ଓଡିଶା

ଯୋଜନାରେ ଅଟକିଛି ରୋଗୀଙ୍କୁ ହେଲିକପ୍ଟର ସେବା: ୬ମାସ ତଳୁ ହେଲାଣି ଯୋଜନା, ଏଯାଏ ମିଳୁନି ହେଲିକପ୍ଟର – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ଯେକୌଣସି ସ୍ଥାନରେ ଭୟାବହ ଦୁର୍ଘଟଣା ଘଟିଲେ ବା ଅପହଞ୍ଚ ସ୍ଥାନରେ କୌଣସି ବ୍ୟକ୍ତି ଜରୁରୀକାଳୀନ ଚିକିତ୍ସା ପାଇବାର ଥିଲେ ରାଜ୍ୟ ସରକାର ତୁରନ୍ତ ହେଲିକପ୍ଟର ପଠାଇ ବଡ଼ ହସ୍ପିଟାଲକୁ ଆଣିବେ। ଏଥିପାଇଁ ଗୋଟିଏ ହେଲିକପ୍ଟର ନିୟୋଜିତ କରାଯିବ। ରାଜ୍ୟ ସରକାର ୬ମାସ ତଳୁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ହେଲିକପ୍ଟର’ (ଏଚ୍‌ଇଏମ୍‌ଏସ୍‌)ର ପ୍ରସ୍ତୁତି କଲେଣି। ହେଲେ ଆଜି ପର୍ଯ୍ୟନ୍ତ ଏହି ହେଲିକପ୍ଟର ଯୋଗାଡ଼ ହୋଇପାରୁନି। ଫଳରେ ବହୁ ଆକାଂକ୍ଷିତ ଏହି ପ୍ରକଳ୍ପ ସରକାରୀ ଫାଇଲ ଭିତରେ ଅଟକିଯାଇଛି।

ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା‌ କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ପାଇଁ କାର୍ଯ୍ୟକାରୀ ହେଉଛି। ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇବାକୁ ଡାକ୍ତରୀ ଦଳ ନିୟମିତ ବ୍ୟବଧାନରେ ସ୍ବତନ୍ତ୍ର ଏୟାରକ୍ରାଫ୍ଟ୍‌ରେ ଏସବୁ ଜିଲ୍ଲା ଗସ୍ତରେ ଯାଉଛନ୍ତି। ଏଥିରେ ଡାକ୍ତର ହସ୍ପିଟାଲକୁ ଯାଉଛନ୍ତି। ହେଲେ ରୋଗୀଙ୍କୁ କିପରି ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯିବ ଏବଂ ଜରୁରୀ ଚିକିତ୍ସା ଯୋଗାଇ ହେବ ସେଥିପାଇଁ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ହେଲିକପ୍ଟର’ ଯୋଜନା ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପରିବହନ ବିଭାଗ କେବଳ ହେଲିକପ୍ଟର ଯୋଗାଇଦେବ ଏବଂ ସ୍ବାସ୍ଥ୍ୟ ବିଭାଗ ଏହାର ଖର୍ଚ୍ଚ ବହନ କରିବ। କିପରି ରୋଗୀଙ୍କୁ ପରିବହନ କରାଯିବ, ହେଲିପ୍ୟାଡ୍ ପର୍ଯ୍ୟନ୍ତ ଅଣାଯିବ, ‌କେଉଁ ହସ୍ପିଟାଲକୁ ନିଆଯିବ ସେନେଇ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ହେଲିକପ୍ଟର ଭଡ଼ାରେ ଆଣିବା ପ୍ରକ୍ରିୟା ଶେଷ ହୋଇନଥିବାରୁ ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଇପାରୁନି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ‘ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ହେଲିକପ୍ଟର’ ଯୋଜନା ପାଇଁ ପ୍ରଥମେ ହେଲିକପ୍ଟର ଆବଶ୍ୟକ। ଏହାସହ ଯେଉଁ ଯେଉଁ ହସ୍ପିଟାଲ/ମେଡିକାଲ କଲେଜକୁ ରୋଗୀଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ସେଠାରେ ବି ହେଲିପ୍ୟାଡ୍ ପ୍ରସ୍ତୁତ ହେବା ଦରକାର। ଏହି ଭିତ୍ତିଭୂମି ପରିବହନ ବିଭାଗ ପ୍ରସ୍ତୁତ କରିବ। ହେଲେ ସେମାନେ ଏପର୍ଯ୍ୟନ୍ତ ହେଲିକପ୍ଟର ଠିକ୍ କରିପାରୁନାହାନ୍ତି କି ହେଲିପ୍ୟାଡ୍ ନିର୍ମାଣ ହୋଇନି। ତେଣୁ ଏହି ଯୋଜନା କେବଳ ଯୋଜନାରେ ରହିଯାଇଛି। ସେହିପରି ହେଲିକପ୍ଟର ଏବେ ନିୟୋଜିତ ହେଲେ ଏହାକୁ ବିଏସ୍‌କେୱାଇରେ ସାମିଲ୍ କରାଯିବ କି ଏହାପାଇଁ ସ୍ବତନ୍ତ୍ର ବଜେଟ୍ ରହିବ ସେନେଇ ବି କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।

