ଅପରାଧ

ଦୁର୍ଦ୍ଦାନ୍ତ ନଣ୍ଡାକୁ ୧୦ ବର୍ଷ ଜେଲ୍‌: ଲେଡି ଲୁଟେରା ମୁସ୍କାନର ଡାହାଣ ହାତ – bajravana

[ad_1]

ଭୁବନେଶ୍ବର: ଲେଡି ଲୁଟେରା ମୁସ୍କାନ୍‌ର ଡାହାଣ ହାତ ଭାବେ ଜଣାଶୁଣା‌ ଦୁର୍ଦ୍ଦାନ୍ତ ଅଶୋକ ବେହେରା ଓରଫ୍ ନଣ୍ଡାକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ୨୦୧୭ ମସିହାରେ ଖଣ୍ଡଗିରି ଥାନା ସିଜୁଆ ଅଞ୍ଚଳରେ ଦମ୍ପତିଙ୍କୁ ଗୁଳି ମାଡ଼ କରି ସୁନା ହାର ଲୁଟ୍‌ କରିଥିବା ମାମଲାରେ ତାକୁ ଏହି ଦଣ୍ଡ ମିଳିଛି। ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ତଥା ଅତିରିକ୍ତ ଦୌରା ଜଜ୍ ଏହି ମାମଲାର ଶୁଣାଣି କରି ନଣ୍ଡାକୁ ୧୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। କିନ୍ତୁ ନଣ୍ଡାର ସହଯୋଗୀ ଭୀମସେନ ଅନୁପସ୍ଥିତ ଥିବାରୁ ବିଚାରପତି ତା’ର ଦଣ୍ଡାଦେଶ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର୍‌ ରତ୍ନାକର ନାୟକ ପରିଚାଳନା କରୁଥିଲେ।

୨୦୧୭ ଅଗଷ୍ଟ ୨୦ ତାରିଖ ସନ୍ଧ୍ୟାରେ ନଣ୍ଡା ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା। ବିଶ୍ବରଂଜନ ସ୍ବାଇଁ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ଧରି କାର୍‌ ଯୋଗେ ଭୁବନେଶ୍ବର ଏମ୍‌ସ ନିକଟ ସିଜୁଆସ୍ଥିତ ଶ୍ବଶୁର ଘରକୁ ଯାଉଥିଲେ। ସିଆର୍‌ପି ଛକରୁ ନଣ୍ଡା ଓ ତା’ ସହଯୋଗୀ ଭୀମସେନ ନାୟକ ଏକ ବାଇକ୍‌ ଯୋଗେ ସେମାନଙ୍କୁ ପିଛା କରି କରି ସିଜୁଆ ପର୍ଯ୍ୟନ୍ତ ଯାଇଥିଲେ। ଶ୍ବଶୁର ଘର ନିକଟରେ ପତ୍ନୀ କାର୍‌ରୁ ଓହ୍ଲାଇ ଆଗେ ଆଗେ ଫାଟକ ଖୋଲିବାକୁ ଯାଉଥିଲେ ଏବଂ ବିଶ୍ବରଂଜନ ଗାଡ଼ିରୁ କିଛି ଜିନିଷପତ୍ର ବାହାର କରୁଥିଲେ। ଏତିକିବେଳେ ଅଚାନକ ନଣ୍ଡା ବାଇକ୍‌ରୁ ଡେଇଁ ମହିଳାଙ୍କ ବେକରୁ ସୁନା ହାରକୁ ଛିଣ୍ଡାଇ ନେଇଥିଲା। କିନ୍ତୁ ସେ ତା’ ବାଇକ୍‌ ନିକଟକୁ ଫେରିବା ପୂର୍ବରୁ ବିଶ୍ବରଂଜନ ତାକୁ ଗୋଡ଼ାଇ ଗୋଡ଼ାଇ କୁଣ୍ଢାଇ ପକାଇ ଜାବୁଡ଼ି ଧରିଥିଲେ। ବିଶ୍ବରଂଜନଙ୍କ କବ୍‌ଜାରୁ ଖସି ନପାରି ନଣ୍ଡା ଗୁଳି ଚଳାଇଥିଲା। ୨ ରାଉଣ୍ଡ ଗୁଳି ବିଶ୍ବଙ୍କ ଜଙ୍ଘରେ ବାଜିଥିଲା। ବିଶ୍ବରଂଜନ ତାକୁ ଛାଡ଼ିଦେଇଥିଲେ। କିଛି ଦୂରରେ ବାଇକ୍‌ ଷ୍ଟାର୍ଟ କରି ରଖିଥିବା ଭୀମସେନ ନଣ୍ଡାକୁ ନେଇ ଦ୍ରୁତବେଗରେ ପଳାଇଥିଲା। ଖଣ୍ଡଗିରି ଥାନାର ତତ୍କାଳୀନ ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁ ୨୪ ଘଣ୍ଟା ଭିତରେ ନଣ୍ଡାକୁ ଗିରଫ କରିଥିଲେ। କେସୁରା ଅଞ୍ଚଳରେ ଲୁଚିଥିବା ନଣ୍ଡାଠାରୁ ବନ୍ଧୁକ ଓ ସୁନା ହାର ଜବତ କରାଯାଇଥିଲା। ମାତ୍ର କିଛି ଦିନ ଜେଲ୍‌ରେ ରହିବା ପରେ ନଣ୍ଡା ଜାମିନରେ ମୁକୁଳିଥିଲା ଏବଂ ପୁଣି ରାଜଧାନୀରେ ଆତଙ୍କ ଖେଳାଇଥିଲା। ଭୁବନେଶ୍ବର ରେଳ ଷ୍ଟେସନରେ ଡେରା ପକାଇଥିବା ଲେଡି ଲୁଟେରା ମୁସ୍କାନ୍‌ ସହ ମିଶି ଗ୍ୟାଙ୍ଗ୍‌ ଗଢ଼ିଥିଲା। ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଜଣେ ଭିଜିଲାନ୍‌ସ ଡିଏସ୍‌ପିଙ୍କ ଘର ସମ୍ମୁଖରେ ବନ୍ଧୁକ ଦେଖାଇ ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ଚମ୍ପଟ ମାରିଥିଲା। ଗତ ଅକ୍ଟୋବର ୧୪ ତାରିଖରେ ଖାରବେଳନଗର ଥାନା ପୁଲିସ ମୁସ୍କାନ୍‌ ଗ୍ୟାଙ୍ଗ୍‌କୁ କାବୁ କଲା ବେଳେ ନଣ୍ଡା ଧରାପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button