ଓଡିଶା

ଅବତରଣ: ଚନ୍ଦ୍ରରେ ଚନ୍ଦ୍ରଯାନ, ସହରରେ ଖୁସି – bajravana

[ad_1]

ଭୁବନେଶ୍ବର: ବିଶ୍ୱର ପ୍ରଥମ ଦେଶ ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ଅବତରଣ କରିଛି। ଏଭଳି ଏକ ସଫଳତାର ମୁହୂର୍ତ୍ତକୁ ଭୁବନେଶ୍ବରବାସୀ ବଡ଼ ଉତ୍ସାହର ସହିତ ପାଳନ କରିଛନ୍ତି। ସାଧାରଣ ଲୋକେ ଏଥିପାଇଁ ଗର୍ବ କରୁଥିବାବେଳେ ପ୍ରାୟ ସବୁ ଖଟି, ଆସର ଓ ଅଫିସ୍‌ରେ ଏହାକୁ ନେଇ ଦିନଯାକ ଚର୍ଚ୍ଚା ଲାଗି ରହିଥିଲା। ବିଶେଷକରି ଏଥିପାଇଁ ଜାତୀୟସ୍ତରୀୟ ସରକାରୀ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ, କଲେଜ, ଘରୋଇ ସ୍କୁଲଗୁଡ଼ିକରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଛାତ୍ରଛାତ୍ରୀ କ୍ୟାମ୍ପସରେ ଏକତ୍ର ହୋଇ ଅପରାହ୍ଣ ୫ଟା ୨୭ରୁ ଏହାର ସିଧାପ୍ରସାରଣ ଇସ୍ରୋ‌ ୱେବସାଇଟ୍‌ ସମେତ ଇସ୍ରୋ ଅଫିସିଆଲ୍‌ ୟୁ-ଟ୍ୟୁବ୍‌ ଚାନେଲ୍‌, ଫେସ୍‌ବୁକ୍‌ ପେଜ୍‌ରେ ଦେଖିବାର ସୁଯୋଗ ପାଇଥିଲେ। ଡିଡି ନ୍ୟାସନାଲ ଟିଭି ଚ୍ୟାନେଲ୍‌ରେ ମଧ୍ୟ ଏହାର ସିଧାପ୍ରସାରଣ ହୋଇଥିଲା। ବିଜ୍ଞାନ କ୍ଷେତ୍ରରେ ଭାରତ ପାଇଁ ସୃଷ୍ଟି ହୋଇଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି, ଆଇଆଇଏମ୍‌, କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପରି ଜାତୀୟ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଅତି ଆଗ୍ରହର ସହିତ ଦେଖିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ରାଜ୍ୟର ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ମଧ୍ୟ ପୂର୍ବାହ୍ନଠାରୁ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ଏଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ। କ୍ୟାମ୍ପସରେ ବଡ ସ୍କ୍ରିନ୍‌ ଲଗାଯାଇ ସିଧାପ୍ରସାରଣର ଦୃଶ୍ୟ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଯାଇଥିଲା। ଠିକ୍‌ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରଯାନ ଜହ୍ନରେ ଅବତରଣ କରିବା କ୍ଷଣି ସବୁଠି ଖେଳିଯାଇଥିଲା ଖୁସି। ପ୍ରଫେସର, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଖୁସିରେ ଆତ୍ମହରା ହୋଇଉଠିଥିଲେ। ପରସ୍ପରକୁ ଆଲିଙ୍ଗନ କରି ପକାଇ ଶୁଭେଚ୍ଛା ଜଣାଇଥିଲେ। ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭୁବନେଶ୍ବରସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ଖୁସିର ଲହରି ଖେଳି ଯାଇଥିଲା। କାରଣ ଏଠାରେ ନିର୍ମାଣ ହୋଇଥିବା ବହୁ ପରିମାଣର ଯନ୍ତ୍ରାଂଶ ଚନ୍ଦ୍ରଯାନ-୩ରେ ବ୍ୟବହାର ହୋଇଛି। ଲ୍ୟାଣ୍ଡର୍‌ ଓ ରୋଭରରେ ଲାଗିଥିବା ଯନ୍ତ୍ରପାତିଗୁଡ଼ିକ ସିଟିଟିସି ପ୍ରସ୍ତୁତ କରି ଇସ୍ରୋକୁ ଯୋଗାଇଥିଲା। ଦୁଇ ବର୍ଷ ତଳେ ସିଟିଟିସିକୁ ମିଳିଥିଲା ଉପକରଣର ଡ୍ରଇଂ, ଯାହାର ଆଧାରରେ କମ୍ପାନି ୭୫ ହଜାର ଯନ୍ତ୍ରାଂଶ ନିର୍ମାଣ କରିଥିଲା। ସିଟିଟିସି ସେଣ୍ଟରରେ ନିର୍ମାଣ ହୋଇଥିବା ଏହି ଯନ୍ତ୍ରାଂଶ କାମରେ ୧୫୦ କର୍ମଚାରୀ ଓ ଟ୍ରେନି ସାମିଲ ଥିଲେ। ଇସ୍ରୋ ମଧ୍ୟ ସିଟିଟିସିକୁ ଅନେକ ହ୍ୟାଣ୍ଡ ହୋଲଡିଂ ଯୋଗାଇ ଦେଇଥିଲା। ଚନ୍ଦ୍ରୟାନ-୩ର ସବୁଠାରୁ ଜଟିଳ ଯନ୍ତ୍ରାଂଶ ସିଟିଟିସି ନିର୍ମାଣ କରିଛି। ଲ୍ୟାଣ୍ଡର୍‌ର ପାଖାପାଖି ସବୁ ଜଟିଳ ଯନ୍ତ୍ରାଂଶ ମଧ୍ୟ ନିର୍ମାଣ କରିଛି। ଚନ୍ଦ୍ରୟାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନସର ଲାଗିଛି। ଏ ଯନ୍ତ୍ରାଂଶଗୁଡ଼ିକୁ ଲଞ୍ଚ ଭେହିକିଲରେ ଫିଟିଂ କରିବା ଯାଏଁ ଭୂମିକା ନିଭାଇଛି ସିଟିଟିସି। ସିଟିଟିସି ଗତ ୨୫ ବର୍ଷ ହେଲା ଇସ୍ରୋ ସହ ସମନ୍ବୟ ରଖି କାମ କରୁଛି। ପୂର୍ବରୁ ଅନ୍ୟ ମହାକାଶ ଅଭିଯାନ ପାଇଁ ମଧ୍ୟ ସିଟିଟିସି ବିଭିନ୍ନ ଯନ୍ତ୍ରାଂଶ ଯୋଗାଇଛି। ଏପରିକି ଚନ୍ଦ୍ରଯାନ-୨ର ଯନ୍ତ୍ରାଂଶ ମଧ୍ୟ ଏଠାରେ ତିଆରି ହେବା ସହିତ ଯୋଡା ଯାଇଥିଲା।

