ଓଡିଶା

ତାପଜ ବିଦ୍ୟୁତ୍ ପାଇଁ ୩୦ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର : ୫ଟି ସଂସ୍ଥାରୁ ହେଉଛି ବିଦ୍ୟୁତ୍ ଉତ୍ପାଦନ

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ପାଇଁ ସରକାର ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ଲାଗି ୩୦ଟି ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ବେଳେ ଏଥିମଧ୍ୟରୁ ମାତ୍ର ୫ଟି ସଂସ୍ଥାରୁ ତାପଜ ବିଦ୍ୟୁତ୍ ଉତ୍ପାଦନ ହେଉଛି। ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ ଏହି ସୂଚନା ଦେଇଛନ୍ତି।

୨୦୦୬ରେ ବେଦାନ୍ତ, ଜିଏମ୍ ଆର୍ ଓ ଜିନ୍ଦଲ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ତିନୋଟି ସଂସ୍ଥାର ବିଦ୍ୟୁତ୍ ଉତ୍ପାଦନ ୨୦୧୧ରୁ ୨୦୧୫ ମଧ୍ୟରେ ଆରମ୍ଭ ହୋଇଛି। ଇଣ୍ଡ ବାରାଥ୍ ଇନର୍ଜି ୨୦୦୯ରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ବେଳେ ୨୦୧୬ରେ ତାହାର ଝାରସୁଗୁଡ଼ା ୟୁନିଟ୍ ରୁ ବିଦ୍ୟୁତ୍ ଉତ୍ପାଦନ ହୋଇଛି। ସେହିପରି ନବଭାରତ କମ୍ପାନୀର ତାପଜ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ୨୦୧୫ରୁ ଆରମ୍ଭ ହୋଇଛି। ଏହି ୫ଟି କମ୍ପାନୀର ଉତ୍ପାଦନ କ୍ଷମତା ୩୨୬୦ ମେଗାୱାଟ୍ ଥିବା ବେଳେ ଏଥିରୁ ରାଜ୍ୟର ଭାଗ ୧୦୫୫ ମେଗାୱାଟ୍। ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ଅନ୍ୟ ୨୫ଟି କମ୍ପାନୀର ତାପଜ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇନାହିଁ। ଯେତେସବୁ କମ୍ପାନୀ ସହିତ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା ଲାଗି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ସେଗୁଡ଼ିକରୁ ୩୭, ୦୬୦ ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେବା କଥା।

ମନ୍ତ୍ରୀ ପୁଣି କହିଛନ୍ତି ଯେ ୨୦୧୮-୧୯ ବର୍ଷ ପାଇଁ ରାଜ୍ୟ ଲାଗି ୨୬, ୮୦୪ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଶକ୍ତିର ଆବଶ୍ୟକତା ଥିବା ବେଳେ ରାଜ୍ୟ ଭିତରୁ ୨୧, ୧୬୨ ମିଲିୟନ୍ ୟୁନିଟ୍ ମିଳିପାରେ। ରାଜ୍ୟ ବାହାରୁ ଚଳିତ ଆର୍ଥôକ ବର୍ଷରେ ୫, ୬୪୨ ମିଲିୟନ୍ ୟୁନିଟ୍ ବିଦ୍ୟୁତ୍ ଶକ୍ତି କ୍ରୟ କରିବା ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଅନୁମୋଦନ ମିଳିଛି। ମୋଟାମୋଟି ଭାବେ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏବେ ବି ନିଅଣ୍ଟିଆ ରାଜ୍ୟ ହୋଇ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button