ଓଡିଶା

ପ୍ରେରଣାର ନାଁ ସାଗରପାଲି ଗାଁ: କେବେ ଥିଲା ଲଣ୍ଡା ପାହାଡ଼, ଏବେ ହେଲା ସବୁଜ – bajravana

[ad_1]

ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ପାହାଡ଼ଟି ଲଣ୍ଡା ଥିଲା। ଶିଖରରେ ଥିବା ଗୋଟେ ଯୋଡ଼େ ଗଛର ମଧ୍ୟ ଜୀବନ ପ୍ରଶ୍ବାସ ଛିଡ଼ି ଛିଡ଼ି ଆସୁଥିଲା। ନିଜ ଆଖି ଆଗରେ କୁରାଢ଼ି ଚୋଟରେ ଧରାଶାୟୀ ହୋଇଥିବା ପାହାଡ଼ର ଅନ୍ୟ ଗଛ ଭଳି କେଉଁ ମୁହୂର୍ତ୍ତରେ ସେମାନଙ୍କ ବି ପାଳି ଆସିପାରେ ବୋଲି ଭୟରେ ଥରୁଥିଲେ ଯେମିତି। କିନ୍ତୁ ସେ ଦୁର୍ଭାଗ୍ୟ ଆସି ନଥିଲା। ଲଣ୍ଡା ପାହାଡ଼ର ତଳେ ଥିବା ଗାଁ ଲୋକେ ଚେତିଲେ। ଠେଙ୍ଗା ଧରି ଜଗିଲେ, ଗଛଗୁଡ଼ିକ ବର୍ତ୍ତିଗଲେ। ପରେ ପରେ ପାହାଡ଼ର ଟାଙ୍ଗରା ଭୂଇଁରେ ଲଗାଇଲେ ଚାରା। ମୁଠିଭିକ୍ଷା କରି ଜଙ୍ଗଲ ସୁରକ୍ଷା କଲେ। ଏବେ ସେ ଲଣ୍ଡା ପାହାଡ଼ ସୁନ୍ଦର ସୁବିଜିମାରେ ଭରି ଯାଇଛି। ୧୨୧ ହେକ୍ଟର ପରିମିତ ପାହାଡ଼ ମୁହଁରେ ହସ ଭରି ପ୍ରେରଣାର ଇତିହାସ ଲେଖିଥିବା ଗାଁଟିର ନାଁ ସାଗରପାଲି।

ଟାଙ୍ଗରପାଲି ବ୍ଲକ୍ ମଙ୍ଗସପୁର ପଞ୍ଚାୟତର ଏହି ଛୋଟିଆ ଗାଁ ପ୍ରାୟ ୨୦୪ ବର୍ଷ ପୂର୍ବେ ଗଢ଼ି ଉଠିଥିଲା। ଏଯାଏ ରାଜସ୍ବ ଗାଁର ମାନ୍ୟତା ପାଇ ନଥିବା ସାଗରପାଲିର ଜଙ୍ଗଲ ସୁରକ୍ଷାର ଇତିହାସ ଅତି ପୁରୁଣା। ସ୍ଵାଧୀନତା ପରେ ପରେ ୧୯୫୬ ମସିହାରୁ ଗାଁରେ କମିଟି ଗଠନ କରି କୁର୍ଲାଡଙ୍ଗରିର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଥିଲା। କିନ୍ତୁ କାଠ ଚୋର ମାନି ନଥିଲେ। ଶହ ଶହ ଗଛ କାଟି ଘଞ୍ଚ ଜଙ୍ଗଲ ଥିବା କୁର୍ଲାଡଙ୍ଗରିକୁ ପଦା କରି ଦେଇଥିଲେ। ଏହାକୁ ଦେଖି ୧୯୭୫ରେ ଗ୍ରାମର ସାଗର ଯୁବକ ସଂଘ ଜଙ୍ଗଲ କାଟିବା ବିରୋଧରେ କଟକଣା ଜାରି କରି ଜଙ୍ଗଲ ସୁରକ୍ଷା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲେ। ଜଙ୍ଗଲର ଗଛ କାଟିବା ଲୋକକୁ ଧରି ଜରିମାନା କରାଗଲା।

