ଦେଶ ବିଦେଶ

ଆସାମ ବିଶ୍ୱବିଦ୍ୟାଳୟ ପରିସରରୁ ୧୭ ଫୁଟ୍ ଲମ୍ବା ଅଜଗର ଉଦ୍ଧାର, ଛେଳିକୁ ଗିଳି ଗାର୍ଲସ୍ ହଷ୍ଟେଲ ପାଖରେ ବୁଲୁଥିଲା

ଆସାମ ବିଶ୍ୱବିଦ୍ୟାଳୟ ପରିସରରୁ ଉଦ୍ଧାର ହେଲା ଏକ ବିଶାଳକାୟ ଅଜଗର । ୧୭ ଫୁଟ ଲମ୍ବା ଏବଂ ୧୦୦ କିଲୋଗ୍ରାମ ଓଜନର ଏହି ଅଜଗର ଏକ ଛେଳିକୁ ଗିଳି ଗାର୍ଲସ୍ ହଷ୍ଟେଲ ପାଖରେ ବୁଲୁଥିଲା । ଧୀରେ ଧୀରେ ଏହା ଜଙ୍ଗଲ ଆଡ଼କୁ ଯାଉଥିଲା । ଅଜଗରକୁ ଦେଖି ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଏହି ସମୟରେ କିଛି ଛାତ୍ର ସାହସ ଦେଖାଇ ଏହାକୁ କାବୁ କରିନେଇଥିଲେ । ଏହାପରେ ସେମାନେ ଅଜଗରକୁ ସୁରକ୍ଷିତ ଭାବେ ବନ ବିଭାଗ ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିଲେ ।

ସିଲଚର ବନ ବିଭାଗ ଅନୁସାରେ, ଅଜଗର ପେଟରୁ ଛେଳିର ଅବଶେଷ ମିଳିଥିଲା । ଛେଳିକୁ ଗିଳିଦେବା ପରେ ସୁପ୍ତ ଅବସ୍ଥାରେ ଏହା ବିଶ୍ୱବିଦ୍ୟାଳୟ ପରିସରରେ ପଡ଼ି ରହିଥିଲା । ଘଟଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । କିନ୍ତୁ କିଛି ଛାତ୍ର ସାହସ ଓ ତତ୍ପରତା ଦେଖାଇ ସ୍ଥିତିକୁ ସମ୍ଭାଳି ନେଇଥିଲେ ।

ଛାତ୍ରମାନଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ବନ ବିଭାଗ ପ୍ରଶଂସା କରିବା ସହ ଅଜଗରକୁ ଜଙ୍ଗଲରେ ସୁରକ୍ଷିତ ଛଡ଼ାଯିବା ନେଇ ସୂଚନା ଦେଇଛି । ତେବେ ଘଟଣାଟି କେବଳ ଅଜଗରର ଆକାର ଏବଂ ଓଜନକୁ ନେଇ ଚର୍ଚ୍ଚାରେ ନାହିଁ, ବରଂ ଛାତ୍ରମାନଙ୍କ ସାହସ ମଧ୍ୟ ପ୍ରଶଂସାର ବିଷୟ ହୋଇଛି ।

ଛାତ୍ରମାନେ କହିଛନ୍ତି ଯେ ସେମାନେ ଅଜଗରକୁ ଧରିବା ପରେ ତା’ ସହିତ ଫଟୋ ଉଠାଇଥିଲେ ଏବଂ ଏହାପରେ ସ୍ଥାନୀୟ ବନ ବିଭାଗ ଅଫିସକୁ ହସ୍ତାନ୍ତର କରିଥିଲେ । ପ୍ରଥମେ ଏତେ ବଡ଼ ଅଜଗରକୁ ଦେଖି ସେମାନେ ଡରି ଯାଇଥିଲେ । କିନ୍ତୁ ପରେ ଦମ୍ଭ ଦେଖାଇ ଅଜଗରକୁ ବନ ଅଧିକାରୀମାନଙ୍କୁ ଦେଇଥିଲେ ।

ସେମାନଙ୍କ କହିବା ହେଲା, ଏହି ବିଶାଳକାୟ ସାପକୁ ପ୍ରଥମେ ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ନମ୍ବର ଗାର୍ଲସ ହଷ୍ଟେଲ୍ ପାଖରେ ଦେଖାଯାଇଥିଲା । ଛାତ୍ରୀମାନେ ଏହାକୁ ଦେଖି ଡରିଯାଇଥିଲେ । ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା । ପରେ ଛାତ୍ରମାନଙ୍କ ସହାୟତାରେ ବନ ବିଭାଗ ଏବଂ ସ୍ନେକ୍ ରେସକ୍ୟୁ ଟିମ୍ ପହଞ୍ଚି ଅଜଗରକୁ କାବୁ କରି ପାଖ ଜଙ୍ଗଲରେ ନେଇ ଛାଡ଼ି ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button