ଏହାବାଦ୍ ରାଜ୍ୟର ବହୁ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବାରେ ଅସୁବିଧା ହେଉଥିବାରୁ ରୋଗୀଙ୍କୁ ଠିକ୍ ସମୟରେ ହସ୍ପିଟାଲକୁ ଅଣାଯାଇପାରୁନି। କୌଣସି ସ୍ଥାନରେ ଭୟାବହ ଦୁର୍ଘଟଣା ଘଟିଲେ ବା କୌଣସି ବ୍ୟକ୍ତିଙ୍କର ତୁରନ୍ତ ଚିକିିତ୍ସା ଆବଶ୍ୟକ ଥିଲେ ଏହି ସେବା ଯୋଗାଇ ଦିଆଯିବ ବୋଲି ପ୍ରାରମ୍ଭିକ ଭାବେ ନିଷ୍ପତ୍ତି ହୋଇଛି। କିନ୍ତୁ ଦୁର୍ଘଟଣା ପୀଡ଼ିତଙ୍କ ବାଦ୍‌ କେଉଁଭଳି ଚିକିତ୍ସା ଅାବଶ୍ୟକ କରୁଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇପାରିବ ସେନେଇ ବି ଏସ୍‌ଓପି ପ୍ରସ୍ତୁତ ହେବ। ଯାହା ଏପର୍ଯ୍ୟନ୍ତ ହୋଇନି। ତେଣୁ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବା ସମ୍ଭାବନା କମ୍। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଯେଉଁଭଳି ହେଲିକପ୍ଟର ଭଡ଼ାରେ ଆଣିବାକୁ ଚାହୁଁଛନ୍ତି ଏବଂ ଯେଉଁ ସର୍ତ୍ତ ରଖିଛନ୍ତି ସେଥିରେ କେତେକ ସଂସ୍ଥା ରାଜି ହେଉନାହାନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଆଗୁଆ ହେଲିକପ୍ଟର ଏବଂ ଚାର୍ଟର ବିମାନ ବୁକିଂ କରିଦେଇଛନ୍ତି। ସେଥିରେ ଅଧିକ ଭଡ଼ା ମିଳିବାକୁ ଥିବାରୁ ମାସକୁ ମାତ୍ର ୪୦ଘଣ୍ଟା ଉଡ଼ାଣ ପାଇଁ ହେଲିକପ୍ଟର ନିୟୋଜନ କରିବାକୁ ଘରୋଇ ସଂସ୍ଥା ଆଗ୍ରହ ଦେଖାଉନାହାନ୍ତି। ଯେଉଁଥିପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନା ଏବେ ଯୋଜନାରେ ଅଟକିଛି।

‘ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ହେଲିକପ୍ଟର’ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ବର ଏମ୍‌ସ, କଟକର ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହେଲିପ୍ୟାଡ୍ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ କୌଣସି ଗୋଟିଏ ସ୍ଥାନରେ ହେଲିକପ୍ଟର ରହିବ। ‌ଏନେଇ ପରିବହନ ବିଭାଗ ପକ୍ଷରୁ ହେଲିକପ୍ଟର ମୁତୟନ କରିବାକୁଥିବା ସଂସ୍ଥାକୁ ମାସକ ଆଗରୁ ଜଣାଯିବ। ଯାହାଦ୍ବାରା ରୋଗୀଙ୍କୁ ସହଜରେ ସ୍ଥାନାନ୍ତର କରିବା ସୁବିଧା ହେବ।