୧୯୯୩-୯୪ ମସିହାରେ ସାଗରପାଲି ବନ ସୁରକ୍ଷା ସମିତି ଗଠନ କରାଯାଇ ସୁନ୍ଦରଗଡ଼ ବନଖଣ୍ଡରେ ପଞ୍ଜୀକରଣ କରାଯାଇଥିଲା। ସେ ସମୟରେ ୧୨୧.୪୧ ହେକ୍ଟର ପରିମିତ ତଥା ଦୀର୍ଘ ୮.୪ କିଲୋମିଟର ଲମ୍ବ କୁର୍ଲାଡୁଙ୍ଗରୀ ପାହାଡ଼ଟି ସଂପୂର୍ଣ୍ଣ ଲଣ୍ଡା ହୋଇଯାଇଥିଲା। ସାଗରପାଲି ଗାଁର ସାମୂହିକ ଉଦ୍ୟମ, ଶ୍ରମଦାନ, ଏକତା, ସହଭାଗିତା, ଠେଙ୍ଗାପାଳି ବ୍ୟବସ୍ଥା ତଥା ଜଙ୍ଗଲ ବିଭାଗର ସହାୟତାରେ ଧୀରେଧୀରେ ପାହାଡ଼ର ରୂପ ବଦଳିବାରେ ଲାଗିଲା। ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ତରଫରୁ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆରମ୍ଭ ହେଲାପରେ ସାଗରପାଲିରେ ହୋଇଥିଲା ଅଭୂତପୂର୍ବ ପରିବର୍ତ୍ତନ।

ସହଯୋଗୀ ଅନୁଷ୍ଠାନ ସେବକ ଦ୍ବାରା ସାଗରପାଲିବାସୀ ଗ୍ୟାସ ସଂଯୋଗୀକରଣ ଠାରୁ ଆରମ୍ଭ କରି ଜିଆଖତ, ଛତୁ ଚାଷ ଆଦି ବହୁବିଧ ଆୟଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନେବା ପରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମିଗଲା। ପରେ ପରେ ସାଗରପାଲିର ପ୍ରତ୍ୟେକ ପରିବାର ଗୋଟିଏ ଲେଖାଏଁ ବର ଓ ପିପଲ ଗଛ ଲଗାଇ ଆଜୀବନ ଏହାର ସୁରକ୍ଷା ନିମନ୍ତେ ଶପଥ ନେଇଥିଲେ। ପାହାଡ଼ ଚତୁଃପାର୍ଶ୍ଵରେ ଓ ଜଳାଶୟ ହିଡ଼ରେ ୫୦୦ରୁ ଅଧିକ ତାଳଗଛ ରୋପଣ କରିଛନ୍ତି। ଶ୍ରମଦାନ ମାଧ୍ୟମରେ ଟ୍ରେଞ୍ଚ ନିର୍ମାଣ ସହ ଉତ୍ତମ ଜଙ୍ଗଲ ପରିଚାଳନା ଓ ଜଗାରଖା ଯୋଗୁ ୫ ବର୍ଷ ପୂର୍ବେ ୫୨ ହେକ୍ଟର ଜମିରେ କରାଯାଇଥିବା ବୃକ୍ଷରୋପଣରେ ଆଜି ୯୮ ପ୍ରତିଶତ ଗଛ ବଞ୍ଚି ରହିଛି। କୁର୍ଲାଡୁଙ୍ଗରି ପାହାଡ଼ରେ ଏବେ ଶାଳ, ବିଜା, ମହୁଲ, ଚାର, ଧଉଳା, ସେନହା, ନିମ୍ବ, ସୁନାରୀ, ଅର୍ଜୁନ ଆଦି ଗଛ ସହ ଔଷଧୀୟ ବୃକ୍ଷରାଜି ହରିଡ଼ା, ବାହାଡ଼ା, ଅଁଳା, ବାସଙ୍ଗ, ଆକାଣ୍ଡବିନ୍ଧି, ଶତାବରୀ, ଭୂଇଁନିମ୍ବ ଓ ବଜ୍ରମୂଳିରେ ପରିପୂର୍ଣ୍ଣ ହୋଇଥିବା ବେଳେ ବାରହା, ହନୁ ମାଙ୍କଡ଼, ଠେକୁଆ, ଝିଙ୍କ, ବିଲୁଆ ପରି ବନ୍ୟଜନ୍ତୁ ତଥା ବିଭିନ୍ନ ପ୍ରଜାତିର ସରୀସୃପଙ୍କ ସୁରକ୍ଷିତ ବାସସ୍ଥାନ ପାଲଟିଛି। ସାଗରପାଲି ଗ୍ରାମବାସୀଙ୍କ ଜଙ୍ଗଲ ଓ ପରିବେଶ ପ୍ରତିଥିବା ଆକର୍ଷଣ ଓ ନିବିଡ଼ତାର ଜୀବନ୍ତ ପ୍ରତୀକ କୁର୍ଲାଡଙ୍ଗରି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ଇତିହାସ ପାଲଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button