‘ସମ୍ମାନ ଏବେ ବୋଝ ଭଳି ଲାଗୁଛି’ – bajravana
[ad_1]
ମାନନୀୟ ପ୍ରଧାନମନ୍ତ୍ରୀ ମହାଶୟ,
ଆଶା କରୁଛି ଆପଣ ସୁସ୍ଥ ଥିେବ। ଆପଣ ଅନେକ କାମରେ ବ୍ୟସ୍ତ ରହୁଥିବେ, କିନ୍ତୁ ଦେଶର କୁସ୍ତିଯୋଦ୍ଧାମାନଙ୍କ ପାଇଁ ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରୁଛି। ଆପଣ ଜାଣିଥିବେ ଯେ ଦେଶର ମହିଳା କୁସ୍ତିବିତ୍ମାନେ ଗତ ଜାନୁଆରିରେ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆନ୍ଦୋଳନ ଆରମ୍ଭ କରିଥିଲେ। ମୁଁ ମଧ୍ୟ ସେହି ଆନ୍ଦୋଳନରେ ସାମିଲ ହୋଇଥିଲି। ସରକାର ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ବ୍ରିଜ ଭୂଷଣଙ୍କ ବିରୋଧରେ ତିନି ମାସ ପରେ ମଧ୍ୟ କୌଣସି ଏତଲା ରୁଜୁ କରାଯାଇ ନାହିଁ। ଯେଉଁଥିପାଇଁ ଆମେ ଏପ୍ରିଲ୍ରେ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇଥିଲୁ। ଯାହାଫଳରେ ପୁଲିସ୍ ଅତିକମ୍ରେ ତାଙ୍କ ବିରୋଧରେ ଏତଲା ରୁଜୁ କରିବ ବୋଲି ଆଶା ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜାନୁଆରିରେ ୧୯ ଜଣ ଅଭିଯୋଗକାରୀ ଥିଲେ କିନ୍ତୁ ଏପ୍ରିଲ୍ରେ ଏହି ସଂଖ୍ୟା ୭କୁ ଖସିଆସିଥିଲା। ଯାହାର ଅର୍ଥ ହେଉଛି ବ୍ରିଜ ଭୂଷଣ ୧୨ ମହିଳା କୁସ୍ତିଯୋଦ୍ଧାଙ୍କୁ ପ୍ରଲୋଭିତ କରିବାରେ ସଫଳ ହୋଇଥିଲେ। ଏହାସତ୍ତ୍ବେ ଉକ୍ତ ଆନ୍ଦୋଳନ ୪୦ ଦିନ ପର୍ଯ୍ୟନ୍ତ ଚାଲିଥିଲା। ଏହି ୪୦ ଦିନ ମଧ୍ୟରେ ଆଉ ଜଣେ ମହିଳା କୁସ୍ତିଯୋଦ୍ଧା ପଛଘୁଞ୍ଚା ଦେଇଥିଲେ। ଆମ ସମସ୍ତଙ୍କ ଉପରେ ବହୁତ ଚାପ ପଡୁଥିଲା। ଆମର ପ୍ରତିବାଦ ସ୍ଥଳକୁ ଛାରଖାର କରିଦିଆଗଲା ଏବଂ ଆମକୁ ଦିଲ୍ଲୀରୁ ବାହାରକୁ ଫିଙ୍ଗି ଦିଆଗଲା। ଏପରିକି ଆମ ପ୍ରଦର୍ଶନ ଉପରେ ରୋକ୍ ଲଗାଇ ଦିଆଗଲା। ପରେ ଆମେ ଆମର ପଦକଗୁଡ଼ିକୁ ଗଙ୍ଗାରେ ବୁହାଇଦେବାକୁ ଚିନ୍ତା କରିଥିଲୁ। ହେଲେ ସେଠାରେ ଆମ ପ୍ରଶିକ୍ଷକ ଓ କୃଷକ ବନ୍ଧୁମାନେ ଏପରି କରିବାକୁ ଦେଇନଥିଲେ।
ସେହି ସମୟରେ ଆପଣଙ୍କର ଜଣେ ମନ୍ତ୍ରୀଙ୍କ ଫୋନ୍ ଆସିଥିଲା ଏବଂ ଆମକୁ ଫେରିଆସିବାକୁ କୁହାଯାଇଥିଲା। ଆମକୁ ନ୍ୟାୟ ମିଳିବ ବୋଲି ଆଶ୍ବାସନା ଦିଆଯାଇଥିଲା। ଏହା ମଧ୍ୟରେ ଆମେ ଗୃହ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିଥିଲୁ। ସେ ମଧ୍ୟ ମହିଳା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଡବ୍ଲ୍ୟୁଏଫ୍ଆଇରୁ ବ୍ରିଜଭୂଷଣ, ତାଙ୍କ ପରିବାର ଓ ଆତ୍ମୀୟସ୍ବଜନଙ୍କୁ ବାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆମେ ତାହାକୁ ମାନି ଆନ୍ଦୋଳନ ସମାପ୍ତ କରିଥିଲୁ। କୁସ୍ତି ସଂଘର ସମସ୍ୟା ସରକାର ସମାଧାନ କରିଦେବେ ଓ ନ୍ୟାୟର ଲଢେଇ ନ୍ୟାୟାଳୟରେ ହେବ ବୋଲି କୁହାଯାଇଥିଲା। କିନ୍ତୁ ୨୧ ଡିସେମ୍ବରରେ ହୋଇଥିବା ନିର୍ବାଚନରେ ବ୍ରିଜଭୂଷଣ ପୁଣି ଥରେ ଡବ୍ଲ୍ୟୁଏଫ୍ଆଇରେ କବ୍ଜା କରିନେଇଥିବା ଦେଖାଯାଇଛି। କୁସ୍ତି ସଂଘରେ ତାଙ୍କର ଦବ୍ଦବା ରହିଥିବା ସେ ସର୍ବସମ୍ମୁଖରେ ଜଣାଇଥିବାରୁ ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ମାନସିକ ଚାପର ବଶବର୍ତ୍ତୀ ହୋଇ କୁସ୍ତିରୁ ସନ୍ୟାସ ନେଇଛନ୍ତି।
ସେହିଦିନ ରାତିରେ ଆମେ ସମସ୍ତେ କାନ୍ଦି କାନ୍ଦି ବାହାରିଥିଲୁ। କେଉଁଆଡ଼େ ଯିବୁ, କଣ କରିବୁ କିଛି ଭାବିପାରୁ ନଥିଲୁ। ସରକାର ଓ ପ୍ରଶଂସକମାନେ ଯେଉଁ ସମ୍ମାନ ଦେଇଥିଲେ, ତାହା ଏବେ ବୋଝ ଭଳି ଲାଗୁଛି। ୨୦୧୯ରେ ମୋତେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି, ଖେଳରତ୍ନ ଓ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି। ଯେତେବେଳେ ଏହି ସମ୍ମାନ ମିଳିଥିଲା ସେତେବେଳେ ବହୁତ ଖୁସି ଲାଗିଥିଲା। ଲାଗୁଥିଲା ଜୀବନ ସଫଳ ହୋଇଗଲା। କିନ୍ତୁ ଆଜି ତାହାଠୁ ଅଧିକ ଦୁଃଖ ଲାଗୁଛି ଓ ଏହି ସମ୍ମାନ ମୋତେ ବାଧୁଛି। କାରଣ କେବଳ ଏକ, ଯେଉଁ କୁସ୍ତି ପାଇଁ ସମ୍ମାନ ମିଳିଥିଲା ସେହି ଖେଳରୁ ମହିଳା ସାଥୀ ଖେଳାଳିମାନେ କୁସ୍ତି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।
ଏହି ଖେଳ ଆମ ମହିଳା ଖେଳାଳିଙ୍କ ଜୀବନରେ ଜବରଦସ୍ତ ପରିବର୍ତ୍ତନ ଆଣିଥିଲା। ପ୍ରଥମତଃ କେବେ କଳ୍ପନା କରିନଥିଲୁ ଯେ, ପୁଅ ଓ ଝିଅ ମାନେ ଏକାଠି କୁସ୍ତି ଲଢିବେ। କିନ୍ତୁ ପ୍ରଥମ ପିଢ଼ି ମହିଳା ଖେଳାଳିଙ୍କ ସାହସ ଯୋଗୁଁ ଏପରି ହୋଇପାରିଲା। ପ୍ରତ୍ୟେକ ଗାଁରେ ମହିଳା କୁସ୍ତିବିତ୍ ଦେଖିବାକୁ ମିଳିଯିବେ। ଏପରିକି ବିଦେଶ ମଧ୍ୟ ଖେଳିବାକୁ ଯାଇପାରୁଛନ୍ତି। କିନ୍ତୁ ଯାହାର ଦବ୍ଦବା କାଏମ୍ ରହିଲା, ତାଙ୍କର ଛାଇ ମଧ୍ୟ ମହିଳା ଖେଳାଳିଙ୍କୁ ଭୟଭୀତ କରୁଛି ଓ କରୁଥିବ ମଧ୍ୟ। ସେହି ବ୍ୟକ୍ତିଙ୍କ ବେକରେ ଫୁଲମାଳ ପକାଯାଉଥିବାର ଫଟୋ ଆପଣଙ୍କ ପାଖରେ ପହଞ୍ଚିଥିବ। ଯେତେବେଳେ ଝିଅମାନଙ୍କୁ ନେଇ ‘‘ବେଟି ବଚାଓ ବେଟି ପଢାଓ’’ର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଥିଲା, ସେତେବେଳେ ସେମାନଙ୍କୁ ଏମିତି ଅବସ୍ଥାରେ ଛାଡ଼ି ଦିଆଗଲା ଯେ ସେମାନଙ୍କୁ ଏବେ ପଛଘୁଞ୍ଚା ଦେବାକୁ ପଡୁଛି। ଆମେ ସମ୍ମାନିତ ହୋଇଥିବା କୁସ୍ତିଯୋଦ୍ଧା କିଛି କରିପାରିଲୁନି। ମହିଳା କୁସ୍ତିଯୋଦ୍ଧାଙ୍କୁ ଅପମାନିତ କରାଯିବା ପରେ ମୁଁ ସମ୍ମାନିତ ହୋଇ ନିଜ ଜୀବନ ବଞ୍ଚି ପାରିବିନି। ଏଥିପାଇଁ ଏହି ସମ୍ମାନକୁ ମୁଁ ଆପଣଙ୍କୁ ଫେରାଇଦେଉଛି।
[ad_2]