ସହରର ପ୍ରାୟ ଅଧିକାଂଶ ସ୍କୁଲରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖା ଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀ ‘ଜୟ ହୋ’, ‘ଭାରତ ମାତା କି ଜୟ’ ନାରା ଦେଇ ଉତ୍କଣ୍ଠାର ସହ ସେହି ମୁହୂର୍ତ୍ତକୁ ଉପଭୋଗ କରିଥିଲେ। ଐତିହାସିକ ମୁହୂର୍ତ୍ତରେ ଛାତ୍ରଛାତ୍ରୀ ବିଭିନ୍ନ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଦିନ ତମାମ ସମସ୍ତ ଶ୍ରେଣୀରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚନ୍ଦ୍ରାୟନ-୩ ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିଲା। ଛାତ୍ରଛାତ୍ରୀଙ୍କ ପାଇଁ ଅପରାହ୍ନରେ ସଫଳ ଅବତରଣର ମୁହୂର୍ତ୍ତକୁ ସିଧାପ୍ରସାରଣ କରାଯାଇଥିଲା। ଚେୟାରପର୍ସନ ଶିଳ୍ପୀ ସାହୁ କହିଥିଲେ, ଏହି ସଫଳତାର ମୁହୂର୍ତ୍ତ ସମସ୍ତଙ୍କ ପାଇଁ ରୋମାଞ୍ଚକର। ସ୍କୁଲର ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ ଚନ୍ଦ୍ରାୟନ-୩ ଅବତରଣର ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଅଧ୍ୟୟନ ପାଇଁ ଉତ୍ସାହିତ କରିବ ବୋଲି ମତପ୍ରକାଶ କରିଥିଲେ। ସେହିପରି ଡିଏଭି ଚନ୍ଦ୍ରଶେଖରପୁରଠାରେ ଡିଏଭି ଶିକ୍ଷାନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ କେ ସି ଶତପଥୀ, ସ୍କୁଲ ଅଧ୍ୟକ୍ଷ ସୁଜାତା ସାହୁ, ସଂଯୋଜକ ଇନ୍ଦିରା‌ ଭଟ୍ଟାଚାର୍ଯ୍ୟଙ୍କ ସମେତ ଏକାଡେମିକ ସୁପରଭାଇଜର, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏଥିପାଇଁ କିଟ୍‍ ଓ କିସ୍‍ର ବିଭିନ୍ନ ଅଡିଟୋରିୟମରେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସିଧା ପ୍ରସାରଣ ଦେଖିବା ପାଇଁ କିଟ୍‌ ଓ କିସ୍‌ର ୬୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ‘ଭାରତମାତା କି ଜୟ’ ନାରାରେ ସମଗ୍ର କ୍ୟାମ୍ପସ ପ୍ରକମ୍ପିତ ହୋଇଥିଲା। ଏହାପୂର୍ବରୁ ସକାଳେ ଉଭୟ କିଟ୍‍ ଓ କିସ୍‍ ଛାତ୍ରଛାତ୍ରୀମାନେ ଚନ୍ଦ୍ରଯାନ-୩ର ସଫଳ ଅବତରଣ କାମନା କରି ଶୁଭ ମନାସି ଥିଲେ। କିସ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ହୋମ, ବେଦ ପାଠ ଏବଂ ଦୀପ ଦାନ ଆଦି ଆୟୋଜନ କରାଯାଇଥିଲା। ସ୍କୁଲ ପରିସରରେ ଚନ୍ଦ୍ରଯାନ-୩ର ଏକ ମଡେଲ ରଖି ଛାତ୍ରଛାତ୍ରୀମାନେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ।

