ଓଡିଶା

ମୁଖ୍ୟମନ୍ତ୍ରୀଙ୍କୁ ଭାଇ କହି ସମ୍ବୋଧନ କଲେ ଦ୍ରୌପଦୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଇ କହି ସମ୍ବୋଧନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ ସମ୍ବୋଧନ କରିବା ବେଳେ ଦ୍ରୌପଦୀ ଏପରି କହିଛନ୍ତି । ଏଥିସହ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ବେଳେ ନବୀନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ବୋଲି ଏହି ଅବସରରେ ମନେ ପକାଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ସମସ୍ତଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ ଉପସ୍ଥିତ ଥିଲେ।

ବୈଠକ ପରେ ସାଂସଦ ପିନାକୀ ମିଶ୍ର କହିଛନ୍ତି, ବୈଠକରେ ଦ୍ରୈପଦୀ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ବୋଲି କହିଥିଲେ । ରାକ୍ଷୀର ପାଉଣା ମାଗିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ଦ୍ରୌପଦୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶତ ପ୍ରତିଶତ ଭୋଟ୍ ବିଜେଡି ଦେବ । ଅନ୍ୟ ସମର୍ଥନ କିପରି ଆସିପାରିବ ସେ ନେଇ ଦଳ ପ୍ରୟାସ କରିବ।

ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭଉଣୀର ମନକଥା ଜାଣି ଭାଇ ଉପହାର ଦେଇ ସାରିଛନ୍ତି। ଦ୍ରୌପଦୀ ମଧ୍ୟ ଏଥିରେ ଖୁସି ପ୍ରକାଶ କରିଛନ୍ତି।ସେ ଓଡ଼ିଶାର ଝିଅ । ରାଷ୍ଟ୍ରପତି ହେବା ଆମର ଗର୍ବର କଥା । ସେ ରାଷ୍ଟ୍ରପତି ହେବା ପରେ ରାଜ୍ୟର ଗୌରବ ବଢ଼ିବ।

ଉଲ୍ଲେଖଯୋଗ୍ୟ, ଆଜି ସ୍ୱତନ୍ତ୍ର ଚାଟାର୍ଡ ବିମାନ ଯୋଗେ ଦ୍ରୌପଦୀ ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ଉଭୟ ବିଜେଡି ଏବଂ ବିଜେପି ସ୍ୱାଗତ କରିଥିଲେ।

ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ  ପ୍ରଥମ ଅଣ ଏନ଼ଡିଏ ଦଳ ଭାବେ ବିଜେଡି ସମର୍ଥନ ଘୋଷଣା କରିଥିଲା। ଏହାପରେ ଅନ୍ୟାନ୍ୟ ଦଳ ଓ୍ୱାଇଏସଆର କଂଗ୍ରେସ, ବିଏସପି, ଅକାଳୀ ଦଳ ଆଦି ସମର୍ଥନ କରିଛି।

ଦ୍ରୌପଦୀ ଜଣେ ମହିଳା ଏବଂ ଆଦିବାସୀ ନେତ୍ରୀ ହୋଇଥିବାରୁ ଏବେ ପ୍ରାର୍ଥୀ ବିଜେଡି ନା ବିଜେପିର ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଉ ବିଜେଡି ବିଧାୟକ ଭାଗିରଥୀ ସେଠୀ କହିଛନ୍ତି, ନବୀନ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେବା ପରେ ପ୍ରଧାନମନ୍ତ୍ରା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ତେବେ ଭାଗିରଥୀ ଯେଉଁ କଥା କହିଛନ୍ତି ତାହା ପୂର୍ବରୁ ଦଳର ଅନ୍ୟ କୌଣସି ନେତା କହିନଥିଲେ। ଦ୍ରୌପଦୀ ଓଡ଼ିଶା ପ୍ରଚାର ପାଇଁ ଆସୁଥିବା ଖବର ସାମ୍ନାକୁ ଆସିବା ପରେ ସେ ଏପରି କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button