ଓଡିଶା

ଜମି ଜାଲିଆତି ରୢାକେଟ୍‌ ମାମଲା: ପୁଣି ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ – bajravana

[ad_1]

ଜାରିହେଲା ଟୋଲ୍‌-ଫ୍ରି ନମ୍ବର

ଭୁବନେଶ୍ବର: ଜାଲ୍‌ କାଗଜପତ୍ର ବଳରେ ରାଜଧାନୀରେ ଜମି ବିକି ଜମିକ୍ରେତାଙ୍କୁ ଚୂନ ଲଗାଇଥିବା ଅନ୍ତର୍ଯାମୀ ସେନାପତି ରୢାକେଟ୍‌ର ଆଉ ଜଣେ ସଦସ୍ୟକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଆଜି ଗିରଫ କରିଛି। ସେ ହେଲା ଚନ୍ଦକା ଥାନା ମଳିପଡ଼ା ଅଞ୍ଚଳର ବିଚିତ୍ର ବେହେରା। ବିଚିତ୍ରକୁ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା ଏବଂ ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଯାଇଛି। ପୂର୍ବରୁ ଏହି ରୢାକେଟ୍‌ର ୭ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ସଦସ୍ୟ ଏବେ ବି ଫେରାର୍‌ ଅଛନ୍ତି।

ଅନ୍ତର୍ଯାମୀ, ବିଚିତ୍ର ଓ ସହଯୋଗୀମାନେ ମିଶି ଜମି ଜାଲିଆତି ରୢାକେଟ୍‌ ଚଳାଇଥିଲେ। ପ୍ରକୃତ ଜମି ମାଲିକଙ୍କ ନାମ, ଠିକଣା ଠାବ କରିବା ପରେ ସେମାନେ ନକଲି ଜମି ମାଲିକ ଯୋଗାଡ଼ କରି ଜାଲିଆତି କରୁଥିଲେ। ନକଲି ମାଲିକ ଅସଲ ମାଲିକର ଜାଲ୍‌ ଆଇଡି କାର୍ଡ ବଳରେ ଜମି ବିକି ଦେଉଥିଲା। ଶସ୍ତାରେ ଜମି ବିକି ଏହି ରୢାକେଟ୍‌ ଜମି କ୍ରେତାଙ୍କୁ ଭୁଆଁ ବୁଲାଉଥିଲା। କେନ୍ଦ୍ରାପଡ଼ା ଅଞ୍ଚଳର ଲିପିକା ଦାସଙ୍କ ମଳିପଡ଼ା ମୌଜାସ୍ଥିତ ଜମିକୁ ଏମିତି ଜଣେ ନକଲି ମାଲିକ ଜରିଆରେ ବିକ୍ରି କରାଯାଇଥିଲା। ସେହିଭଳି ଅନ୍ୟ ଜଣେ ଅସଲ ମାଲିକ ସତ୍ୟଭାମା ଦାସଙ୍କ ୪ଟି ପ୍ଲଟ୍‌କୁ ନକଲି ମାଲିକ ଠିଆକରାଇ ଅନ୍ତର୍ଯାମୀ ରୢାକେଟ୍‌ ବିକି ଦେଇଥିଲା। ଏନେଇ ସତ୍ୟଭାମା ଓ ଲିପିକା ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଏମିତିକି ଠକାମିର ଶିକାର ହୋଇଥିବା ଜମି କ୍ରେତାମାନେ ମଧ୍ୟ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଯେ ଏହି ରୢାକେଟ୍‌ ଚଞ୍ଚକତା କରି ଲିପିକା ଓ ସତ୍ୟଭାମାଙ୍କ ଆଧାରକାର୍ଡ, ଭୋଟ୍‌ର ଆଇଡି କାର୍ଡ ଆଦି ପ୍ରସ୍ତୁତ କରି ୯ଟି ପ୍ଲଟ୍‌ ବିକିଥିଲା। ଇଓଡବ୍ଲୁ ପ୍ରଥମ ପର୍ଯ୍ୟାୟରେ ରୢାକେଟ୍‌ ମୁଖିଆ ଅନ୍ତର୍ଯାମୀ ସେନାପତି, ପୂର୍ବତନ ବିଏମ୍‌ସି କର୍ମଚାରୀ ହଳଧର ଦାସ, ଅନନ୍ତ ଚନ୍ଦ୍ର ପ୍ରଧାନ, ନକଲି ମାଲିକ ମମତା ପରିଡ଼ା ଏବଂ ସୁବୋଧ ପରିଡ଼ାକୁ ଗିରଫ କରିଥିଲା।

ପରବର୍ତ୍ତୀ ସମୟରେ ନକଲି ଜମି ମାଲିକ ଗାୟତ୍ରୀ ମଲ୍ଲିକ ଓ ସହଯୋଗୀ କୃଷ୍ଣଚନ୍ଦ୍ର ବେହେରାକୁ ଗିରଫ କରାଯାଇଥିଲା। ଏହି ରୢାକେଟ୍‌ରେ ଆଉ କିଛି ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି। ଯେଉଁମାନେ ଜମି କିଣୁଛନ୍ତି, ସେମାନେ ଅସଲି ମାଲିକଙ୍କୁ ଜାଣିବା ପାଇଁ ଉଦ୍ୟମ କରିବା ଜରୁରୀ ବୋଲି ଏସ୍‌ପି ଶ୍ରୀ ତ୍ରିପାଠୀ କହିଛନ୍ତି। ମାଲିକଙ୍କ ଆଧାର କାର୍ଡ, ସମସ୍ତ ପରିଚୟପତ୍ର, ଜମିର ରେକର୍ଡପତ୍ର, ପାଉତି ଆଦି କାଗଜପତ୍ରକୁ ଠିକରେ ଯାଞ୍ଚ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କେହି କୌଣସି ପ୍ରକାର କାଗଜପତ୍ର ବା ତଥ୍ୟକୁ ନେଇ ସନ୍ଦେହ କରୁଛନ୍ତି, ତୁରନ୍ତ ଟୋଲ୍‌ ଫ୍ରି ନଂ-୧୮୦୦୩୪୫୭୧୦୩ରେ ଯୋଗାଯୋଗ କରିବାକୁ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button