ଓଡିଶା

ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର, ଫାଟକରେ ଝୁଲୁଛି ତାଲା

ବୌଦ୍ଧ: ଚିକିତ୍ସା କେନ୍ଦ୍ର ଅଛି ହେଲେ ଝୁଲୁଛି ତାଲା । ଚିକିତ୍ସା କେନ୍ଦ୍ରର ଚାରି ପାଶ୍ୱର୍ରେ ନିର୍ମାଣ ହୋଇଛି ପାଚେରି । କିନ୍ତୁ ପାଚେରି ଭିତରେ ପଡିଛି ମଦ ବୋତଲ । ଏ କଥା ଶୁଣିଲା ପରେ ଲାଗୁଛି ଏହା ଚିକିତ୍ସା କେନ୍ଦ୍ର ତ ନୁହଁ ସତେ ଯେମିତି ମଦୁଆଙ୍କ ଆଡା ସ୍ଥଳୀ । ନା ଆସୁଛନ୍ତି ଡାକ୍ତର ନା ଖୋଲୁଛି ଡାକ୍ତରଖାନା । ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର । ଚିକିତ୍ସା ସେବାରୁ ବଞ୍ଚିତ ଦୁଇଟି ପଞ୍ଚାୟତର ଗୃହପାଳିତ ପଶୁ । ନିର୍ମାଣ ଦିନଠାରୁ କୋମାରେ ବୌଦ୍ଧ ଜିଲ୍ଲା କୁଶଙ୍ଗ ପଞ୍ଚାୟତରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ।

୨୦୧୩ ମସିହାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର । ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ତ ହେଲା ହେଲେ ଏଠାରେ ନିଯୁକ୍ତି କରାଗଲାନି ଡାକ୍ତର କି ଅନ୍ୟାନ୍ୟ ପଦବୀ । ଯାହା ଫଳରେ ଏବେ ଭୂତ କୋଠି ପାଲଟିଛି ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର । ବ୍ଲକର ଦୁର୍ଗମ ଅଞ୍ଚଳଭାବେ ଜଣାଶୁଣା କୁଶଙ୍ଗ ଓ ମହାଲିକପଡା ପଞ୍ଚାୟତର ଗୃହ ପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିଲା ।

ହେଲେ ଯେଉଁ ଲକ୍ଷ ଆଉ ଉଦ୍ଦେଶ୍ୟ ନେଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲାଯାଇଥିଲା ତାହା ଏବେ ଫସର ଫାଟିଛି । ଗୃହ ପାଳିତ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଗ୍ରାମବାସୀ ଯାହା ଆଗରୁ ଯେଉଁ ସମସ୍ୟା ଭୋଗୁଥିଲେ ଏବେ ବି ସେୟା । ଗୃହ ପାଳିତ ପଶୁପକ୍ଷୀଙ୍କ ରୋଗ ହେଲେ ୧୫ କିମି ଦୁରକୁ ଯାଇ ଚିକିତ୍ସା କରାଉଛନ୍ତି ଚାଷୀ । ଚିକିତ୍ସାସେବା ନ ପାଇ ଅଧିକାଂଶ ସମୟରେ ମୃତ୍ୟୂବରଣ କରୁଛନ୍ତି ଗୃହପାଳିତ ପଶୁପକ୍ଷୀ । ଫଳରେ ଏହାର କ୍ଷତି ସହୁଛନ୍ତି ଅଞ୍ଚଳର ଚାଷୀ ।

ଏଠାରେ ତୁରନ୍ତ ଏକ ଡାକ୍ତର ଯୋଗାଇଦେବା ସହିତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଚାଲୁ କରିବା ନିମନ୍ତେ ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନେଲେ ଆଗାମି ଦିନରେ ଆନ୍ଦୋଳନ ହେବ ବୋଲି କଡା ଚେତାବନି ଦେଇଛନ୍ତି ଅଞ୍ଚଳବାସୀ । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ । ତେବେ କେବେ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି ଏବଂ ଡାକ୍ତର ଯୋଗାଇ ଦିଆଯାଉଛି ତାହା ଦେଖିବା ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button