ଓଡିଶା

ପୁଣି ଚର୍ଚ୍ଚାରେ ମନ୍ତ୍ରୀ ସାରଦା: କୱାଲିରେ ଟଙ୍କା ଉଡ଼ାଇଲେ, କର୍ମୀଙ୍କୁ ଛୁଞ୍ଚିଫୋଡ଼ି ରକ୍ତ ଟାଣିଲେ – bajravana

[ad_1]

ସୁନ୍ଦରଗଡ଼: ‘କେବେ ମଞ୍ଚରେ ଡନ୍ ନୃତ୍ୟ ତ କେବେ କୱାଲି ଗାୟକଙ୍କ ଉପରକୁ ଟଙ୍କାବର୍ଷା। ପୁଣି କେବେ ଅଭିଜ୍ଞ ସ୍ବାସ୍ଥ୍ୟ କର୍ମଚାରୀ ଭଳି ଶିବିରରେ ପହଞ୍ଚି ରକ୍ତଦାତାଙ୍କ ହାତରେ ଛୁଞ୍ଚିଫୋଡ଼ି ରକ୍ତ ଟାଣିବା ଏସବୁ ଘଟଣାକୁ ନେଇ ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। କିଛିଦିନ ତଳେ ସୁନ୍ଦରଗଡ଼ ସୁନାରିପଡ଼ାରେ ଗଣେଶପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟକରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ପୁଳାପୁଳା ଟଙ୍କା ଉଡ଼ାଇବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। ମୁସଲିମ୍‌ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ଚର୍ଚ୍ଚିତ କୱାଲି ଗାୟକ ରଇସ୍‌ ଅନିସ ସାବ୍ରି। ସାମାଜିକ ଗଣମାଧ୍ୟମରେ ଚାଞ୍ଚଲ୍ୟ ଖେଳାଇଥିବା ‘ସାଁପ ଡସେ ତୋ ଦୋସ୍ତ ବଚାଏ, ଦୋସ୍ତ ଡସେ ତୋ କୌନ ବଚାଏ’ ଗୀତରେ ଉଡ଼ିଥିଲା ପୁଳାପୁଳା ଟଙ୍କା। କିଏ ୫ ଶହ ଟଙ୍କିଆ ତ ଆଉ କିଏ ଶହେ, କିଏ ୨ ଶହ ଟଙ୍କିଆ ନୋଟ୍‌। ପୁଣି କେହିକେହି ୧୦ ଟଙ୍କିଆ, ୨୦ ଟଙ୍କିଆ ନୋଟ୍ ଉଡ଼ାଉଥିଲେ। ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ସାରଦା ନାୟକ ମଧ୍ୟ ଟଙ୍କା ଉଡ଼ାଇଥିଲେ। କେତେବେଳେ ମନ୍ତ୍ରୀ କୱାଲିଗାୟକଙ୍କ ମୁଣ୍ଡ ଉପରେ ଟଙ୍କା ଉଡ଼ାଉଥିଲେ ତ କେତେବେଳେ ଗାୟକଙ୍କ ହାତକୁ ଗୋଟିଏ ପରେ ଗୋଟିଏ ନୋଟ୍‌ ବଢ଼ାଇ ଦେଉଥିଲେ।

