ଓଡିଶା

ଅଣ୍ଡାରେ ଝୁଣ୍ଟିଲା ‘ସମ୍ପୂର୍ଣ୍ଣ ପୁଷ୍ଟି’: ଖୋର୍ଦ୍ଧାରେ କିଶୋରୀଙ୍କୁ ମିଳୁନି ଅଣ୍ଡା – bajravana

[ad_1]

୫ ବର୍ଷ ହେଲା ଦର ବଢ଼ିନି, ହାତ ଟେକିଦେ‌ଲେ ଅଙ୍ଗନବାଡ଼ି

ଭୁବନେଶ୍ବର: ବଜାରରେ ଅଣ୍ଡା ଗୋଟାକୁ ୮ ଟଙ୍କା, ହେଲେ ଅଙ୍ଗନବାଡ଼ିକୁ ସରକାର ଦେଉଛନ୍ତି ୫ ଟଙ୍କା। ଏମିତି ସ୍ଥିତିରେ କିପରି ପିଲାମାନଙ୍କୁ ଅଣ୍ଡା ଖାଇବାକୁ ଦେବେ, ଚିନ୍ତାରେ ଅଙ୍ଗନବାଡ଼ି କର୍ମୀ। ଚଳିତ ଜାନୁଆରି ମାସରୁ କାର୍ଯ୍ୟକାରୀ ହୋଇଥିବା ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଅଧୀନରେ କିଶୋରୀଙ୍କୁ ମିଳିବାକୁ ଥିବା ଅଣ୍ଡା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇ ପାରୁନି। ଏମିତି ଅଭିଯୋଗ କରିଛି ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ। ରାଜ୍ୟରେ ସମୁଦାୟ ଜନସଂଖ୍ୟାର ୨୨ ପ୍ରତିଶତ କିଶୋର ଓ କିଶୋରୀ। ‘ଅମ୍ଳାନ’ର ସର୍ଭେ ଅନୁଯାୟୀ, ସ୍କୁଲ ଯାଉଥିବା ରାଜ୍ୟର ୪୯.୩% ଓ ସ୍କୁଲ ଯାଉନଥିବା ୫୯.୮% କିଶୋରୀ (୧୦ରୁ ୧୯ବର୍ଷ)ଙ୍କ ଠାରେ ରକ୍ତହୀନତା ଚିହ୍ନଟ ହୋଇଛି। ଏନଏଫଏଚଏସ-୫ ସର୍ଭେ ଅନୁଯାୟୀ, ୧୫ରୁ ୧୯ ବର୍ଷୀୟ ୬୫.୫% ରକ୍ତହୀନତାରେ ପୀଡ଼ିତ। ରାଜ୍ୟରେ ଶିଶୁ ଓ ଗର୍ଭବତୀଙ୍କ ସହିତ କିଶୋରୀମାନଙ୍କ ରକ୍ତହୀନତା ସବୁବେଳେ ଚିନ୍ତାର କାରଣ ହୋଇ ଆସିଛି। ତେବେ ଏହାର ପ୍ରତିକାର ପାଇଁ ଶିଶୁ ଓ ଗର୍ଭବତୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଯୋଜନା ରହିଛି। ୨୦୨୨ ମସିହାରେ କିଶୋରୀଙ୍କ ପାଇଁ ୨୨ ଜିଲ୍ଲାର ୧୨୫ ବ୍ଲକରେ ସୋପାନ କାର୍ଯ୍ୟକାରୀ ହେଲା। ଏହା ସତ୍ତ୍ବେ ରାଜ୍ୟ ତମାମ କିଶୋରୀଙ୍କ ରକ୍ତହୀନତା ସମସ୍ୟା ଦୂର ହୋଇନି। ସ୍ଥିତି ଏଭଳି ହେଲା ଯେ ଅପପୁଷ୍ଟି ଓ ରକ୍ତହୀନତା ନେଇ ହାଇକୋର୍ଟ ମଧ୍ୟ ହସ୍ତକ୍ଷେପ କରି ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ। ସେହି ଅନୁଯାୟୀ ରାଜ୍ୟ ସରକାର ଜୁନ୍‌ ମାସରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ ୩,୩୫୪ କୋଟି ଟଙ୍କା ଅନୁମୋଦନ କରିଥିଲେ। ଏଥିରେ କିଶୋରୀ, ଗର୍ଭବତୀ, ପ୍ରସୂତି ଓ ୬ ବର୍ଷରୁ କମ୍‌ ଅପପୁଷ୍ଟ, ଅତିଅପପୁଷ୍ଟ ଶିଶୁଙ୍କୁ ସାମିଲ କରାଯାଇଛି। କିଶୋରୀ ଅପପୁଷ୍ଟି ମୁକାବିଲା ପାଇଁ ପ୍ରତି କିଶୋରୀଙ୍କୁ ମାସକୁ ୧୬ଟି ଅଣ୍ଡା, ୧.୫ କେଜି ଚଣା ଏବଂ ୧ କେଜି ପୁଷ୍ଟିକର ମୁଢ଼ି ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏଥିପାଇଁ ହିତାଧିକାରୀଙ୍କ ପିଛା ସରକାରଙ୍କ ପକ୍ଷରୁ ୯.୫୦ ଟଙ୍କା ଅନୁମୋଦିତ ହୋଇଛି। ଚଣା ଓ ମୁଢ଼ି ଏସ୍‌ଏଚ୍‌ଜିଙ୍କ ଦ୍ବାରା ପ୍ରସ୍ତୁତ କରାଯିବ। କିନ୍ତୁ ଅଣ୍ଡା ସରକାରଙ୍କ ଅନୁମୋଦିତ ଟଙ୍କାରୁ ଅଙ୍ଗନବାଡ଼ି କର୍ମୀ ନିଜେ କିଣିବେ।

