ଓଡିଶା

ହାଇକୋର୍ଟରେ ରତ୍ନ ଭଣ୍ଡାର ସୁରକ୍ଷା ମାମଲାର ଶୁଣାଣି ଶେଷ – bajravana

[ad_1]

ବିପଦ ଥିବା ନେଇ ଏଏସ୍‌ଆଇ କହିଲା, ତଥାପି ମିଳୁନି ଯାଞ୍ଚ ଅନୁମତି

କଟକ: ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ସ୍ଥିତି ଭଲ ନାହିଁ। ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ରତ୍ନ ଭଣ୍ଡାର ଭିତର ଯାଞ୍ଚ କରାଯିବା ସହିତ ସଂରକ୍ଷଣ ଓ ମରାମତି ପାଇଁ ପଦକ୍ଷେପ ନିଆଯିବା ଉଚିତ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ରିପୋର୍ଟ ଏଭଳି କିଛି ତଥ୍ୟ ରଖୁଛି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ସଂପର୍କିତ ମାମଲାର ଶୁଣାଣି ସମୟରେ ଦର୍ଶାଇଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ରତ୍ନଭଣ୍ଡାର ମରାମତି ଓ ଏହା ଭିତରେ ଥିବା ସୁନା, ଗହଣା ଓ ଅନ୍ୟ ସଂପତ୍ତିର ତାଲିକା ପ୍ରସ୍ତୁତ ପ୍ରସଙ୍ଗ ସଂପର୍କିତ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ବାରା ଆଗତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଶ୍ରୀ ଆଚାର୍ଯ୍ୟ ଏଭଳି ଯୁକ୍ତି ରଖିଛନ୍ତି।
ତଥ୍ୟ ରଖାଯାଇଛି ଯେ ରତ୍ନ ଭଣ୍ଡାର ଭିତର ସ୍ଥିତି ଅନୁଧ୍ୟାନ ପ୍ରସଙ୍ଗରେ ୨୦୧୮, ମାର୍ଚ୍ଚ ୨୨ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୧୮, ଏପ୍ରିଲ ୧୦ରେ ଏଏସ୍‌ଆଇ ପକ୍ଷରୁ ରତ୍ନ ଭଣ୍ଡାର ଭିତର ଅନୁଧ୍ୟାନ ପାଇଁ ଏକ ବୈଷୟିକ ବିଶେଷଜ୍ଞ କମିଟି ପ୍ରଫେସର ଜି.ସି.ମିତ୍ରଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା। ୨୦୧୮, ମାର୍ଚ୍ଚ ୨୬ରେ ରତ୍ନ ଭଣ୍ଡାର ବାହାର ପଟୁ କମିଟି ଅନୁଧ୍ୟାନ କରିଥିଲା।

କେତେକ ସ୍ଥାନରେ ପଲସ୍ତରା ଦୁର୍ବଳ ହୋଇ ପଡିଥିବା ବେଳେ ଫମ୍ପା ଶଦ୍ଦ ହେଉଥିଲା। କାନ୍ଥରେ ଅନେକ ସ୍ଥାନରେ ଫାଟ ରହିଛି। ଛାତ, କାନ୍ଥ ଓ ଚଟାଣ ଚାରିଆଡେ ସନ୍ତସନ୍ତିଆ ଅବସ୍ଥା ରହିଛି। କାନ୍ଥରୁ ଖସିଥିବା କେତେକ ପଥର ବିକ୍ଷିପ୍ତ ଅବସ୍ଥାରେ ଚଟାଣରେ ପଡି ରହିଛି। ରତ୍ନ ଭଣ୍ଡାର ଭିତରକୁ ଗଲେ ଯାଇ ଏହାର ଢାଞ୍ଚାଗତ ସ୍ଥିତି ସଂକ୍ରାନ୍ତରେ ସ୍ପଷ୍ଟ ସୂଚନା ମିଳି ପାରିବ। ତେଣୁ ରତ୍ନ ଭଣ୍ଡାର ଭିତରକୁ ଯାଇ ଉପଯୁକ୍ତ ଆଲୋକ ବ୍ୟବସ୍ଥା ଭିତରେ ଆଭ୍ୟନ୍ତରୀଣ ଢାଞ୍ଚା, ପ୍ରତ୍ନତାତ୍ତ୍ବିକ ବିସ୍ତୃତ ବିବରଣୀ ଅନ୍ୟୁଧ୍ୟାନ ପାଇଁ ଅନୁମତି ଦିଆଯାଉ ବୋଲି ଏଏସ୍‌ଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏଥିପାଇଁ ଏଏସ୍‌ଆଇକୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଇ ନାହିଁ। କମିଟି ପରାମର୍ଶ ଅନୁସାରେ ରତ୍ନ ଭଣ୍ଡାର ଭିତର ଯାଞ୍ଚ ପାଇଁ ୨୦୨୨, ଅଗଷ୍ଟ ୮ରେ ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖା ଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କିଛି ପଦକ୍ଷେପ ନିଆଯାଇ ନାହିଁ। ଏହି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ଓ ନିରାପତ୍ତା ପାଇଁ ରତ୍ନ ଭଣ୍ଡାର ଭିତର କମିଟି ଦ୍ବାରା ଯାଞ୍ଚ ହେବା ଆବଶ୍ୟକ ବୋଲି ଏଏସ୍‌ଆଇ ବାରମ୍ବାର କହୁଥିଲେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ପ୍ରସଙ୍ଗରେ ନିରବ। ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା ବେଳେ ତୁରନ୍ତ ମରାମତି ପାଇଁ ଏଏସ୍‌ଆଇକୁ ଯାଞ୍ଚ ପାଇଁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ। ରାଜ୍ୟ ସରକାର, ଏଏସ୍‌ଆଇ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ମଧ୍ୟ ଏହି ମାମଲାରେ ଆଜି ଯୁକ୍ତି ଉପସ୍ଥାପନ କରାଯାଇଥିଲା। ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜୁଲାଇ ୫ରେ ଏହି ଜନସ୍ବାର୍ଥ ଆବେଦନର ହାଇକୋର୍ଟ ଶୁଣାଣି କରି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ପ୍ରଶାସନ, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଓ ଭୁବନେଶ୍ବର ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାରେ ମୁଖ୍ୟ ସଚିବ, ଆଇନ ସଚିବ, ଗୃହ ସଚିବ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ, ଏଏସ୍‌ଆଇ ଡିଜି, ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ, ପୁରୀ ରାଜା ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ସିବିଆଇକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ସୁମନ ପ୍ରିୟଦର୍ଶିନୀ ହୋତା, ପ୍ରୀତମ ପ୍ରଧାନ, ପ୍ରୀତିପ୍ରଜ୍ଞା ଦାସ ସହାୟତା କରୁଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button