ଓଡିଶା

ମଦରୁ ମୁକ୍ତି କେବେ? ଲୁହ ଗଡ଼ାଉଛନ୍ତି ବିଧବା ଲକ୍ଷ୍ମୀ ଓ ସରସ୍ବତୀ – bajravana

[ad_1]

ଓଡ଼ିଶାରେ ପ୍ରତିଦିନ ଅନେକ ଲୋକ ମଦ ମୃତ୍ୟୁର ଶିକାର ହେଉଛନ୍ତି। କିନ୍ତୁ ଏଯାଏ ମଦମୃତ୍ୟୁ ଥମିବାର ନାମ ନେଉନି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ଅଧୀନ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିରେ ପ୍ରତିବର୍ଷ ୧୧ରୁ ୧୪ ଜଣ ମଦ୍ୟପଙ୍କ ମୃତ୍ୟୁ ଘଟୁଛି। ଗତବର୍ଷ ଏଠାରେ ଅପମିଶ୍ରିତ ମଦ ପିଇ ୧୩ ଜଣ ପ୍ରାଣ ହରାଇଥିବା ବେଳେ ବର୍ତ୍ତମାନ ୭୦ ଜଣରୁ ଅଧିକ ମଦଜନିତ ବିଭିନ୍ନ ରୋଗର ଶିକାର ହୋଇଛନ୍ତି। ଅବେଳରେ ସ୍ବାମୀମାନଙ୍କୁ ହରାଇ ଅନେକ ମହିଳା ବିଧବା ସାଜିଛନ୍ତି, ଦରିଦ୍ର ହେଉଛନ୍ତି। କେବଳ ସେତିକି ନୁହେଁ, ଭାଗ୍ୟକୁ ଆଦରି ନିଃସଙ୍ଗ ଜୀବନ ଜିଉଛନ୍ତି। ସେମିତି ଦୁଇଜଣ ମହିଳା ହେଉଛନ୍ତି ସରସ୍ବତୀ ଦେହୁରୀ ଓ ଲକ୍ଷ୍ମୀ ନାଏକ। ମଦ ପାଇଁ ସେମାନଙ୍କ ଜୀବନ ଉଚ୍ଛନ୍ନ ହୋଇଯାଇଛି। କୋହଭରା କଣ୍ଠରେ ସରସ୍ବତୀ କହନ୍ତି, ‘ଯେତେ ମନାକଲି ଶୁଣିଲେନି। ଠାକୁରରାଣ ବି କାଟୁ କଲାନି। ଶେଷରେ ମଦ ପିଇ ସ୍ବାମୀଙ୍କ ଜୀବନ ଚାଲିଗଲା। ସିଏ ସିନା ଆଖିବୁଜିଦେଲେ, ମୁଁ ଓ ମୋ ପିଲାଛୁଆ ଏବେ ଅସହାୟ। ପରଘରେ ମୂଲ ଲାଗିଲେ ପେଟ ପୂରୁଛି’। ସେହିପରି ଛଳ ଛଳ ଆଖିରେ ଲକ୍ଷ୍ମୀ କହନ୍ତି, ‘ମଦ ମୋ ସଂସାର ଉଜାଡ଼ି ଦେଲା। ପିଲାଛୁଆ ଅଭାଗା ହୋଇଗଲେ। କେତେ କଷ୍ଟରେ ଅଛୁ, ସେକଥା ଆମେ ଜାଣିଛୁ। କହିବୁ କାହାକୁ, ଶୁଣିବାବାଲା ତ କେହି ନାହିଁ’।

