ଓଡିଶା

ମହାନଦୀ: ଅନ୍ୟ ଏକ ନାଁ ଓଡ଼ିଶାର ମରୁଭୂମି! – bajravana

[ad_1]

କଣ୍ଟିଲୋ: କୁହାଯାଏ ନଦୀର ମଧ୍ୟ ଜୀବନ ଥାଏ। କିନ୍ତୁ ମହାନଦୀର ସାମ୍ପ୍ରତିକ ସ୍ଥିତି ଦେଖିଲେ ଲାଗେ ଯେ କିଛି ବର୍ଷ ମଧ୍ୟରେ ହୁଏତ ମରୂଭୂମି ପାଲଟିଯିବ ଓଡ଼ିଶାର ଜୀବନରେଖା ପାଲଟିଥିବା ଚିରସ୍ରୋତା ମହାନଦୀ। ବିଗତ ୧୫ରୁ ୨୦ ବର୍ଷ ମଧ୍ୟରେ କ୍ରମାଗତ ଭାବେ ମହାନଦୀ ଗର୍ଭରେ ଜଳପ୍ରବାହ ହ୍ରାସ ପାଇଚାଲିଛି। ଯାହାକି ମହାନଦୀ ଅବବହିକା ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଯେଉଁ ସ୍ଥାନରେ ଗଭୀର ନୀଳଜଳ ଲହଡ଼ି ଭାଙ୍ଗୁଥିଲା ଓ ଡଙ୍ଗାରେ କାତ ପାଉନଥିଲା ସେହି ସ୍ଥାନ ବର୍ତ୍ତମାନ ବାଲିଗଦାରେ ପରିଣତ ହେଇଛି। ନୟାଗଡ଼ ଜିଲ୍ଲାର ଗଣିଆଠାରେ ଭାପୁର ବ୍ଲକ୍ ପର୍ଯ୍ୟନ୍ତ ପ୍ରାୟ ୩୦ କିମିରୁ ଊର୍ଦ୍ଧ୍ବ ଅଞ୍ଚଳକୁ ମହାନଦୀ ସ୍ପର୍ଶ କରିଛି। ପୂର୍ବରୁ ମହାନଦୀର ଜଳକୁ ଆଧାର କରି ନଈକୂଳିଆ ଗ୍ରାମ କିଶୋରପ୍ରସାଦ, ସିଧାମୂଳା, ବଡ଼ବାଣପୁର, କଣ୍ଟିଲୋ, ପଥରଚକଡ଼ା, ପଦ୍ମାବତୀ ଗ୍ରାମଗୁଡ଼ିକରେ ଗଢ଼ିଉଠିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ଅନେକ ଦିନରୁ ଜଳାଭାବ କାରଣରୁ ବନ୍ଦ ହୋଇସାରିଲାଣି। ଏଥି ସହ ବଡ଼ବାଣପୁର ନିକଟରେ ୨୦୦୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିବା ୩୦ ଲକ୍ଷର କେ.ଏଫ୍.ଡବ୍ଲ୍ୟୁ ମେଗା ଜଳସେଚନ ପ୍ରକଳ୍ପ ମଧ୍ୟ ବନ୍ଦହେବା ସହ ଖତ ହେଉଛି। ଏହା ଛଡ଼ା ନଇକୂଳିଆ ଗ୍ରାମରେ ବସତି ସ୍ଥାପନ କରି ମହାନଦୀରୁ ମାଛମାରି ଜୀବିକା ନିର୍ବାହ କରୁଥିବା କୈବର୍ତ୍ତ ସମୁଦାୟମାନଙ୍କ ଜୀବନ ଜୀବିକା ମଧ୍ୟ ମହାନଦୀ ଶୁଖିଯିବା କାରଣରୁ ଗଭୀର ଭାବେ ପ୍ରଭାବିତ ହୋଇଛି।

