ବର୍ଷରେ ୬ ମାସ ଶୁଖିଲା ଶିଙ୍ଗଡ଼ା ନାଳ – bajravana
[ad_1]
ଛେଣ୍ଡିପଦା: ଶିଙ୍ଗଡ଼ା ଏକ ଛୋଟ ନଦୀ। ଲୋକମୁଖରେ ଏହା ଶିଙ୍ଗଡ଼ା ନାଳ ଭାବେ ଜଣାଶୁଣା। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ରୁ ବାହାରି ବ୍ରାହ୍ମଣୀ ନଦୀରେ ମିଶିବା ପର୍ଯ୍ୟନ୍ତ, ଯେଉଁ ସବୁ ଜାଗାରେ ଏହା ବହିଯାଇଛି, ସେସବୁ ଅଞ୍ଚଳବାସୀଙ୍କ ପାଇଁ ଏହା ଥିଲା ଆଶୀର୍ବାଦ। ବର୍ଷସାରା ଏଥିରେ ପାଣି ଭର୍ତ୍ତିହୋଇ ରହୁଥିଲା। ସ୍ନାନଶୌଚ, ଚାଷବାସ, ପାନୀୟଜଳ ପ୍ରଭୃତି ପାଇଁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରୁଥିଲେ। ଅନେକ ବର୍ଷ ହେଲା ଏହାର ଜଳଧାର କ୍ଷୀଣ ହୋଇଗଲାଣି। ଏପରିକି ବର୍ଷରେ ଛଅମାସ ଶିଙ୍ଗଡ଼ା ନାଳ ଶୁଖିଲା ପଡ଼ୁଛି। ଏହି ଘଟଣା ଅଞ୍ଚଳବାସୀଙ୍କୁ ଚିନ୍ତାରେ ପକାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଛେଣ୍ଡିପଦା ବ୍ଲକ୍ ବାଲିପଟ୍ଟା ପଞ୍ଚାୟତ କାଂଶବାଂଶ ପ୍ରକଳ୍ପ ନିକଟରୁ ଶିଙ୍ଗଡ଼ା ନାଳର ଉତ୍ପତ୍ତି। କିଶୋରନଗର ବ୍ଲକ୍ ସୀମାନ୍ତ ଜଙ୍ଗଲରୁ ଆସିଥିବା ଛୋଟ ଛୋଟ ନାଳ କାଂଶବାଂଶ ପ୍ରକଳ୍ପରେ ମିଶିବା ପରେ ସେଠାରୁ ବାହାରିଛି ଶିଙ୍ଗଡ଼ା ନାଳ। ଛେଣ୍ଡିପଦା, କଣିହାଁ ଓ ତାଳଚେର ବ୍ଲକ୍ଦେଇ ଏହା ପ୍ରବାହିତ ହୋଇ ବ୍ରାହ୍ମଣୀ ନଦୀରେ ମିଶିଛି। ଏହାର ଦୈର୍ଘ୍ୟ ଦେଢ଼ଶହ କିଲୋମିଟରରୁ ଅଧିକ। ଛେଣ୍ଡିପଦା ବ୍ଲକ୍ର ବାଲିପଟ୍ଟା, କିଶିଣ୍ଡା, ନାଉପଦା, କୁଶକିଳା, ବରପଦା, ଚାକୁଣ୍ଡାପାଳ, କୋଶଳା, ରାଇଝରଣ, କଙ୍କରେଇ, କୁମୁଣ୍ଡା ଅଞ୍ଚଳ ଦେଇ ଗୋପାଳପ୍ରସାଦଠାରେ ଏହା ତାଳଚେର ବ୍ଲକ୍ରେ ପ୍ରବେଶ କରିଛି। ଅନୁଗୁଳ ଜିଲ୍ଲାରେ ମହାନଦୀ, ବ୍ରାହ୍ମଣୀ, ଟିକିରା ନଦୀ ପରେ ଆଉଁଳି, ଲିଙ୍ଗରା ଓ ଶିଙ୍ଗଡ଼ା ନାଳ ଛେଣ୍ଡିପଦା, କଣିହାଁ ଓ ତାଳଚେର ବ୍ଲକ୍ର ଜୀବନରେଖା ଭାବେ ପରିଚିତ। ବହୁ ଅଞ୍ଚଳଦେଇ ଶିଙ୍ଗଡ଼ା ପ୍ରବାହିତ ହୋଇଥିବାରୁ ଏହାର ଅବଦାନ ଅଧିକ। ଦିନ ଥିଲା, ବର୍ଷତମାମ ଏହି ନାଳରେ ପାଣି ରହୁଥିଲା। ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀ, ଗାଈଗୋରୁ ଏହାର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ। ନାଳକୂଳ ଜମିରେ ଏଥିରୁ ଜଳସେଚନ ହେଉଥିଲା। ନାଳର ଉଭୟ ପାର୍ଶ୍ବରେ ଚାଷୀମାନେ ଫସଲ କରିପାରୁଥିଲେ। ଜନସାଧାରଣ ଏଥିରେ ଗାଧୁଆପାଧୁଆ କରୁଥିଲେ। ନାଳଟି କିନ୍ତୁ ମରି ମରି ଆସୁଛି। ଏବେ ବର୍ଷରେ ଛଅମାସ ଶିଙ୍ଗଡ଼ା ଶୁଖିଲା ପଡ଼ୁଛି।
ଅଞ୍ଚଳରେ ଖଣିଖଦାନ, ବିଭିନ୍ନ କାରଖାନା ନିର୍ମାଣ ପାଇଁ ଏହି ନାଳରୁ ବାଲି ଖୋଳି ନିଆଗଲା। ଫଳରେ ନାଳର ଶଯ୍ୟା ଦିନକୁ ଦିନ ଗଭୀର ହୋଇଚାଲିଲା। ବାଲି ନରହିବାରୁ ନାଳରେ ପାଣି ରହିଲା ନାହିଁ। ଅନ୍ୟପକ୍ଷରେ ନାଳ ଗଭୀର ହେବାରୁ ନିକଟରେ ଥିବା ଗାଁମାନଙ୍କର କୂଅ, ପୋଖରୀ ଶୁଖିଯାଉଛି। ଗତ ୨୦ ବର୍ଷ ଭିତରେ ଶିଙ୍ଗଡ଼ାନାଳ ୫୦ ଫୁଟ୍ ଗଭୀର ହୋଇଯାଇଛି। ନାଳର ଗର୍ଭ ଘାସ, କାଶତାଣ୍ଡି ଓ ଅନାବନା ଗଛରେ ପରିପୂର୍ଣ୍ଣ ହୋଇଛି। ନାଳ ଗଭୀର ହେବାରୁ ଏହା କୂଳରେ ଥିବା ଜମି ଶୁଖିଲା ପଡ଼ୁଛି। ତେଣୁ ଫସଲ ଉତ୍ପାଦନ କମୁଛି। ନାଳରେ ବାଲି ଖୋଜିଲେ ମିଳୁନାହିଁ। ପାଣି ନଥିବାରୁ ଲୋକମାନେ ନାଳକୁ ଯିବା ବନ୍ଦ କରିଦେଲେଣି। ସ୍ବତନ୍ତ୍ର ଯୋଜନା କରି ଶିଙ୍ଗଡ଼ା ନାଳକୁ ସୁରକ୍ଷିତ ନରଖିଲେ, କିଛିଦିନ ପରେ ଏହା ସତ୍ତା ହରାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି।
[ad_2]