ଓଡିଶା

ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ରାଷ୍ଟ୍ରପତି: ‘ଯୁବପିଢ଼ି ଶିଳ୍ପ ପ୍ରତିଷ୍ଠା କରନ୍ତୁ’ – bajravana

[ad_1]

୨୬୦ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ଉଦ୍‌ଘାଟିତ, ଜଳାଶୟ ଓ ସିଗ୍‌ନାଲ୍‌ କେନ୍ଦ୍ରର ଶିଳାନ୍ୟାସ

ଜଗତସିଂହପୁର: ଦେଶର ପ୍ରଥମ ନାଗରିକ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମ‌ରେ ଯୋଗ ଦେଇଛନ୍ତି। ପାରାଦୀପରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଯୁବପିଢ଼ି ନିଜ ରୁଚି ଅନୁସାରେ ନୂଆ ନୂଆ ଶିଳ୍ପ  ପ୍ରତିଷ୍ଠାରେ ମନୋନିବେଶ କରନ୍ତୁ। ଏହାଦ୍ୱାରା ସେମାନେ ନିଜେ ଜୀବିକା ଅର୍ଜନ କରିବା ସହ ଅନ୍ୟମାନଙ୍କୁ ଜୀବିକା ପ୍ରଦାନ କରିପାରିବେ। ବନ୍ଦର ୱେଟ୍ ‌ବେସିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ସମୁଦ୍ର ସବୁବେଳେ ସୃଜନଶୀଳ। ତେଣୁ ଭାରତୀୟ ଉପଦ୍ୱୀପର ବାଣିଜ୍ୟ ବ୍ୟବସାୟ ଅର୍ଥନୈତିକ ଓ ଆନ୍ତର୍ଜାତିକ ସମ୍ପର୍କର ସ୍ରଷ୍ଟା ହେଉଛି ସମୁଦ୍ର। ପାରାଦୀପ ବନ୍ଦର ଆଜି ବିଶ୍ୱରେ ଶ୍ରେଷ୍ଠ ବନ୍ଦରମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ଦରର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହିତ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ଆବଶ୍ୟକ। ଏ ଦିଗରେ ଭାରତ ସରକାରଙ୍କ ସାଗରମାଳା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ଉନ୍ନୟନ ତଥା ବନ୍ଦର ନେତୃତ୍ବରେ ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶ ତ୍ବରାନ୍ବିତ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ସେ ସାଧବ ସାଧବାଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଓଡ଼ିଶାର ଅସ୍ମିତାର ପ୍ରତୀକ ବୋଇତକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଔପଚାରିକତାର ଦୃଷ୍ଟାନ୍ତ ସ୍ବରୂପ ତଟରକ୍ଷୀ ଜାହାଜ ‘ଅମୋଘ’ରେ ବସି ସେ ବନ୍ଦର ମଧ୍ୟକୁ ଯାତ୍ରା କରିଥିଲେ।

ଏହାପରେ ରାଷ୍ଟ୍ରପତି ୨୬୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଶୁଭ ଉଦଘାଟନ କରିଥିଲେ। ଏହି ପାର୍କ ପାରାଦୀପର ସ୍ବଚ୍ଛ ପଣ୍ୟ ତଥା କଣ୍ଟେନର କାର୍ଯ୍ୟକ୍ରମକୁ ଦ୍ବିଗୁଣିତ କରିବା ସହ ୨୫୦ ଜଣଙ୍କୁ ପ୍ରତ୍ୟକ୍ଷ ଓ ୫୦୦ ଜଣଙ୍କୁ ପରୋକ୍ଷ ନିଯୁକ୍ତି ଯୋଗାଇ ସାରିଛି। ଏହାସହ ବନ୍ଦର ଟାଉନସିପ୍‌ର ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ରାଷ୍ଟ୍ରପତି ଏକ ନୂତନ ଜଳାଶୟ ଓ ଜଳ ବିଶୋଧନାଗାରର ଶିଳାନ୍ୟାସ କରିଥିଲେ। ୨୫୦ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଏହି ଜଳାଶୟ ଦ୍ୱାରା ଦୈନିକ ୧୬ ନିୟୁତ ଲିଟର ଜଳ ଯୋଗାଣ ହେବ। ପରେ ରାଷ୍ଟ୍ରପତି ଭିଟିଏମ୍ଆଇଏସ୍ କ୍ଷମତା ସମ୍ପନ୍ନ ସିଗନାଲ୍ ଷ୍ଟେସନର ଶିଳାନ୍ୟାସ କରିଥିଲେ। ଏହା ପଣ୍ୟ ଜାହାଜ ଗୁଡ଼ିକର ସୁରକ୍ଷିତ ଚଳାଚଳରେ ସହାୟକ ହେବ।

ଏହି ଉତ୍ସବରେ ଯୋଗ ଦେଇ ଓଡିଶାର ରାଜ୍ୟପାଳ ରଘୁବର ଦାସ ଓଡ଼ିଶାର ନୌବାଣିଜ୍ୟର ପରମ୍ପରାକୁ ଶ୍ରେଷ୍ଠ ଭାବେ ବର୍ଣ୍ଣନା କରିଥିଲେ। ୪୮୦ କିମି ଦୀର୍ଘ ରାଜ୍ୟର ତଟରେଖା ଦେଶର ସମୃଦ୍ଧିରେ ସହାୟକ ଏବଂ ଐତିହ୍ୟର ମୁକସାକ୍ଷୀ। ପାରାଦୀପ ବନ୍ଦର ଏହି ପରମ୍ପରାକୁ ବଜାୟ ରଖିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜାହାଜ ଚଳାଚଳ, ଜଳ ମାର୍ଗ  ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାୟକ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ଶାନ୍ତନୁ ଠାକୁର, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପିଏଲ ହରନାଦ ସ୍ୱାଗତ ଭାଷଣ ଦେଇ ବନ୍ଦରର ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ୨୦୨୭ ସୁଦ୍ଧା ପାରାଦୀପ ବନ୍ଦରର କ୍ଷମତା ୫୦୦ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି କରାଯିବା ସହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ ବୋଲି ଶ୍ରୀ ହରନାଦ କହିଥିଲେ।

ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପରେ ରାଷ୍ଟ୍ରପତି ନେହରୁ ବଙ୍ଗଳାଠାରେ ମତ୍ସ୍ୟଜୀବୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରି ସେମାନଙ୍କ ସୁବିଧା ସମସ୍ୟା ସଂପର୍କରେ ବୁଝିଥିଲେ। ପରିବର୍ତ୍ତିତ ଜଳବାୟୁ ମଧ୍ୟରେ ମାଛଧରା ବନ୍ଦର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବିକାଶ ନିମନ୍ତେ ସମୁଦ୍ର ସହ ଏହାର ପରିବେଶକୁ ସୁସ୍ଥ ରଖିବାକୁ ରାଷ୍ଟ୍ରପତି ସେମାନଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ପାରାଦୀପ ବନ୍ଦର ଉନ୍ନୟନ ପାଇଁ ୧୦୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହା ବନ୍ଦରର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲାପାଳ ପାରୁଲ ପଟାୱାରି, ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button