ଦେଶ ବିଦେଶ

‘ପୁଷ୍ପା ୨’ରେ ଅଲୁ ଅର୍ଜୁନ ପୋଲିସକୁ ଅପମାନ କରିଥିବା ଅଭିଯୋଗ, FIR ଦେଲେ କଂଗ୍ରେସ ନେତା

ଅଲୁ ଅର୍ଜୁନ ଏବଂ ‘ପୁଷ୍ପା ୨: ଦ ରୁଲ’ର ନିର୍ମାତା ଓ ନିର୍ଦ୍ଦେଶକଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ଦାଖଲ କରାଯାଇଛି । ଫିଲ୍ମର ଏକ ସିନକୁ ନେଇ କଂଗ୍ରେସ ନେତା ତଥା ତେଲଙ୍ଗାନା ଏମଏଲସି ଥୀନମାର୍ ମଲାନ୍ନା ନିର୍ଦ୍ଦେଶକ ସୁକୁମାର ଓ ଅଭିନେତା ଅଲୁ ଅର୍ଜୁନଙ୍କ ସମେତ ପୂରା ପ୍ରଡକ୍ସନ୍ ଟିମ ବିରୋଧରେ ଅଭିଯୋଗ କରିଛନ୍ତି । ସେ ପୋଲିସ ନିକଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ନିଜ ଅଭିଯୋଗରେ ଥୀନମାର୍ ‘ପୁଷ୍ପା ୨’ର ଏକ ଦୃଶ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ‘ପୁଷ୍ପା’ ସୁଇମିଂ ପୁଲରେ ପରିସ୍ରା କରୁଥିବାର ଦେଖାଯାଉଛି ।

କଂଗ୍ରେସ ନେତା ଏହି ଦୃଶ୍ୟକୁ ଅପମାନଜନକ ବୋଲି କହିଛନ୍ତି । ଏହା ଆଇନ ଶୃଙ୍ଖଳା ଅଧିକାରୀଙ୍କ ସମ୍ମାନକୁ କ୍ଷୁଣ୍ଣ କରୁଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି । ଥୀନମାର୍ ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଅଲୁ ଅର୍ଜୁନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଫିଲ୍ମର ଏକ ଦୃଶ୍ୟରେ ପୋଲିସକୁ ଅପମାନ କରାଯାଇଛି ।

କଂଗ୍ରେସ ନେତା ଥୀନମାର୍ ମଲାନ୍ନା ମେଡିପଲ୍ଲି ଥାନାରେ ଏତଲା ଦେଇଛନ୍ତି । ସେ ଏହି ଆପତ୍ତିଜନକ ଦୃଶ୍ୟକୁ ରୋକିବା ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେପଟେ ହାଇଦ୍ରାବାଦ ଦଳାଚକଟା ମାମଲାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ‘ପୁଷ୍ପା ୨’ର ନିର୍ମାତା । ଡିସେମ୍ବର ୪ରେ ଫିଲ୍ମର ପ୍ରିମିୟର ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳାଚକଟା ହୋଇଥିଲା । ଏଥିରେ ଫିଲ୍ମ ଦେଖିବାକୁ ଆସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଫିଲ୍ମର ନିର୍ମାତା ମୃତ ମହିଳାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

କହି ରଖୁଛୁ, ସୋମବାର ଅଲୁ ଅର୍ଜୁନଙ୍କୁ ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ ଜାରି ହୋଇଥିଲା । ଏହାପରେ ଆଜି ସେ ଥାନାରେ ହାଜର ହୋଇଥିଲେ । ପୋଲିସ ଅଭିନେତାଙ୍କ ଲିଗାଲ ଟିମକୁ ଏହି ନୋଟିସ୍ ପଠାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button