ନୟାଗଡ଼ ଜିଲ୍ଲାକୁ ମହାନଦୀରୁ ପାନୀୟ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜଳଯୋଗାଣ ଜାରି ରହିଛି, ଯାହାର ଜଳସଂଗ୍ରହ ଉତ୍ସ ଖଣ୍ତପଡ଼ା ବ୍ଲକ୍ ବଡ଼ବାଣପୁର ଗ୍ରାମ ମହାନଦୀ କୂଳ ନିକଟରେ ରହିଛି। ପୂର୍ବରୁ ସେଠାରେ ଗଭୀର ଜଳରାଶି ରହିଥିବା ବେଳେ ବର୍ତ୍ତମାନ ଇନ୍‌ଟେକ୍ ୱେଲର ଚତୁର୍ପାର୍ଶ୍ବ ବାଲିଗଦା ପାଲଟିଲାଣି। ଫଳରେ ଆଗାମୀ କିଛି ବର୍ଷ ମଧ୍ୟରେ ଜଳସଂଗ୍ରହରେ ବାଧା ଉପୁଜିବାର ଆଶଙ୍କା ପ୍ରକାଶ ପାଇଛି। ଏହାର ସମାଧାନ ପାଇଁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମହାନଦୀ ମୁଖ୍ୟ ଜଳ-ଧାରଠାରୁ ଜଳସଂଗ୍ରହ ଉତ୍ସ ନିକଟକୁ ଅସ୍ଥାୟୀ ନାଳ ଖୋଳା କାର୍ଯ୍ୟ ଜାରି ରହିଛି। ମହାନଦୀର ସମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ସ୍ଥାନୀୟ ବୟସ୍କ ବ୍ୟକ୍ତି ପୂର୍ବରୁ କେବେବି ମହାନଦୀର ଅବସ୍ଥା ଏଭଳି ହୋଇନଥିବା ମତ ଦେଉଛନ୍ତି।

ଉପର ମୁଣ୍ତରେ ଛତିଶଗଡ଼ ମହାନଦୀରେ ପ୍ରକଳ୍ପ ନିର୍ମାଣ କରି ସ୍ବାଭାବିକ ଜଳପ୍ରବାହ ରୋକିବା ତଥା ମହାନଦୀ ଅବବାହିକା ଅଞ୍ଚଳରୁ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁ ମହାନଦୀ ଏବେ ବାଲିଗଦା ପାଲଟିଛି। କେବଳ ବର୍ଷା ୪ ମାସରୁ ୨ମାସ ପାଖାପାଖି ନଦୀଗର୍ଭ ପୂର୍ଣ୍ଣ ରହୁଥିବାବେଳେ ଗ୍ରୀଷ୍ପ ଋତୁରେ ଏହା ଶୁଷ୍କ ହେବାରେ ଲାଗିଛି। ଦୀର୍ଘଦିନ ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ମଧ୍ୟରେ ଛନ୍ଦିହୋଇ ରହିଛି। ଯାହାର ସମାଧାନ ବିଳମ୍ବିତ ପ୍ରକ୍ରିୟା। ଟ୍ରିବ୍ୟୁନାଲକୁ ୭ ବର୍ଷ ପୂରିଥିବାବେଳେ ଜଳ ବିବାଦର ସମାଧାନ ରାସ୍ତା ଲମ୍ବିବାରେ ଲାଗିଛି। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ମହାନଦୀରେ ଭୂତଳ ଜଳସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ନଦୀ ଗର୍ଭରେ ସୃଷ୍ଟି ହୋଇଥିବା ବାଲିଗଦା ଜାଗାରେ ଜଳ ସଂରକ୍ଷଣ କରାଯାଇ ଜଳାଭାବକୁ ଅନେକାଂଶରେ ରୋକାଯାଇପାରନ୍ତା। ସରକାର ମହାନଦୀ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବେଳ ଥାଉ ଥାଉ ପଦକ୍ଷେପ ନ ନେଲେ ଭବିଷ୍ୟତରେ ସାଙ୍ଘାତିକ ଜଳ ସଂକଟ ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button