news

ଅଣ୍ଡା ଦେଉଥିବା ସ୍ତନ୍ୟପାୟୀ

ପକ୍ଷୀ ଓ ସରୀସୃପମାନେ ସାଧାରଣତଃ ଅଣ୍ଡା ଦେଉଥିବା ବେଳେ ସ୍ତନ୍ୟପାୟୀ ପ୍ରାଣୀମାନେ ଛୁଆ ଜନ୍ମ କରିଥାନ୍ତି ବୋଲି ଆମେ ଜାଣିଛନ୍ତି। ମାତ୍ର ପ୍ଲାଟିପସ୍‌ ଏପରି ଏକ ସ୍ତନ୍ୟପାୟୀ ପ୍ରାଣୀ ଯିଏ ଛୁଆ ଜନ୍ମ ନ କରି ଅଣ୍ଡା ଦେଇଥାଏ ଏବଂ ଅଣ୍ଡା ଉଷୁମାଇଲା ପରେ ସେଥିରୁ ଛୁଆ ବାହାରିଥା’ନ୍ତି। ଅଷ୍ଟ୍ରେଲିଆର ମଧୁରଜଳ ଉତ୍ସ ଓ ନଦୀ ମୁହାଣମାନଙ୍କରେ ଦେଖା ଯାଉଥିବା ଏହି ପ୍ରଜାତିର ପ୍ରାଣୀମାନଙ୍କର ଶରୀରରେ ଛୋଟ ଛୋଟ ଲୋମ ଥିବା ସହ ଏହାର ବତକ ପକ୍ଷୀ ଭଳି ଗୋଟିଏ ଥଣ୍ଟ ଓ ଏକ ଛୋଟ ଅଥଚ ଓସାରିଆ ଲାଞ୍ଜ ରହିଥାଏ। ତେବେ ପକ୍ଷୀ, ସରୀସୃପ ଓ ସ୍ତନ୍ୟପାୟୀ ପ୍ରାଣୀର ମିଶ୍ରିତ ଗୁଣ ଧାରଣ କରିଥିବା ଏହି ବିଚିତ୍ର ଜୀବ ଅନ୍ୟ ସ୍ତନ୍ୟପାୟୀଙ୍କ ଭଳି ନିଜର ଶାବକକୁ ସ୍ତନରୁ କ୍ଷୀରପାନ କରାଇନଥାଏ। କାରଣ ଏହା ଶରୀରରେ ସେପରି ନିର୍ଦ୍ଦିଷ୍ଟ ଭାବେ କୌଣସି ସ୍ତନ ନଥାଏ। ଏହା ନିଜର ଚର୍ମ ବାଟେ ଶରୀରରୁ କ୍ଷୀର ବାହାର କରି ଛୁଆକୁ ପିଆଇଥାଏ।

ସେହିପରି ସରୀସୃପଙ୍କ ସହ କିଛି ସାମଞ୍ଜସ୍ୟ ରଖୁଥିବା ଏହି ପ୍ରଜାତିର ପୁରୁଷମାନେ ବିଷାକ୍ତ ହୋଇଥା’ନ୍ତି। ସେମାନେ ଦେଖିବାକୁ ନିରୀହ ଓ ବିପଦମୁକ୍ତ ଜଣାପଡୁଥିଲେ ହେଁ ସେମାନଙ୍କ ପଛ ପାଦର ଗୋଇଠିରେ ଏକ ପ୍ରକାର ଗୋଜିଆ କଣ୍ଟା ରହିଥାଏ ଯେଉଁଥିରୁ ବିଷ ନିର୍ଗତ ହୋଇଥାଏ। ମାଈ-ଅଣ୍ଡିରା ନିର୍ବିଶେଷରେ ପ୍ଲାଟିପସ୍‌ମାନଙ୍କର ଥଣ୍ଟ ଏକ ପ୍ରକାର ଇଲେକ୍ଟୋରିସିପ୍ଟରରେ ଭରି ରହିଥାଏ। ଏହାଦ୍ବାରା ସେମାନେ ଗଭୀର ପାଣିରେ କିଛି ଦେଖି ନପାରି ମଧ୍ୟ ଆରାମରେ ଦିଗ ନିର୍ଣ୍ଣୟ କରି ଯାତାୟାତ କରିପାରିଥା’ନ୍ତି। ଅଧିକାଂଶ ସମୟ ସେମାନେ ଜଳରେ ଚଳପ୍ରଚଳ କରୁଥିଲେ ହେଁ ମାଛ ଭଳି ପାଣି ଭିତରେ ଅଣ୍ଡା ନଦେଇ କଇଁଛ ଭଳି ବାହାରକୁ ଆସି ସ୍ଥଳଭାଗରେ ଅଣ୍ଡା ଦେଇଥା’ନ୍ତି। ଅଣ୍ଡା ଉଷୁମି ସେଥିରୁ ଛୁଆ ବାହାରିଲା ପରେ ମାଆ ପ୍ଲାଟିପସ ତାହାର ତଳିପେଟର ଦୁଇପାଖରେ ଥିବା ଚର୍ମର କିଛି ଅଂଶରୁ କ୍ଷୀର କ୍ଷରଣ କରାଇ ଶାବକଙ୍କୁ ପିଆଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button