ଆଶାଏଁ ‘ଆମ ପାଠଶାଳା’ର ୫ଟି କେନ୍ଦ୍ରର ଛାତ୍ରଛାତ୍ରୀମାନେ ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି। ମୁରୁଜ ମାଧ୍ୟମରେ ଚନ୍ଦ୍ରଯାନର ଛବି ଆଙ୍କି ଇସ୍ରୋର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇବା ସହ ଇସ୍ରୋ ଦ୍ୱାରା ପ୍ରଦର୍ଶିତ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଯାନର ସଫଳ ଅବତରଣର ମୁହୂର୍ତ୍ତକୁ ଉତ୍ସାହର ସହ ଉପଭୋଗ କରିଥିଲେ। ଆମ ପାଠଶାଳାର ୫ଟି କେନ୍ଦ୍ରର ୨ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହୋଇ ପାରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ। ଇସ୍ରୋର ଏହି ଐତିହାସିକ ସଫଳତା ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ କ୍ଷେତ୍ରରେ ଯିବାକୁ ପ୍ରେରଣା ଯୋଗାଇବ ବୋଲି ଆଶାଏଁ ର ଅଧ୍ୟକ୍ଷ ରତ୍ନାକର ସାହୁ କହିଛନ୍ତି। ଚନ୍ଦ୍ରଯାନ-୩ ସଫଳ ଯାତ୍ରାର ସିଧା ପ୍ରସାରଣ ଆଜି ପଠାଣିସାମନ୍ତ ପ୍ଲାନେଟୋରିୟମ୍‌ରେ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ, ଏହି ସଫଳତା ସମଗ୍ର ଦେଶବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ଲାନେଟୋରିମ୍‌ ନିର୍ଦ୍ଦେଶକ ମଞ୍ଜୁଲତା ବେହେରା‌ଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button