ତେବେ ଅଣ୍ଡା ଦର ନେଇ ଅଙ୍ଗନବାଡ଼ି କର୍ମୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆରମ୍ଭରୁ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ବଜାରରେ ଅଣ୍ଡା ଦର ବଢୁଥିଲେ ମଧ୍ୟ ୫ ବର୍ଷ ହେଲା ସରକାରଙ୍କ ପକ୍ଷରୁ ଏହି ବାବଦରେ ଦିଆଯାଉଥିବା ଟଙ୍କା ବଢ଼ାଯାଉ ନାହିଁ। ତେଣୁ ଅଙ୍ଗନବାଡ଼ି କେନ୍ଦ୍ର ପିଲା ଓ ଗର୍ଭବତୀଙ୍କୁ ଦେବା ତ କଷ୍ଟକର ହୋଇପଡ଼ିଛି, କିଶୋରୀଙ୍କୁ କିଭଳି ଦେବେ ବୋଲି ପ୍ରଶ୍ନ କରିଛନ୍ତି। ଏହା ଉପରକୁ ରାଜ୍ୟରେ ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡ଼ାରେ ଅପପୁଷ୍ଟି ସମସ୍ୟା ଜଟିଳ ଥିବାରୁ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ବ ଦିଆଯାଇ ୧୪ ବର୍ଷରୁ କିଶୋରୀଙ୍କୁ ସାମିଲ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକଙ୍କ ଅନୁସାରେ, ଜାନୁଆରି ମାସରୁ ରାଜ୍ୟର ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା କାର୍ଯ୍ୟକାରୀ ହୋଇଛି। ଖୋର୍ଦ୍ଧାରେ କିଶୋରୀଙ୍କୁ କାହିଁକି ଅଣ୍ଡା ମିଳିନାହିଁ, ଏନେଇ ସମାଜ ମଙ୍ଗଳ ଅଧିକାରୀଙ୍କ ସହିତ ସେ ଆଲୋଚନା କଲେ କହିପାରିବେ। ଅନ୍ୟପଟେ ଅଲ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ୱାର୍କର୍ସ ଆସୋସିଏସନ କହିଛି, ଅଣ୍ଡା ଦରକୁ ନେଇ ତାଙ୍କ ସଂଗଠନ ମହିଳା-ଶିଶୁ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେମାନେ କିଶୋରୀମାନଙ୍କୁ ଅଣ୍ଡା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରି ନାହାନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button