ଓଡିଶା

ଭଙ୍ଗାଦଦରା ଘରେ ପଢ଼ୁଛନ୍ତି ଶିଶୁ: ୫୦ ପ୍ରତିଶତରୁ ଅଧିକ ଅଙ୍ଗନବାଡ଼ିର ନାହିଁ ନିଜସ୍ବ ଘର – bajravana

[ad_1]

ପୁରୀ: ଅଙ୍ଗନବାଡ଼ିରେ ବହୁ ଶିଶୁଙ୍କ ମୂଳଦୁଆ ପଡ଼ୁଛି। ଶୈଶବରେ ଶିକ୍ଷାର ପ୍ରାରମ୍ଭିକ ପର୍ବ ଏଇଠୁ ଆରମ୍ଭ ହେଉଛି। ମାତ୍ର ପିଲାଙ୍କ ବର୍ଣ୍ଣବୋଧ ଶିକ୍ଷାର ଏହି ଅନ୍ତୁଡ଼ିଶାଳା ଋଗ୍‌ଣ ଓ ବାଟବଣା। କେଉଁ ଅଙ୍ଗନବାଡ଼ିର ଛାତ ଓ କାନ୍ଥ ଫାଟି ଆଁ କରିଛି ତ କେଉଁଠି ମନ୍ଦିର ଅଗଣା, କ୍ଲବ୍‌ ଘର କିମ୍ବା କାହା ପିଣ୍ଡାରେ ଅଙ୍ଗନବାଡ଼ି ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏବେ ବି ବହୁ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ। ପୁରୀ ସହରରେ ୮୦ଟି ଅଙ୍ଗନବାଡ଼ି କେନ୍ଦ୍ର ଥିଲେ ହେଁ ସେଥିମଧ୍ୟରୁ ୫୦ରୁ ଅଧିକ ଅଙ୍ଗନବାଡ଼ିର ନିଜସ୍ବ ଘର ନାହିଁ। ପୁଣି ଅଧିକାଂଶ ଅଙ୍ଗନବାଡ଼ି କେନ୍ଦ୍ରରେ ପାଇଖାନା ଓ ପିଇବା ପାଣିର ବ୍ୟବସ୍ଥା ନାହିଁ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଟଙ୍କା ଆସିଛି। ହେଲେ ସେଥିମଧ୍ୟରୁ ମାତ୍ର ୨୪ଟି ସମ୍ପୂର୍ଣ୍ଣ ହୋଇପାରିଛି। ବିଡ଼ମ୍ବନା ହେଉଛି ୨୦୧୧-୧୨ ମସିହାରୁ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା। ପରେ ସମୟ ଓ ଦରଦାମକୁ ଦୃଷ୍ଟିରେ ରଖି ଅଙ୍ଗନବାଡ଼ି ଘର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। କିନ୍ତୁ ୧୦ ବର୍ଷ ବିତିଯାଇଥିଲେ ବି ଅଙ୍ଗନବାଡ଼ି ନିର୍ମାଣ କାର୍ଯ୍ୟ ସରୁନାହିଁ। ଫଳରେ ବହୁ ପିଲା ‌ଏବେ ବି ଭଙ୍ଗା ଦଦରା ଘରେ ଅସୁରକ୍ଷିତ ଭାବେ ପାଠ ପଢ଼ୁଛନ୍ତି।

ଜିଲ୍ଲାର ସ୍ଥିତି ଆହୁରି ଶୋଚନୀୟ। ସମଗ୍ର ପୁରୀ ଜିଲ୍ଲାରେ ୨୫୯୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଛୋଟଛୋଟ ପିଲାମାନେ ପଢ଼ୁଛନ୍ତି। କିନ୍ତୁ ସେଥିମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ଅଙ୍ଗନବାଡ଼ିର ନିଜସ୍ବ କୋଠା ନାହିଁ। ଅଙ୍ଗନବାଡ଼ିର ନିଜସ୍ବ କୋଠା ପାଇଖାନା ଓ ପାନୀୟ ଜଳର ବ୍ୟବସ୍ଥା କରିବା ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ନିଜସ୍ବ କୋଠାନଥିବା ବେଳେ ପାଇଖାନା, ପାନୀୟ ଜଳ ବ୍ୟବସ୍ଥା କରାଯାଇପାରିନାହିଁ। ଫଳରେ ପିଲାମାନେ ଘରୁ ପାଣି ଆଣି ପିଉଛନ୍ତି ଓ ଖୋଲାମେଲାରେ ଶୌଚ ହେବାକୁ ବାଧ୍ୟ ହେଉଛନ୍ତି। ନିକଟରେ ବଳିଆପଣ୍ଡା ଅଳିଆ ଗଦା ନିକଟରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କିଛି ଶିଶୁ ବାହାରେ ଅଳିଆ ଗଦା ନିକଟରେ ପରିସ୍ରା କରିବାରୁ ଚର୍ମ ରୋଗର ଶିକାର ହୋଇଥିଲେ। ତଥାପି ପିଲାମାନଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରାଯାଉଛି। ପ୍ରାୟ ୧୫ଶହରୁ ଊର୍ଦ୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଥିବା ସ୍ଥାନରେ ଶୌଚଘର ନାହିଁ କି ପାନୀୟ ଜଳ ବ୍ୟବସ୍ଥା ନାହିଁ।

ବହୁ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ାଇବା ପାଇଁ କର୍ମୀ ହୋଇପାରୁନାହାନ୍ତି। ୫୪ଟି କେନ୍ଦ୍ରରେ ବିନା ଅଙ୍ଗନବାଡ଼ି କର୍ମୀରେ କେବଳ ସହାୟକଙ୍କୁ ନେଇ କାମଚଳା ପାଠ ପଢ଼ା ଚାଲିଛି। ସେଥିମଧ୍ୟରୁ ୪୦ଟି ନିଯୁକ୍ତି ନେଇ ବିବାଦ ଲାଗି ରହିଛି। କଣାସରେ ସର୍ବାଧିକ ୧୯ଟି କେନ୍ଦ୍ରରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ହୋଇନାହାନ୍ତି। ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ କହିଛନ୍ତି, ପୁରୀରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ପାଇଁ ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ସ୍ଥାନ ଚିହ୍ନଟ ଅଭାବରୁ ଏଯାଏ ଅଧିକାଂଶ କୋଠା ନିର୍ମାଣ ହୋଇ ପାରୁନାହିଁ। କିଛି କୋଠା ନିର୍ମାଣାଧୀନ ରହିଛି। ସ୍ଥାନୀୟ ବିବାଦ ଯୋଗୁ କିଛି ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ହେବାରେ ସମସ୍ୟା ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button