ଦେଶ ବିଦେଶ

ନେପାଳ ନିର୍ବାଚନ ପାଇଁ , ଭାରତ ପଠାଇଲା ୨୦୦ ଗାଡ଼ି

କାଠମାଣ୍ଡୁ : ନେପାଳରେ ଚଳିତ ମାସ ୨୦ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଭୟ ନେପାଳି ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ଏହି ନିର୍ବାଚନ ହେଉଛି । ନିର୍ବାଚନ ପରିଚାଳନାରେ ସହାୟତା ପାଇଁ ଭାରତ ସରକାର ନେପାଳକୁ ୨୦୦ଟି ଗାଡ଼ି ପଠାଇଛନ୍ତି । ଏ ସଂପର୍କରେ ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ୨୦୦ଟି ଗାଡ଼ି ମଧ୍ୟରୁ ୮୦ଟି ଗାଡ଼ି ନେପାଳ ନିର୍ବାଚନ କମିସନର ଅଧିକାରୀମାନଙ୍କ ପାଇଁ ଓ ୧୨୦ଟି ଗାଡ଼ି ସୁରକ୍ଷା ବାହିନୀର ବ୍ୟବହାର ପାଇଁ ଉଦ୍ଦିଷ୍ଟ ।

ମଙ୍ଗଳବାରଦିନ କାଠମାଣ୍ଡୁରେ ଅନୁଷ୍ଠିତ ଏକ ସମାରୋହରେ ନେପାଳରେ ଭାରତର ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳର ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମାଙ୍କୁ ଏସବୁ ଯାନ ହସ୍ତାନ୍ତର କରିଛନ୍ତି ।

ଏସବୁ ଯାନ ପ୍ରଦାନ ପାଇଁ ଅର୍ଥମନ୍ତ୍ରୀ ଶ୍ରୀ ଶର୍ମା ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଏସବୁ ଗାଡ଼ିର ବ୍ୟବହାର ଦ୍ବାରା ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ସହଜ ହେବ ।

କେବଳ ଏଥରର ନିର୍ବାଚନ ନୁହେଁ, ପୂର୍ବର ନିର୍ବାଚନ ବେଳେ ବି ଭାରତ ସରକାର ନେପାଳ ସରକାରଙ୍କୁ ଗାଡ଼ି ଯୋଗାଇଆସୁଛନ୍ତି ।

ନେପାଳରେ ଗତ କିଛି ବର୍ଷ ଧରି ରାଜନୈତିକ ଅସ୍ଥିରତା ଦେଖାଦେଉଛି । ଏ ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button