। ତୁରନ୍ତ ତାକୁ ଚିକିତ୍ସା ପାଇଁ ପ୍ରଥମେ ଜେଲ୍‌ ହସ୍ପିଟାଲ୍‌ ଓ ପ‌ରେ କ୍ୟାପିଟାଲ ହସ୍ପିଟାଲକୁ ନିଆ ଯାଇଥିଲା। ଏବେ ଜେଲ୍‌ ହସ୍ପିଟାଲରେ ତା’ର ଚିକିତ୍ସା ଚାଲିଛି।

କୁଖ୍ୟାତ ଚକରାକୁ ସ୍ଥାନାନ୍ତର ଯୋଜନା
ଜେଲ୍‌ ଡିଜିଙ୍କୁ ଡିଆଇଜିଙ୍କ ଚିଠି

ଏନେଇ ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାପରେ ପୁଲିସ କେସ୍‌ ନଂ-୧୭୧‌ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧୀକ୍ଷକ ପୁଲିସ ନିକଟରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ରବିବାର ଅପରାହ୍ନ ୪ଟା ୧୦ରେ ସାମାନ୍ୟ କଥାକୁ ନେଇ ଦୁଇଗୋଷ୍ଠୀ କଏଦୀଙ୍କ ଭିତରେ ସଂଘର୍ଷ ଘଟିଥିଲା। କଏଦୀ ଚକରା, ଜଗନ୍ନାଥ ଓ ପାପୁନ ଜେଲ୍‌ କ୍ୟାଣ୍ଟିନରୁ ଆସୁଥିବାବେଳେ ଶମ୍ଭୁନାଥ ସହିତ ଧକା ହୋଇଥିଲେ। ସେହି କାରଣରୁ ଉଭୟପକ୍ଷଙ୍କ ଭିତରେ ଝଗଡ଼ା ହୋଇ ଗୋଷ୍ଠୀସଂଘର୍ଷର ରୂପ ନେଇଥିଲା। ତେବେ ପ୍ରକୃତରେ କ’ଣ ଘଟିଥିଲା, ସଂଘର୍ଷର ଅସଲ କାରଣ କ’ଣ, କିଏ କାହାକୁ ପ୍ରଥମେ ଆକ୍ରମଣ କରିଥିଲା, ପୂର୍ବରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ କି- ଏସବୁ ରହସ୍ୟ ‌ହୋଇ ରହିଛି। କାରଣ ପୂର୍ବରୁ ଏହି ଜେଲ୍‌ରେ ଏକାଧିକ ଥର କଏଦୀଙ୍କ ମଧ୍ୟରେ ସଂଘର୍ଷ ‌ଘଟିଛି। ଏମିତିକି ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି। ତେଣୁ ରବିବାରର ଘଟଣାକୁ ଜେଲ୍‌ କର୍ତ୍ତୃପକ୍ଷ ଯେମିତି ସଂପୂର୍ଣ୍ଣ ରୂପେ ସେହି ଦିନର ଘଟଣା ଭାବେ ଚିତ୍ରଣ କରୁଛନ୍ତି, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନ ଉଭୟ ଗ୍ୟାଙ୍ଗକୁ ସେଲ୍‌ରୁ ଅଲଗା କରାଯାଇଛି। ସେମାନଙ୍କୁ ଭିନ୍ନଭିନ୍ନ ସେଲ୍‌ରେ ରଖାଯାଇଛି। ଚକରା ଜଣେ କୁଖ୍ୟାତ ଅପରାଧୀ ହୋଇଥିବାରୁ ତାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା ହେଉଛି ବୋଲି ଖବର ମିଳିଛି। ଘଟଣା ପରେ ଜେଲ୍‌ ପରେଡ୍‌କୁ ଗୁରୁତ୍ବର ସହ ନେଇଛନ୍ତି ଡିସିପି ପ୍ରତୀକ ସିଂହ।

ଅନ୍ୟପଟେ କୁହାଯାଉଛି ଯେ ରାଜଧାନୀରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ଚକରାକୁ ୨୦୨୨ ମସିହା ମେ’ ୧୨ ତାରିଖରେ ଏନ୍‌କାଉଣ୍ଟର କରାଯାଇଥିଲା। ସେବେ‌ଠାରୁ ସେ ଝାରପଡ଼ା ଜେଲ୍‌ରେ ଅଛି। ଜେଲ୍‌ ଭିତରେ ସେ ନିଜର ସ୍ବତନ୍ତ୍ର ଗ୍ୟାଙ୍ଗ ତିଆରି କରିଛି। ବିଭିନ୍ନ ମାଧ୍ୟମରେ ଜେଲ୍‌ ଭିତରକୁ ନିଶାଦ୍ରବ୍ୟ ଆଣି ସେ ‌ମୋଟା ଅଙ୍କର ଲାଭ କରୁଥିଲା। ହେଲେ ୮ମାସ ତଳେ ନିଶା କାରବାର ମାମଲାରେ ଶମ୍ଭୁନାଥକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିଲା। ସେ ଜେଲ୍‌କୁ ଆସିବା ପରେ ସେଠାରେ ନିଜ ନିଶା ବ୍ୟବସାୟ ଜାରି ରଖିବାର ଯୋଜନା କରିଥିଲା। ସେଥିପାଇଁ ପୂର୍ବରୁ ସମାନ ବ୍ୟବସାୟରେ ଥିବା ଚକରା ସହିତ ଶମ୍ଭୁନାଥର ବିବାଦ ସୃଷ୍ଟି ହୋଇଥିଲା। ସେମାନେ ପୂର୍ବରୁ ଏକାଧିକ ଥର ମୁହାଁମୁହିଁ ହୋଇଥିଲେ। ହେଲେ ଜେଲ୍‌ କର୍ତୃପକ୍ଷ ଘଟଣାକୁ ଚପାଇବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ରବିବାରର ଘଟଣାକୁ ମଧ୍ୟ ଲୁଚାଇବାର ଚେଷ୍ଟା ହୋଇଥିଲା, କିନ୍ତୁ ମାମଲା ହସ୍ପିଟାଲ ଯାଏ ଯାଇଥିବାରୁ ତାହା ସଫଳ ହୋଇନଥିଲା। ଏହି ଘଟଣା ଝାରପଡ଼ା ଜେଲ୍‌ର ଢିଲା ଆଇନ୍‌ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ଝାରପଡ଼ା ଜେଲ୍‌ର ସ୍ଥିତିକୁ ନେଇ ନିକଟରେ ଜେଲ୍‌ ଡିଆଇଜି ଅନସୂୟା ଜେନା ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ। ‌ଜେଲ୍‌ ସମୀକ୍ଷାରେ ଆସିଥିବା ବେଳେ ସ୍ଥିତି ଅତ୍ୟନ୍ତ ସଂଗୀନ ଥିବା ସେ ଜେଲ୍‌ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button