ଖେଳ ଖବର

୨ ସ୍ବର୍ଣ୍ଣ ସହ ଆଉ ୬ ପଦକ: ପଦାର୍ପଣରେ ମହିଳା କ୍ରିକେଟ୍‌ ଦଳକୁ ମୁକୁଟ – bajravana

[ad_1]

ହାଙ୍ଗଝୌ: ଚଳିତ ଏସୀୟ କ୍ରୀଡ଼ା‌ରେ ସୋମବାର ଭାରତକୁ ୨ ସ୍ବର୍ଣ୍ଣ ଓ ୪ କାଂସ୍ୟ ସହ ମୋଟ ୬ ପଦକ ମିଳିଛି। ଏଥିସହ ଭାରତର ପଦକ ସଂଖ୍ୟା ୧୧ (୨ ସ୍ବର୍ଣ୍ଣ, ୩ ରୌପ୍ୟ, ୬ କାଂସ୍ୟ)ରେ ପହଞ୍ଚିଛି। ରବିବାର ଭଳି ଆଜି ମଧ୍ୟ ବନ୍ଧୁକଚାଳନା ଓ ରୋଇଂରେ ପଦକ ଅମଳ ଜାରି ରହିଥିଲା ବେଳେ ମହିଳା କ୍ରିକେଟ୍‌ରୁ ସ୍ବର୍ଣ୍ଣ ଆସିଥିଲା।

ଏସୀୟ କ୍ରୀଡ଼ା ପଦାର୍ପଣ କରିଥିବା ଭ‌ାରତୀୟ ମହିଳା କ୍ରିକେଟ୍‌ ଦଳ ସ୍ବର୍ଣ୍ଣ ଜିତି ଏହାକୁ ଆହୁରି ସ୍ମରଣୀୟ କରିଛି। ସୋମବାର ଲୋ ସ୍କୋରିଂ ଫାଇନାଲ୍‌ରେ ଭାରତ ୧୯ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଝେଜିଆଙ୍ଗରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୧୬/୭ କରିଥିଲା। ଦଳୀୟ ସ୍କୋର ୧୬ ହୋଇଥିଲା ବେଳେ ଓପନର୍‌ ଶେଫାଳି ବର୍ମା (୯)ଙ୍କୁ ଭାରତ ହରାଇଥିଲା। ପରେ ସ୍ମୃତି ମନ୍ଧାନା ଓ ଜେମିମା ରଡ୍ରିଗୁଏଜ ପାଳି ସମ୍ଭାଳି ନେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୭୩ ରନ୍‌ ଯୋଡ଼ିଥିଲେ। ମନ୍ଧାନା ଅର୍ଦ୍ଧଶତକଠୁ ୪ ରନ୍‌ (୪୬, ୪୫ ବଲ୍‌, ୪ ଚୌକା, ୧ ଛକା) ଦୂରରେ ଥାଇ ଆଉଟ୍‌ ହୋଇଥିଲେ। ଏହାପରେ ରନ୍‌ ଗତି ବଢ଼ାଇବାକୁ ଯାଇ ଭାରତୀୟ ବ୍ୟାଟର୍‌ମାନେ ନିଜ ନିଜ ୱିକେଟ୍‌ ହରାଇଥିଲେ। ଏପରିକି କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ। ରଡ୍ରିଗୁଏଜଙ୍କ ୪୨ (୪୦ ବଲ୍‌, ୫ ଚୌକା) ରନ୍‌ ପାଳି ବଳରେ ଦଳ ୧୦୦ ପାରି କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଉଦେଶିକା ପ୍ରବୋଧାନି, ସୁଗନ୍ଦିକା କୁମାରୀ ଓ ଇନୋକା ରାନାବୀରା ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଶ୍ରୀଲଙ୍କା ତିଟାସ ସାଧୁ (୪-୧-୬-୩) ଓ ଦେବୀକା ବୈଦ୍ୟ (୪-୦-୧୫-୧)ଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ୮ ୱିକେଟ୍‌ ବିନିମୟରେ ୯୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ହସିନୀ ପେରେରା ୨୫, ନୀଳାକ୍ଷୀ ଡି’ସିଲ୍‌ଭା ୨୩ ଓ ଓସାଦି ରଣସିଂହେ ୧୯ ରନ୍‌ କରିଥିଲେ। ଭାରତର ରାଜେଶ୍ବରୀ ଗାଏକ୍ବାଡ ୨ ଏବଂ ଦୀପ୍ତି ଶର୍ମା, ପୂଜା ବସ୍ତ୍ରକାର ଓ ଦେବୀକା ବୈଦ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ବାଂଲାଦେଶ କାଂସ୍ୟ ପଦକ ଜିତିଛି। କାଂସ୍ୟ ମୁକାବିଲାରେ ଏହି ଦଳ ୫ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ୬୪/୯ କରିଥିଲା ବେଳେ ବାଂଲାଦେଶ ୧୦ ବଲ୍‌ରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

ବିଶ୍ବ କୀର୍ତ୍ତିମାନ ସହ ୧୦ ମିଟର ରାଇଫଲ ଦଳକୁ ସ୍ବର୍ଣ୍ଣ
ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ବନ୍ଧୁକଚାଳକମାନେ ଚମକ ଜାରି ରହିଛି। ଗତ କାଲି ରୌପ୍ୟ ଓ କାଂସ୍ୟ ଜିତିଥିଲା ବେଳେ ସୋମବାର ଏଥିରେ ଗୋଟିଏ ସ୍ବର୍ଣ୍ଣ ଓ ୨ କାଂସ୍ୟ ସହ ୩ ପଦକ ଯୋଡ଼ି ହୋଇଛି। ଫଳରେ ୨ ଦିନରେ ଏହି ଇଭେଣ୍ଟ୍‌ରୁ ୫ ପଦକ ଅମଳ ହୋଇଛି। ବିଶ୍ବ ବିଜେତା ରୁଦ୍ରାକ୍ଷ ପାଟିଲଙ୍କ ନେତୃତ୍ବାଧୀନ ୧୦ ମିଟର ରାଇଫଲ ଦଳ ଚଳିତ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ରୁଦ୍ରାକ୍ଷ (୬୩୨.୫), ଅଲିମ୍ପିଆନ୍‌ ଦିବ୍ୟାଂଶ ସିଂହ ପନୱାର (୬୩୧.୬) ଓ ଐଶ୍ବର୍ଯ୍ୟ ପ୍ରତାପ ସିଂହ ତୋମାର (୬୨୯.୬)ଙ୍କୁ ନେଇ ଗଠିତ ଏହି ଦଳ ୧୮୯୩.୭ ପଏଣ୍ଟ ପାଇ ନୂଆ ବିଶ୍ବ କୀର୍ତ୍ତିମାନ କରିବା ସହ ପ୍ରଥମ ସ୍ଥାନରେ ରହିଥିଲା। ଦକ୍ଷିଣ କୋରିଆ (୧୮୯୦.୧) ଓ ଚୀନ୍‌ (୧୮୮୮.୨) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ଏଠାରେ ଭଲ ପ୍ରଦର୍ଶନ କାରିଥିବା ରୁଦ୍ରାକ୍ଷ ଓ ତୋମାର ବ୍ୟକ୍ତିଗତ ବର୍ଗର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବାରେ ବିଫଳ ହୋଇଥିଲେ। ତୋମାର ୨୨୮.୮ ସ୍କୋର୍‌ ସହ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଥିଲା ବେଳେ ରୁଦ୍ରାକ୍ଷ ବିଫଳ ହୋଇଥିଲେ। ଚୀନ୍‌ର ସେଙ୍ଗ ଲିହାଓ ସ୍ବର୍ଣ୍ଣ ଓ ଦକ୍ଷିଣ କୋରିଆର ପାର୍କ ହାଜୁନ ରୌପ୍ୟ ଜିତିଥିଲେ। ୨୫ ମିଟର ରାପିଡ ଦଳଗତ ଇଭେଣ୍ଟ୍‌ରେ ଭାରତକୁ କାଂସ୍ୟ ମିଳିଥିଲା। ଆଦର୍ଶ ସିଂହ, ଅନିଶ ଭନୱାଲ ଓ ବିଜୟବୀର ସିଧୁଙ୍କୁ ନେଇ ଗଠିତ ଭାରତୀୟ ଦଳ (୧୭୧୮) ତୃତୀୟ ସ୍ଥାନରେ ରହିଥିଲା। ଚୀନ୍‌ (୧୭୬୫) ସ୍ବର୍ଣ୍ଣ ଏବଂ ଦକ୍ଷିଣ କୋରିଆ (୧୭୩୪) ରୌପ୍ୟ ଜିତିଥି‌ଲା।

