ଓଡିଶା

ସବୁଜ ବିପ୍ଳବର ଜନକ ସ୍ବାମୀନାଥନ୍‌ଙ୍କ ପରଲୋକ – bajravana

[ad_1]

ଚେନ୍ନାଇ: ବିଶ୍ବବିଖ୍ୟାତ କୃଷି ବୈଜ୍ଞାନିକ, ଉଦ୍ଭିଦ ପ୍ରଜନନ ବିଜ୍ଞାନୀ ତଥା ସବୁଜ ବିପ୍ଳବର ଜନକ ମନକୋମ୍ବୁ ସାମ୍ବଶିବନ ସ୍ବାମୀନାଥନ ଓରଫ ଏମ୍‌ଏସ୍‌ ସ୍ବାମୀନାଥନଙ୍କର ଆଜି ଚେନ୍ନାଇଠାରେ ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ କିଛି ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ରହୁ ନ ଥିଲା। ବୟସାଧିକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କର କନ୍ୟା ତଥା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ପୂର୍ବତନ ଉପମହାନିର୍ଦ୍ଦେଶିକା ଡ ସୌମ୍ୟା ସ୍ବାମୀନାଥନ ସୂଚନା ଦେଇଛନ୍ତି।

ସ୍ବାମୀନାଥନଙ୍କର ତିନି ଝିଅ ଅଛନ୍ତି- ସୌମ୍ୟା, ମଧୁରା ଓ ନିତ୍ୟା। ବର୍ଷକ ତଳେ ତାଙ୍କର ପତ୍ନୀ ମୀନାଙ୍କର ବିୟୋଗ ଘଟିଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବାମୀନାଥଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମାନବ ସମାଜକୁ ଏକ ନିରାପଦ ଓ କ୍ଷୁଧାମୁକ୍ତ ଭବିଷ୍ୟତ ଦେବାପାଇଁ ସ୍ବାମୀନାଥଙ୍କ ଅବଦାନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀନାଥନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କୃଷିକ୍ଷେତ୍ରକୁ ତାଙ୍କର ଅବଦାନ ଯୋଗୁ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି ଏବଂ ଦେଶର ଖାଦ୍ୟ ସୁରକ୍ଷା ସୁରକ୍ଷିତ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗତ ଦୁଇବର୍ଷ ହେଲା ହ୍ବିଲ୍ ଚେୟାର୍‌କୁ ଆଶ୍ରୟ କରି ଚଳପ୍ରଚଳ କରୁଥିଲେ ମଧ୍ୟ ମାସକ ପୂର୍ବ ପର୍ଯ୍ୟନ୍ତ ସେ ଖୁବ୍ ସକ୍ରିୟ ଥିଲେ। ସବୁଜ ବିପ୍ଳବର ଜନକ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧ ଥିଲେ। ଉତ୍ପାଦନ ବୃଦ୍ଧି ଓ କୃଷକଙ୍କ ରୋଜଗାର ବୃଦ୍ଧି ପାଇଁ ସେ ଅଧିକ ଅମଳକ୍ଷମ ଧାନ ଓ ଗହମ କିସମର ବିକାଶ ଘଟାଇଥିଲେ। ଏମ୍‌ଏସ୍ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ପ୍ରତିଷ୍ଠାତା ସ୍ବାମୀନାଥନଙ୍କୁ ଟାଇମ୍ ପତ୍ରିକା ବିଂଶ ଶତାବ୍ଦୀର ୨୦ ଜଣ ପ୍ରଭାବଶାଳୀ ଏସୀୟ ଏବଂ ୩ ଜଣ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ସ୍ଥାନ ଦେଇଥିଲା। ଅନ୍ୟ ଦୁଇଜଣ ଭାରତୀୟ ହେଉଛନ୍ତି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ରନାଥ ଠାକୁର। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ତାଙ୍କୁ ଅର୍ଥନୈତିକ ଇକୋଲୋଜିର ଜନକ ଭାବେ ଅଭିହିତ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button