ମନ୍ତ୍ରୀଙ୍କୁ ଚର୍ଚ୍ଚା ଏଇଠି ଅଟକି ଯାଇନାହିଁ। ୨ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରାଉରକେଲା ସରକାରୀ ଡାକ୍ତରଖାନାସ୍ଥ ରକ୍ତଭଣ୍ଡାରରେ ଆୟୋଜିତ ରକ୍ତଦାନ ଶିବିରରେ ମନ୍ତ୍ରୀ ଜଣେ ରକ୍ତଦାତାଙ୍କ ହାତରେ ଛୁଞ୍ଚି ଲଗାଇ ରକ୍ତ ସଂଗ୍ରହ କରିଥିଲେ, ଯାହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ରକ୍ତସଂଗ୍ରହ ଏକ ସମ୍ବେଦନଶୀଳ କାର୍ଯ୍ୟକ୍ରମ, ସତର୍କ ଓ ସୁରକ୍ଷିତ ପ୍ରକ୍ରିୟା ମଧ୍ୟରେ ଅଭିଜ୍ଞ କର୍ମଚାରୀ ହାତରେ ଗ୍ଲୋଭ୍‌ସ ଲଗାଇ ରକ୍ତ ଟାଣିଥାନ୍ତି। ରକ୍ତ ସଂଗ୍ରହବେଳେ ସାମାନ୍ୟ ଅସାବଧାନତା ରକ୍ତଦାତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ହେଲେ ଡାକ୍ତରୀ ବିଦ୍ୟା ସହ ଦୂରଦୂର ଯାଏ ସଂପର୍କ ନଥିବା ମନ୍ତ୍ରୀ ସାରଦା ସେଠାରେ ଅତି ଖାମ୍‌ଖିଆଲି ଢଙ୍ଗରେ ବିନା ଗ୍ଲୋଭ୍‌ସରେ କର୍ମୀଙ୍କ ଶିରାରେ ଛୁଞ୍ଚି ଫୋଡ଼ିଥିଲେ। ଗୁଡ୍ଡୁ ସୋନାର ନାମକ ଉକ୍ତ ବିଜେଡି କର୍ମକର୍ତ୍ତାଙ୍କ ହାତରୁ ରକ୍ତ ନେବାକୁ ଛୁଞ୍ଚି ଫୋଡ଼ିବାବେଳେ ସେ ତାଙ୍କ ହାତର ଶିରାକୁ ଠାବ କରିପାରି ନଥିଲେ। ଫଳ​ରେ ସେଠାରେ ଥିବା ମହିଳା କର୍ମଚାରୀ (ନର୍ସ/ଟେକ୍‌ନିସିଆନ୍‌) ତାଙ୍କୁ ଶିରା ଖୋଜିବାରେ ସାହାଯ୍ୟ କରିବା ସହ ଛୁଞ୍ଚିଫୋଡ଼ିବା ପାଇଁ ରକ୍ତ ବ୍ୟାଗ୍‌ ବଢ଼ାଇ ଦେଇଥିଲେ। କେଉଁ ପରିସ୍ଥିତିରେ ଅନଭିଜ୍ଞ ମନ୍ତ୍ରୀଙ୍କ ସଉକ ପୂରଣ କରିବା ପାଇଁ ତାଙ୍କୁ ରକ୍ତ ଟାଣିବାକୁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି। ଶିବିର ଦାୟିତ୍ବରେ ଥିବା ମେଡିକାଲ୍ ଅଧିକାରୀ ସେଠାରେ କ’ଣ କରୁଥିଲେ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହି ଘଟଣାର ସଂପୂର୍ଣ୍ଣ ଭିଡିଓ ଏବେ ଘୁରିବୁଲୁଛି। ମନ୍ତ୍ରୀଙ୍କ ନୃତ୍ୟ ଓ କୱାଲିରେ ଟଙ୍କା ଉଡ଼ାଇବା ଘଟଣାକୁ  ଅନେକ ତାଙ୍କ ବ୍ୟକ୍ତିଗତ ସଉକ ଆଖ୍ୟା ଦେଉଥିବାବେଳେ ଛୁଞ୍ଚିଫୋଡ଼ି ରକ୍ତ ଟାଣିବା ଘଟଣା କିନ୍ତୁ ସମ୍ବେଦନଶୀଳ ଲୋକଙ୍କୁ ହତବାକ କରିଛି। ରକ୍ତଦାତାଙ୍କ ଜୀବନକୁ ମନ୍ତ୍ରୀ ଏମିତି  ହାଲୁକା ଭାବେ ନେବା ଉଚିତ ହୋଇନାହିଁ ଓ ଏହା ସ୍ବାସ୍ଥ୍ୟ ନିୟମର ପରିପନ୍ଥୀ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ତଳସରା ବିଧାୟକ ଭବାନୀଶଙ୍କର ଭୋଇ। କିନ୍ତୁ ଏ ସଂପର୍କରେ ମନ୍ତ୍ରୀ ସାରଦାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button