ଉଷୁରେ ପଦକ ପକ୍କା
ଏସୀୟ କ୍ରୀଡ଼ାରେ ସୋମବାର ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି। ମହିଳା ଉଷୁ ୬୦ କେଜି (ସାଣ୍ଡା)ର ସେମିଫାଇନାଲ୍‌ରେ ନାଓରେମ ରୋସିବିନା ଦେବୀ ସେମିଫାଇନାଲ୍‌ରେ ପହଞ୍ଚି ଅତି କମ୍‌ରେ କାଂସ୍ୟ ପଦକ ନିଶ୍ଚିତ ‌କରିଛନ୍ତି। କ୍ବାର୍ଟର ଫାଇନାଲ୍‌ ମୁକାବିଲାରେ ରୋସିବିନା ଦେବୀ କାଜାଖସ୍ତାନର ଐମାନ କାର୍ସିଗାଙ୍କୁ ପରାସ୍ତ କରିଥିଲେ। ରୋସିବିନା ଦେବୀ ଗତ ଜାକର୍ତ୍ତା ସଂସ୍କରଣରେ କାଂସ୍ୟ ପଦକ ଜିତିଥିଲେ। ‌୨୦୧୯ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସେ ସ୍ବର୍ଣ୍ଣ ପଦକ ବିଜୟିନୀ। ପୁରୁଷ ୬୦ କେଜିରେ ସୂର୍ଯ୍ୟ ଭାନୁ ପ୍ରତାପ ସିଂହ ପଦକଠୁ ଗୋଟିଏ ପାଦ ଦୂରରେ ରହିଛନ୍ତି। ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ୨-୧ରେ ଉଜବେକିସ୍ତାନର ଇସଲୋମବେକ ଖାୟଦାରୋଭଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଆଗେଇଲେ ଦୀପକ, ନିଶାନ୍ତ
ଭାରତୀୟ ମୁଷ୍ଟିଯୋଦ୍ଧା ଦୀପକ ଭୋରିଆ ଓ ନିଶାନ୍ତ ଦେବ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ୫୧ କେଜି ପ୍ରଥମ ରାଉଣ୍ଡ ମୁକାବିଲାରେ ଦୀପକ ୫-୦ରେ ମାଲେସିଆର ମହମ୍ମଦ ଅବଦୁଲଙ୍କୁ ଏବଂ ୭୧ କେଜିରେ ନିଶାନ୍ତ ୫-୦ରେ ନେପାଳର ଦୀପେଶ ଲାମାଙ୍କୁ ହରାଇଥିଲେ। ତେବେ ମହିଳା ୬୬ କେଜିରେ ଅରୁନ୍ଧତୀ ଚୌଧୁରୀ ୦୫ରେ ଚୀନ୍‌ର ୟାଙ୍ଗ ଲିଉଙ୍କଠୁ ହାରି ବିଦାୟ ନେଇଛନ୍ତି।

ଫାଇନାଲରେ ଜିମ୍ନାଷ୍ଟ ପ୍ରଣତି
କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଉଚ୍ଚଗୁଣବତ୍ତା କେନ୍ଦ୍ରରେ ପ୍ରଶିକ୍ଷିତା ଭାରତୀୟ ଜିମ୍ନା‌ଷ୍ଟ ପ୍ରଣତି ନାୟକ ମହିଳ ଭଲ୍ଟ ଓ ଅଲ୍‌ରାଉଣ୍ଡ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭଲ୍ଟରେ ସେ ୧୨.୭୧୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହି ୮ ଜଣିଆ ଫାଇନାଲ୍‌ରେ ପହଞ୍ଚିଛନ୍ତି। ୨୪ ଜଣିଆ ଅଲ୍‌ରାଉଣ୍ଡ ଫାଇନାଲ୍‌କୁ ସେ ୨୩ତମ ସ୍ଥାନରେ ରହି ଯୋଗ୍ୟତା ପାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button