ପରିବହନ ବିଭାଗର ସୂଚନା ଅନୁଯାୟୀ, ଆମର ସର୍ତ୍ତ ଅନୁଯାୟୀ ନିୟୋଜିତ ହେବାକୁ ଥିବା ହେଲିକପ୍ଟରରେ ‌ଏୟାରୱର୍ଦି ଇଏମ୍‌ଏସ୍‌ କିଟ୍ ସହ ଷ୍ଟ୍ରେଚର, ଆନୁଷଙ୍ଗିକ ମେଡିକାଲ ସାମଗ୍ରୀ, ଜଣେ ରୋଗୀ, ଦୁଇ ଜଣ ମେଡିକାଲ କର୍ମଚାରୀ ଯାତାୟତ କରିବା ଭଳି ବ୍ୟବସ୍ଥା ରହିବ। ଅତି କମ୍‌ରେ ୧୦୦ ନଟିକାଲ ମାଇଲ୍‌ସ ବା ୧୮୫କିମି ଦୂରରୁ ରୋଗୀଙ୍କୁ ଆଣିବା ପାଇଁ ହେଲିକପ୍ଟରଟି ଯେପରି ଥରକେ ଉଡ଼ାଣ କରିପାରିବ ସେନେଇ ଅାବଶ୍ୟକୀୟ ଇନ୍ଧନ ସଦାବେଳେ ମହଜୁଦ୍ ରଖିବାକୁ କୁହାଯାଇଛି। ଏଥିପାଇଁ ରାଜ୍ୟ ସରକାର ଘରୋଇ ସଂସ୍ଥା ସହ ବର୍ଷକ ପାଇଁ ଚୁକ୍ତି କରିବେ। ଆବଶ୍ୟକସ୍ଥଳେ ଏହା ଆହୁରି ୬ମାସକୁ ବୃଦ୍ଧି କରାଯିବ। ହେଲିକପ୍ଟରଟି ମାସକୁ ସର୍ବନିମ୍ନ ୪୦ଘଣ୍ଟା ଉଡ଼ାଣ କରିବ ବୋଲି ସର୍ତ୍ତ ରଖାଯାଇଛି। ଏହାଠାରୁ କମ୍‌ ଉଡ଼ିଲେ ବି ୪୦ଘଣ୍ଟାର ଦେୟ ରାଜ୍ୟ ସରକାର ଦେବେ। ସେହିପରି ଅଧିକ ଉଡ଼ିଲେ ପ୍ରତି ଘଣ୍ଟା ପିଛା ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ। ସେହିପରି ଯଦି ହେଲିକପ୍ଟରଟି ଲଗାତର ଦୁଇଦିନ ଉଡ଼ାଣ ଉପଯୋଗୀ ହେବନି/ ଅର୍ଥାତ୍ ରୋଗୀଙ୍କୁ ଯାତାୟତ କରିବାରେ ଫେଲ୍‌ ମାରିବ ତେବେ ଘରୋଇ ସଂସ୍ଥା ଆଉ ଏକ ହେଲିକପ୍ଟର ନିୟୋଜିତ କରିବେ। ନଚେତ୍ ଜରିମାନା ଦେବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି। ହେଲିକପ୍ଟରଟି ଯଦି ଦୁର୍ଘଟଣାଗସ୍ତ ହୁଏ ତେବେ ରୋଗୀ ଏବଂ ଏଥି‌େର ଥିବା କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ବୀମା କରାଯିବ। ଦୁର୍ଘଟଣା ଯୋଗୁ ତୃତୀୟ ପକ୍ଷ କାହାର କ୍ଷତି ହେଲେ ତାଙ୍କୁ ୨୫ଲକ୍ଷ ଟଙ୍କା ଦେବାକୁ ବୀମା କରିବାକୁ ସର୍ତ୍ତ ରଖାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button