ଗୋଟିଏ ପଟେ ରାଜ୍ୟରେ ମଦ ମୃତ୍ୟୁ ଥମୁ ନଥିବା ବେଳେ ଅନ୍ୟପଟେ ମଦ୍ୟପଙ୍କ ସଂଖ୍ୟା, ମଦ ପିଇବା ଓ ବେଆଇନ ମଦ କାରବାର ବଢ଼ି ଚାଲିଛି। ମଦ ବିକ୍ରି ପାଇଁ ସରକାର ଯେତିକି ଏମ୍‌ଜିକ୍ୟୁ (ମିନିମମ୍ ଗ୍ୟାରେଣ୍ଟି କୋଟା) ଧାର୍ଯ୍ୟ କରୁଛନ୍ତି, ତାର ଦୁଇଗୁଣ ଆମଦାନି ଓ ବିକ୍ରି ହେଉଛି। ଅବକାରୀ ବିଭାଗର ତଥ୍ୟ କହୁଛି; ୨୦୨୦-୨୧ରେ ବିଦେଶୀ ମଦ ବିକ୍ରି ପାଇଁ ୧୦ ଲକ୍ଷ ୧୦ ହଜାର ୯୬ ଲିଟର ଏମ୍‌ଜିକ୍ୟୁ ଧାର୍ଯ୍ୟ କରାଯାଇଥିଲା। ହେଲେ ବ୍ୟବସାୟୀମାନେ ୨୩ ଲକ୍ଷ ୫୧ ହଜାର ୮୯୪ ଲିଟର ଆମଦାନି କରିଥିଲେ। ସେହିପରି ୨୦୨୧-୨୨ରେ ୧୪ ଲକ୍ଷ ୧୪ ହଜାର ୩୮୫ ଲିଟର ଏମ୍‌ଜିକ୍ୟୁ ଧାର୍ଯ୍ୟ ହୋଇଥିବା ବେଳେ ୨୭ ଲକ୍ଷ ୯୮ ହଜାର ୧୬୦ ଲିଟର ଏବଂ ୨୦୨୨-୨୩ରେ ୧୬ ଲକ୍ଷ ୬୪ ହଜାର ୨୭୨ ଲିଟର ଏମ୍‌ଜିକ୍ୟୁ ଧାର୍ଯ୍ୟ ହୋଇଥିବା ବେଳେ ୩୦ ଲକ୍ଷ ୫୧ ହଜାର ୨୯୮ ଲିଟର ଆମଦାନି ହୋଇଥିଲା। ଅନ୍ୟପଟେ ୨୦୨୦-୨୧ରେ ବିଅର୍ ବିକ୍ରି ପାଇଁ ଏମ୍‌ଜିକ୍ୟୁ ୧୫ ଲକ୍ଷ ୭୭ ହଜାର ୫୯୦ ଲିଟର ଧାର୍ଯ୍ୟ କରାଯାଇଥିଲା। ହେଲେ ବ୍ୟବସାୟୀମାନେ ୧୯ ଲକ୍ଷ ୯୬ ହଜାର ୨୨୧ ଲିଟର ଆମଦାନି କରିଥିଲେ। ସେହିପରି ୨୦୨୧-୨୨ରେ ୨୨ ଲକ୍ଷ ୨୭ ହଜାର ୫୫୯ ଲିଟର ଏମ୍‌ଜିକ୍ୟୁ ଧାର୍ଯ୍ୟ ହୋଇଥିବା ବେଳେ ୨୯ ଲକ୍ଷ ୪୦ ହଜାର ୧୧୨ ଲିଟର ଏବଂ ୨୦୨୨-୨୩ରେ ୨୬ ଲକ୍ଷ ୨୯ ହଜାର ୬୨ ଲିଟର ଏମ୍‌ଜିକ୍ୟୁ ଧାର୍ଯ୍ୟ ଥିବା ବେଳେ ୫୫ ଲକ୍ଷ ୧୬ ହଜାର ୨୨୦ ଲିଟର ଆମଦାନି ହୋଇଥିଲା।
ସାରା ଓଡ଼ିଶାରେ ଅନେକ ସଂଗଠନ ପକ୍ଷରୁ ମଦ କାରବାର ନିଷେଧ ପାଇଁ ଦୃଢ଼ ଦାବି ଉପସ୍ଥାପନ ହୋଇଆସୁଛି। ଯାହାଦ୍ବାରା ୧୯୯୪ ମସିହାରେ ସରକାର ମଦ ବିକ୍ରି ଏବଂ ତିଆରି ଉପରେ ନିଷେଧାଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ୧୯୯୫ ମସିହାରେ ରାଜସ୍ୱହାନି କାରଣ ଦର୍ଶାଇ ନିଷେଧାଦେଶକୁ ଉଠାଇ ଦିଆଗଲା। ସେବେଠାରୁ ପୁଣି ରାଜ୍ୟରେ ମଦ କାରବାର ବଢ଼ିଚାଲିଛି। ସରସ୍ବତୀ ଓ ଲକ୍ଷ୍ମୀଙ୍କ ପରି ଅଗଣିତ ଅସହାୟ ମହିଳା ଚାହାନ୍ତି, ମଦ କାରବାର ଆଉ ନହେଉ। ହେଲେ ଏହା କେବେ ସମ୍ଭବ ହେଉଛି, ତାହା ସମୟ କହିବ।

-ରୁଦ୍ରରଂଜନ ଶେଜପଡ଼ା



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button